ନାଉଗାଁ ତହସିଲର ଏରେଡା ବାଲି ସୈରାତ ପାଇଁ ନିଲାମ ପ୍ରକ୍ରିୟା ଶେଷ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ତହସିଲ ଅନ୍ତର୍ଗତ ଦେବୀନଦୀରେ ଥିବା ଏରେଡା ବାଲି ସୈରାତ ପାଇଁ ଟେଣ୍ଡର ପ୍ରକ୍ରିୟା ସୋମବାର ଶେଷ ହୋଇଛି । ତହସିଲ ପକ୍ଷରୁ ଚିଠି ନମ୍ବର- ୩୭୬ ତା ୨ ମାର୍ଚ୍ଚ ୨୦୨୨ ରେ ଦେବୀ ନଦୀରେ ଥିବା ୧ ଗୋଟି ବାଲି ସୈରାତ ନିଲାମ ପାଇଁ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବାଲି ସୈରାତ ମଧ୍ୟରେ ଗଳଦାରୀ ପଂଚାୟତର ଏରେଡା ଘାଟ ଥିବା ଜଣାଯାଇଛି । ଉକ୍ତ ଟେଣ୍ଡର ପକାଇବା ପାଇଁ ୨୮ ମାର୍ଚ୍ଚ ଦିବା ୧ ଘଟିକା ସମୟ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା । ଧାର୍ଯ୍ୟ ସମୟ ମଧ୍ୟରେ ସମୁଦାୟ ୫ଗୋଟି ଟେଣ୍ଡର ପେପର ତହସିଲ କାର୍ଯ୍ୟାଳୟରେ ରହିଥିବା ଟେଣ୍ଡର ବାକ୍ସ ମଧ୍ୟରେ ପଡିଥିଲା । ଦିବା ୩ଘଟିକା ସମୟରେ ତହସିଲ କାର୍ଯ୍ୟାଳୟ ପରିସରରେ ତହସିଲଦାର ଜେ.କଳ୍ପନା, ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରାଙ୍କ ଉପସ୍ଥିତରେ ନିଲାମ ପାଇଁ ଟେଣ୍ଡର ପକାଇଥିବା ନିଲାମଧାରୀମାନେ ଉପସ୍ଥିତ ରହିଥିଲେ । ସମସ୍ତଙ୍କ ଉପସ୍ଥିତିରେ ଟେଣ୍ଡର ବାକ୍ସ ଖୋଲାଯାଇ ଟେଣ୍ଡର ପେପର ଗୁଡିକ ଖୋଲାଯାଇଥିଲା । ଏରେଡା ବାଲି ସୈରାତ ପାଇଁ ସର୍ବୋଚ୍ଚ ବାଲି ସିଏମ ପ୍ରତି ୧ ହଜାର ୭୦ଟଙ୍କାରେ ନିଲାମଧାରୀ ଭାବେ ମନୋଜ ଅଗ୍ରୱାଲଙ୍କ ନାମ ରହିଥିବା ତହସିଲ କାର୍ଯ୍ୟାଳୟରୁ ସୂଚନା ମିଳିଛି । ସମୁଦାୟ ଏରେଡା ବାଲି ସୈରାତ ପାଇଁ ୫ ଗୋଟି ଟେଣ୍ଡର ପେପର ପକାଯାଇଥିବା ବେଳେ ଏଥିମଧ୍ୟରୁ ୨ଗୋଟି ଖାଲି ସାଧା ପେପର ପଡିଥିବା ଜଣାଯାଇଛି । ସାଧା ପେପର ପକାଇଥିବା ନିଲାମଧାରୀଙ୍କ ବିରୁଦ୍ଧରେ ସିସି ଟିଭି ଯାଂଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ଏହି ବାଲି ସୈରାତ ପାଇଁ ତୃତୀୟ ଥର ନିଲାମ କରାଯାଇଥିଲେ ମଧ୍ୟ ନିଲାମଧାରୀମାନେ ସଠିକ ସମୟରେ ନିୟମ ଅନସୁାରେ ଆବଶ୍ୟକୀୟ କାଗଜପତ୍ର ଓ ଧାର୍ଯ୍ୟ ଅନୁସାରେ ରାଶି ପୈଠ କରି ପାରିନଥିଲେ । ଯାହାଫଳରେ ଚତୁର୍ଥ ଥର ପାଇଁ ଉକ୍ତ ବାଲି ସୈରାତକୁ ନିଲାମ କରାଯାଇଛି । ଟେଣ୍ଡର ଖୋଲାଯିବା ସମୟରେ ଯେପରି କିଛି ଅପ୍ରିତିକର ସ୍ଥିତି ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ରଖାଯାଇଥିଲା । ନାଉଗାଁ ଥାନା ପକ୍ଷରୁ ଏଏସଆଇ ରବିନାରାୟଣ ସେନାପତିଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ କଡା ଦୃଷ୍ଟି ରଖାଯାଇଥିଲା ।