ନାଉଗାଁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଠିକା କର୍ମଚାରୀଙ୍କ ଧାରଣା

ନାଉଗାଁ, (ଓ୍ବାଇଏନ୍ଏସ୍):ମହାମାରୀ କରୋନା ପାଇଁ ବିଶ୍ୱ ଆତଙ୍କିତ । କରୋନା ଯୋଗୁଁ ବାହାର ରାଜ୍ୟର ଅଧିକାଂଶ କଳ କାରଖାନା ବନ୍ଦ ହୋଇଯିବା ହେତୁ ପ୍ରବାସୀ ଓଡିଆମାନେ ନିଜ ଭିଟାମାଟିକୁ ଫେରିଆସିଛନ୍ତି । କିନ୍ତୁ ଯେଉଁମାନେ ନିଜ ଅଂଚଳରେ ଠିକା ସଂସ୍ଥାରେ ରହି କମ ଦରମାରେ କାର୍ଯ୍ୟ କରି ଜନସାଧାରଣଙ୍କୁ ସେବା ଯୋଗାଇ ଦେଇ ଆସୁଥିଲେ । ସେମାନଙ୍କୁ ଏହି ମହାମାରୀ କରୋନା ସମୟରେ କାର୍ଯ୍ୟରୁ ଅନ୍ତର କରାଯାଇ ତାଙ୍କ ପେଟକୁ ଲାତ ମରାଯାଇଥିବା ଅଭିଯୋଗ ହେଉଛି । ଏହିପରି ଅଭିଯୋଗ ଆସିଛି ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା ଏନଜେଏନ ଠିକା କର୍ମଚାରୀଙ୍କ କ୍ଷେତ୍ରରେ । ଯାହାକୁ ନେଇ ଉକ୍ତ ଠିକା ସଂସ୍ଥାର କର୍ମଚାରୀମାନେ ପୁନଃ ନିଯୁକ୍ତି ଦାବିରେ ନାଉଗାଁ ବ୍ଳକସ୍ଥିତ ସେସୁ ବିଦ୍ୟୁତ ସେକ୍ସନ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଧାରଣାରେ ବସି ରହିଛନ୍ତି । ଧାରଣାକାରୀଙ୍କ ଅଭିଯୋଗ ମୁତାବକ ସେମାନେ ନାଉଗାଁ ଅଂଚଳରେ ଏଜେଏନ ଠିକା ସଂସ୍ଥାରେ ବିଦ୍ୟୁତ ଶ୍ରମିକ ଭାବେ ୨୦୧୩ ଜୁନ ମାସ ଠାରୁ କାର୍ଯ୍ୟ କରି ଆସୁଥିଲେ । ସେସୁକୁ ଟାଟା ଅଧିଗ୍ରହଣ କରିବା ପରେ ୨୦୨୦ ମେ ମାସରେ ସେସୁ ଏନଜେଏନ ଠିକା ସଂସ୍ଥାକୁ ଛାଡି ଦେଇଥିଲା । ଫଳରେ ଏନଜେଏନ ଠିକା ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଜିବିକା ହରାଇବାକୁ ପଡିଛି । କିନ୍ତୁ ଦିର୍ଘ ୬ବର୍ଷରୁ ଉର୍ଦ୍ଧ ସମୟ ବିଦ୍ୟୁତ ବିଭାଗରେ କାର୍ଯ୍ୟ କରିବା ସହିତ ଆବଶ୍ୟକ ଶିକ୍ଷାଗତ ଓ ବୈଷୟିକ ଯୋଗ୍ୟତା ମଧ୍ୟ ରହିଛି । ହେଲେ ଟାଟା କଂପାନୀରେ ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ନିଆଯାଉ ନଥିବା ଠିକା ସଂସ୍ଥାର କର୍ମଚାରୀମାନେ ଅଭିଯୋଗ କରୁଛନ୍ତି । ଅନ୍ୟପଟରେ ଟାଟା କମ୍ପାନୀ ବିଦ୍ୟୁତ ସେବା ଯୋଗାଇବା ପାଇଁ ଦାୟିତ୍ୱ ଗ୍ରହଣ କରିବା ସମୟରେ କରୋନା ପାଇଁ କୌଣସି କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ ବୋଲି କଂପାନୀର ମୁଖ୍ୟ ରତନ ଟାଟା କହିଥିଲେ । ସେହିପରି ଓଡିଶାର ଶ୍ରମ ଆୟୁକ୍ତ କୌଣସି କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ ବୋଲି