ନାଉଗାଁ ପଂଚାୟତରେ ଜଳ ଜୀବନ ମିଶନ ଫେଲ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଗ୍ରାମାଂଚଳର ସବୁ ଗୃହକୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇ ପ୍ରକଳ୍ପ ନିର୍ମାଣ କରାଯିବା ପାଇଁ ଅର୍ଥ ମଂଜୁରୀ କରାଯାଉଛି । ବିଭାଗୀୟ ଅଧିକାରୀଙ୍କ ସଠିକ୍ ତଦାରଖ ଅଭାବରୁ ଦାୟିତ୍ୱରେ ଥିବା ଠିକାଦାରମାନେ ମନଇଛା କାର୍ଯ୍ୟ କରୁଛନ୍ତି । କାର୍ଯ୍ୟର ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ପ୍ରକଳ୍ପର କାର୍ଯ୍ୟ ଶେଷ ହେଉନାହିଁ । ଏହିଭଳି କାର୍ଯ୍ୟ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଜଗତସିଂହପୁର ବିଭାଜନ ଅଧିନ ନାଉଗାଁ ବ୍ଲକର ନାଉଗାଁ ପଂଚାୟତରେ ଦେଖିବାକୁ ମିଳିଛି । ଉକ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅବଧି ପାଖାପାଖି ଏକ ମାସ ହେବ ସରିଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ସରୁ ନଥିବା ଦେଖାଯାଇଛି । କଛପ ଗତିରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବାରୁ ଲୋକମାନେ ପାନୀୟ ଜଳ ସମସ୍ୟାକୁ ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆରଟିଆଇ ତଥ୍ୟ ଅନୁସାରେ ପଂଚାୟତିରାକ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏହି ପଂଚାୟତକୁ ୪ଟି ଜୋନ୍ରେ ବିଭକ୍ତ କରାଯାଇ ୪ଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ବାବଦକୁ ୪୦୬.୩୨ଲକ୍ଷ ଟଙ୍କା ଅର୍ଥ ମଂଜୁର କରାଯାଇ ଟେଣ୍ଡର କରାଯାଇଥିଲା । ଟେଣ୍ଡର ପରେ ବିଭାଗ ପକ୍ଷରୁ ଏହି ୪ଟି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ସୁବାସ କୁମାର ଏସ.ଜେନାଙ୍କୁ ପ୍ରଦାନ କରାଯାଇଥିଲା । ଏହି ନିର୍ମାଣ କାର୍ଯ୍ୟର ତଦାରଖ ଦାୟିତ୍ୱ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଜଗତସିଂହପୁର ବିଭାଜନଙ୍କୁ ପ୍ରଦାନ କରାଯାଇଥିଲା । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଜଗତସିଂହପୁର ବିଭାଜନ ପକ୍ଷରୁ ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ସୁବାସ କୁମାର ଏସ.ଜେନାଙ୍କ ସହିତ ଏହି କାର୍ଯ୍ୟ କରିବା ପାଇଁ ଚୁକ୍ତି କରାଯାଇଥିଲା । ଏହି ଚୁକ୍ତିପତ୍ରରେ ୪ଟି ପ୍ରକଳ୍ପ ନିର୍ମାଣ ପାଇଁ ୩ କୋଟି ୬୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ କରାଯାଇଛି । ଉକ୍ତ ପ୍ରକଳ୍ପ କାର୍ଯ୍ୟ ୨୦୨୨ ମେ ୨୧ ତାରିଖରୁ ଆରମ୍ଭ କରାଯାଇ ୨୦୨୩ ମେ ୨୦ ତାରିଖ ଭିତରେ ଶେଷ କରାଯିବା ପାଇଁ ଚୁକ୍ତିପତ୍ରରେ ଦର୍ଶାଯାଇଛି । କିନ୍ତୁ କାର୍ଯ୍ୟର ଅବଧି ସରିବାର ପାଖାପାଖି ଏକ ମାସ ଅତିବାହିତ ହୋଇଯାଇଥିଲେ ମଧ୍ୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇ ନଥିବା ଦେଖିବାକୁ ମିଳୁଛି । ଅନ୍ୟପଟରେ ଦାୟିତ୍ୱରେ ଥିବା ସଂପୃକ୍ତ ଠିକାଦାର କାର୍ଯ୍ୟସ୍ଥଳରେ ଅନୁପସ୍ଥିତ ରହୁଥିବାରୁ ଠିକାଦାର ପକ୍ଷରୁ କାର୍ଯ୍ୟ ବୁଝାସୁଝା କରୁଥିବା ବ୍ୟକ୍ତିମାନେ ଏଷ୍ଟିମେଟ ଅନୁସାରେ ସାମଗ୍ରୀ ବ୍ୟବହାର ନ କରି ନିଜ ମନଇଛା କାର୍ଯ୍ୟ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି । ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରଶ୍ମିରଂଜନ ଦାସଙ୍କୁ ପ୍ରକଳ୍ପ କାର୍ଯ୍ୟର ଅବଧି ଶେଷ ହେବା ସଂର୍ପକରେ ପଚାରିବାରୁ ଠିକାଦାରଙ୍କ ପକ୍ଷରୁ ସମୟର ସଂପ୍ରସାରଣ ପାଇଁ ଆବେଦନ କରାଯାଇଛି ବୋଲି କହିଥିଲେ ।