ନାଉଗାଁ ବ୍ଳକର ବିଭିନ୍ନ ଶୈବପୀଠରେ ଜାଗରଯାତ୍ରା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକର ବିଭିନ୍ନ ଶୈବପୀଠ ଯଥା ଗଙ୍ଗଦାର ମଉଳା ଭଣଜା, ତିହୁଡାର ଦକ୍ଷିଣେଶ୍ୱର, ନାଉଗାଁର ସାଧୂଗୋସ୍ୱାମୀ, ଘୋଡାଂଶର ଘୋଡେଶ୍ୱର, ନନ୍ଦିଗ୍ରାମର ନନ୍ଦିକେଶ୍ୱର, ତିରୁଣାର ସୁବଣ୍ଣେଶ୍ୱର, ଗଜରାଜପୁରର ତୁମ୍ବେଶ୍ୱର, ଗୋଠଦାର ଗୋଠେଶ୍ୱର, ତେଲସରର ରାମେଶ୍ୱର, ଡାହାଣୀଖିଆର ବାବା ଜଟାଧାରୀ, କୋରୁଅର ନିଳକଣ୍ଠେଶ୍ୱର, ଶାଳିଜଙ୍ଗାର ସିଦ୍ଧେଶ୍ୱର, ଅବଦଲପୁରର ଅମରନାଥ ଆଦି ଶୈବପୀଠରେ ମହାଶିବରାତ୍ରୀ ମଙ୍ଗଳବାର ପାଳିତ ହୋଇଯାଇଛି । ଏହି ଅବସରରେ ଶୈବପୀଠ ଗୁଡିକୁ ରଙ୍ଗ ବେରଙ୍ଗର ପୁଷ୍ପମାଳାରେ ସଜ୍ଜିତ କରାଯାଇଥିବା ବେଳେ ଦେବାଳୟ ଗୁଡିକରେ କୋଭିଡ କଟକଣା ଅନୁସାରେ ପୂଜାର୍ଚ୍ଚନା କରାଯାଇଛି । ରାତି ୧୧ଟା ପରେ ଅଧିକାଂଶ ଶୈବପୀଠ ଗୁଡିକରେ ମହାଦୀପ ଉଠିଥିବା ବେଳେ ନନ୍ଦିକେଶ୍ୱରଙ୍କ ପୀଠରେ ରାତ୍ର ୩ ଟାରେ ମହାଦୀପ ଉଠିଥିଲା । ମହାଦୀପ ଉଠିବା ସମୟରେ ଘଂଟଘଂଟା, ଶଙ୍ଖ, ହୁଳହୁଳି, ନାମ ସଂକୀର୍ତନ କରାଯାଇଥିଲା ।


