ନାଉଗାଁ ବ୍ଳକରେ ବିଭିନ୍ନ ସ୍ଥାନରେ ଘୋଷ ଯାତ୍ରା ଅନୁଷ୍ଠିତ
ନାଉଗାଁ : ନାଉଗାଁ ବ୍ଳକର ବିଭିନ୍ନ ଜଗନ୍ନାଥ ମନ୍ଦିର ଯଥା ଧର୍ମକ୍ଷେତ୍ର ଅଲଣା,ତିହୁଡା ବାଲିସାହିସ୍ଥିତ ଶ୍ରୀ ଶ୍ରୀ ପତିତପାବନ ଜୀଉ ମନ୍ଦିର, ଚାନ୍ଦଖାଁ ପାଟଣାସ୍ଥିତ ବଳଦେବଜୀଉ ମନ୍ଦିର ଆଦିରେ ଗୁରୁବାର ପବିତ୍ର ଘୋଷ ଯାତ୍ରା ଉପଲକ୍ଷେ ଯଥା ରୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ଗାରୋଇର ଗୋବର୍ଦ୍ଧନ ପୀଠରେ ରୀତି ନିତି ଅନୁଯାୟୀ ରଥ ଟଣା କାର୍ଯ୍ୟ ହୋଇଥିଲା । ଗୋବର୍ଦ୍ଧନ ପୀଠରେ ୩ ରଥ ପ୍ରାତଃ ସମୟରୁ ସୁସଜ୍ଜିତ ହୋଇ ବଡ ଦାଣ୍ଡରେ ରହିଥିଲେ । ନିର୍ଘଂଟ ନିତି ଅନୁଯାୟୀ ଶ୍ରୀ ଜୀୟୁଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ଶଙ୍ଖ,ହୁଳହୁଳି,ନାମ ସଂକୀର୍ତନରେ ପ୍ରଥମେ ବଡ ଭାଇ ବଳଭଦ୍ରଙ୍କୁ ତାଳଧ୍ୱଜ,ମା ସୁଭଦ୍ରାଙ୍କୁ ଦର୍ପଦଳନ ଓ ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥକୁ ପହଣ୍ଡି କରି ଶ୍ରଦ୍ଧାଳୁମାନେ ରଥାରୁଢ କରିଥିଲେ । ଠାକୁର ରାଜା ଭାବେ ଜ୍ଞାନ ରଂଜନ ବିଶ୍ୱାଳ ୩ ରଥରେ ଛେରା ପହଁରା କରିଥିଲେ । ପୂଜାର୍ଚ୍ଚନା ଓ ଛେରା ପହଁରା କାର୍ଯ୍ୟ ସରିବା ପରେ ଶ୍ରଦ୍ଧାଳୁମାନେ ରଥକୁ ତେଲସରାସ୍ଥିତ ମାଉସୀ ମା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ । ଏଠାରେ ସାଧାରଣତଃ ମା ସୁଭଦ୍ରାଙ୍କ ରଥକୁ ମହିଳା ମାନେ ହିଁ ଟାଣିଥିଲେ । ଜୟ ଜଗନ୍ନାଥ ଧ୍ୱନୀରେ ଚାରିଆଡ ପ୍ରକମ୍ପିତ ହେଉଥିଲା । ଏହି ଘୋଷ ଯାତ୍ରା ଦେଖିବା ପାଇଁ ବ୍ଳକ ତଥା ବ୍ଳକ ବାହାରୁ ବହୁ ଶ୍ରଦ୍ଧାଳୁ ଏଠାରେ ସମାଗମ ହୋଇଥିଲେ । ଗ୍ରାମବାସୀ ଓ ଜଗନ୍ନାଥ ସଂସଦର କର୍ମକର୍ତାମାନେ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଘୋଷ ଯାତ୍ରା ଉପଲକ୍ଷେ ଜୁନିୟର ରେଡକ୍ରସ ଜଗତସିଂହପୁର ଶାଖା ତରଫରୁ ଏକ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ସେବା ଶିବିରରେ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ,ଗାରୋଇ,ଗୋପବନ୍ଧୁ ସ୍ମାରକୀ ବିଦ୍ୟାପୀଠ,ତିରୁଣା ରୁ ୫୦ ରୁ ଉଦ୍ଧ୍ୱର୍ ଜୁନିୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶିକ୍ଷକ ନିରଞନ ମହାନ୍ତି, ସୁକାନ୍ତଲେଙ୍କାଙ୍କ ତତ୍ୱାବଧାନରେ ଉକ୍ତ ସେବା ଶିବିର ପରିଚାଳନା କରାଯାଇଥିଲା । ରଥ ଯାତ୍ରାର ଧାର ବିବରଣୀ ଶିକ୍ଷକ ରବିନ୍ଦ୍ର ନାଥ ସ୍ୱାଇଁ,ପ୍ରାଧ୍ୟାପକ ଡଃ ଚାଇନା ପ୍ରଧାନ ପ୍ରମୁଖ ପ୍ରଦାନ କରିଥିଲେ । ରଥ ଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହିତ ଶେଷ କରିବାକୁ ପୋଲିସ ପ୍ରଶାସନର ନାଉଗାଁ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ଓ ଗାରୋଇ ଫାଣ୍ଡି ଅଧିକାରୀଙ୍କ ତରଫରୁ ସୁ ବନ୍ଦୋବସ୍ତ କରାଯାଇଥିଲା । ସେହିପରି ଗଜରାଜପୁର ରେ ଉମାକାନ୍ତ ଦାସ,ବେଲବଣରେ ବେଣୁଧର ମହାରଣା ଆଦି ରଥରେ ଛେରା ପହଁରା କରିବା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ମାଉସୀ ମା ଘରେ ହଂଚିବା ପରେ ପ୍ରତ୍ୟେହ ସଂଧ୍ୟାରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବା ବୋଲି ଜଗନ୍ନାଥ ସଂସଦର ସଦସ୍ୟଙ୍କ ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି । ସେହିପରି ବ୍ଳକର ବିଭିନ୍ନ ଗ୍ରାମର ପିଲାମାନେ ବିଭିନ୍ନ ରଙ୍ଗ ବେରଙ୍ଗ ର କାଗଜ ଗୁଡାଇ ରଥ ନିର୍ମାଣ କରିଥିବାର ଦେଖିବାକୁ ମିଳିଥିଲା । ଉକ୍ତ ରଥରେ ଜଗନ୍ନାଥ,ବଳଭଦ୍ର ଓ ମା ସୁଭଦ୍ରାଙ୍କ ଫଟୋ ରଖି ଗାଁ ଦାଣ୍ଡରେ ଘଂଟ ବଜାଇ ଟାଣିବାର ଦେଖିବାକୁ ମିଳିଥିଲା । ସେହିପରି ଶିଖର ପଂଚାୟତ ବୋଦଳ ଗ୍ରାମରେ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଠାକୁର ରାଜା ଭାବେ ବନମାଳୀ ଜେନା ଛେରା ପହଂରା କରିବା ପରେ ୩ ରଥ ମାଉସୀ ମା ଘର ଅକ୍ଷୟ ବେହେରାଙ୍କ ଘରକୁ ନିଆଯାଇଥିଲା ।