ମଧ୍ୟ ଘୋଷଣା କରିଥିଲେ । କିନ୍ତୁ ଉକ୍ତ ଠିକା ସଂସ୍ଥାର କର୍ମଚାରୀମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ଯାହାକି ସେମାନଙ୍କର ଅନ୍ୟତ୍ର ଚାକିରୀ କରିବାର ବୟସ ମଧ୍ୟ ନାହିଁ । ସେମାନଙ୍କ ରୋଜଗାର ଉପରେ ପରିବାର ପ୍ରତିପୋଷଣ ହେଉଥିଲେ । ବର୍ତମାନ କରୋନା ପରି ଏକ ମହାମାରୀ ବ୍ୟାପି ଥିବା ବେଳେ ଏପରି ଘଡ ସନ୍ଧି ମୁହୁର୍ତରେ କର୍ମଚାରୀମାନେ ଭୋକ ଉପାସରେ ରହୁଛନ୍ତି । କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି କରିବା ପାଇଁ କାଜୁ ନିଗମର ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଶକ୍ତି ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ସେହିପରି କର୍ମଚାରୀମାନେ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପୁନଃ ନିଯୁକ୍ତିର କୌଣସି ସୁଫଳ ନମିଳିବାରୁ କର୍ମଚାରୀମାନେ ବାଧ୍ୟ ହୋଇ ଧାରଣାରେ ବସି ରହିଛନ୍ତି । ଦାବି ପୁରଣ ନହେଲେ ସେମାନେ ଧାରଣାରୁ ଓହରିବେ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଧାରଣା ଦେଇଥିବା ଶ୍ରମିକମାନଙ୍କ ମଧ୍ୟରେ ଅଜିତ ମହାନ୍ତି, ମହେଶ୍ୱର ଜେନା, ଜ୍ଞାନଭୂଷଣ ବଳ, ସୁବାସ ଚନ୍ଦ୍ର ଲେଙ୍କା, ଅମୁଲ୍ୟ କୁମାର ମହାନ୍ତି, ସନ୍ତୋଷ କୁମାର ସେନାପତି, ଅରବିନ୍ଦ ପରିଡା, ଲୋଚନ ସ୍ୱାଇଁ, ଅନାଥ ପରିଡା, ସୁଦିପ୍ତ ଦାସ, ସତ୍ୟରଂଜନ ଦାସ, ହେମନ୍ତ କୁମାର ରାୟ, ସଚ୍ଚିନ୍ଦ୍ର ରାୟ, ଅସିତ ସାହୁ ଆଦି ବସିଥିବା ବେଳେ ତାଙ୍କ ସହିତ ଜଗତସିଂହପୁରର ଆଇନଜୀବି ବାସୁ ଷଡଙ୍ଗୀ ସାମିଲ ହୋଇଛନ୍ତି । ଏ ବିଷୟରେ ବାଲିକୁଦା ଉପଖଣ୍ଡର ଏସଡିଓ ଦେବଦତ ଉପାଧ୍ୟାୟଙ୍କୁ ପଚାରିବାରୁ ସେମାନଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ କାର୍ଯ୍ୟାଳୟକୁ ଆସି ଯୋଗାଯୋଗ କରିବାକୁ କୁହାଯାଇଥିଲା । ସେମାନଙ୍କ ମଧ୍ୟରୁ କିଛି କର୍ମଚାରୀ କାର୍ଯ୍ୟାଳୟରେ ପହଁଚି କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଅନ୍ୟମାନେ କାର୍ଯ୍ୟାଳୟକୁ ନ ଆସି ଧାରଣାରେ ବସି ରହିଥିଲେ । ବର୍ତମାନ କମ୍ପାନୀ ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞାପନ କରାଯାଇଛି । ତେଣୁ ଆମେ କିଛି କରିପାରିବୁ ନାହିଁ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