ନାବାଳକ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ନାବାଳକ ଦାଦନ ଶ୍ରମିକଙ୍କୁ ଅବିଳମ୍ବେ ଉଦ୍ଧାର କରାଯିବାକୁ ସେମାନଙ୍କ ମା’ମାନେ ଜିଲ୍ଲାପାଳଙ୍କୁ ଅତ୍ୟନ୍ତ ଆକୁଳ ହୋଇ ନିବେଦନ କରିଛନ୍ତି । ଅଭିଯୋଗ ଅନୁଯାଇ ନିକିରାଇ ଥାନା ଅନ୍ତର୍ଗତ ବାରୋ ଗ୍ରାମ ଦଳିତ ସାହିର କେତେକ ଦଳିତ ବର୍ଗର ମହିଳା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା ସେମାନଙ୍କ ନାବାଳକ ପିଲାମାନଙ୍କ ଜୀବନପ୍ରତି ବିପଦ ଥିବାରୁ ତୁରନ୍ତ ସେମାନଙ୍କୁ ସେଠାରୁ ଉଦ୍ଧାର କରାଯିବାକୁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ସେମାନଙ୍କ ଗ୍ରାମରେ କୌଣସି କାମଧନ୍ଦା ନ ଥିବାରୁ ଲକ୍‌ଡାଉନ ସମୟରେ ପରିବାରର ଦୈନିକ ଖାଦ୍ୟାଭାବ ଦେଖାଦେଇଥିଲା । ସେହି ଦଳିତ ସାହିର କେତେକ ଅଳ୍ପ ବୟସ୍କ ଯୁବକମାନେ ଖାଦ୍ୟ ଅଭାବର ଶିକାର ହୋଇ ଅନ୍ନବସ୍ତ୍ର ଓ ହାତ ଖର୍ଚ୍ଚ ଅଭାବରେ ପଡି ଜୀବନ ଜୀବିକା ଖୋଜୁଥିବା ସମୟରେ ସେହି ଗ୍ରାମର ସୁରେନ୍ଦ୍ର ମଳିକଙ୍କ ପୁଅ କାଳନ୍ଦି ମଳିକ ସହ ଦେଖାହୋଇଥିଲା । ସେ ଜଣେ ଠକ ଓ ପ୍ରତାରକ ବୋଲି ପିଲାମାନେ ଜାଣିପାରିନଥିଲେ । କାଳନ୍ଦୀ ପିଲାମାନଙ୍କୁ ମାସିକ ୧୨ହଜାର ଟଙ୍କାର ମଜୁରୀ ଲୋଭ ଦେଖାଇ ଭୂବନେଶ୍ୱରରେ ୮ଘଣ୍ଟା କାମ କରିବାକୁ ପ୍ରତିଶ୍ରୁତି ଦେଇ ଲୋଭଗ୍ରସ୍ତ କରିଦେଇଥିଲା । ଗତ ସେପ୍ଟେମ୍ବରମାସ ୧୮ତାରିଖରେ ଏକ ବସରେ ତରାଣ୍ଡ ଛକରୁ ବାରୋ ଦଳିତସାହି ଗ୍ରାମର ଅଞ୍ଜନ ମଳିକଙ୍କ ପୁଅ ସୋମନାଥ ମଳିକ(୧୭), ପ୍ରକାଶ ମଳିକଙ୍କ ପୁଅ ତୁସାର ମଳିକ(୧୭), ବଳରାମ ମଳିକଙ୍କ ପୁଅ ବବୁଲ୍ ମଳିକ(୧୬), ଦାମୋଦର ମଳିକଙ୍କ ପୁଅ ଶରତ ମଳିକ(୧୬) ପ୍ରମୁଖଙ୍କୁ ନେଇଗଲେ । ପର ଦିନ ସେହି ପିଲାମାନଙ୍କୁ କହିଲେ କି ଭୂବନେଶ୍ୱର ବଦଳରେ ତାମିଲନାଡୁରେ ଅଧିକ ୫ହଜାର ଟଙ୍କା ମିଳିବ ବୋଲି କହି ସେଠାକୁ ନେଇଯାଇଥିଲେ କାଳନ୍ଦି । ତାମିଲନାଡୁର ସାଲେମ ଅଞ୍ଚଳରେ ଏକ ପେପର କଟିଂ ମିଲ(କାଟୁନ ମିଲ)ରେ ୮ଘଣ୍ଟା ବଦଳରେ ୧୨ଘଣ୍ଟା ସେହି ପିଲାମାନଙ୍କୁ ଖଟାଉଥିବା ଅଭିଯୋଗ ହୋଇଛି । ପିଲାମାନେ ରୋଗରେ ପଡିଲେ ସେମାନଙ୍କୁ ଚିକିତ୍ସା କରାଯାଉନଥିବା ମଧ୍ୟ ଅଭିଯୋଗ ହୋଇଛି । ସେଠାକୁ ଯାଇ ଖଟିବାର ୩ମାସ ମଧ୍ୟରେ ଟଙ୍କାଟିଏ ମଧ୍ୟ ପିଲାମାନଙ୍କୁ ମଜୁରୀ ପ୍ରଦାନ କରାଯାଇନାହିଁ । ମଜୁରୀ ମାଗିଲେ ପିଲାମାନଙ୍କୁ ମରଣାନ୍ତଙ୍କ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି । ସେହି ପିଲାମାନେ ମାଡଖାଇ ବେହୋସ ହୋଇପଡିଥୁବା ଅଭିଯୋଗ ହୋଇଛି । ଗତ ଦୁଇଦିନ ହେବ ସେମାନଙ୍କୁ ଏକ କୋଠରୀ ଭିତରେ ଆବଦ୍ଧ କରି ରଖାଯାଇଛି ବୋଲି ସେମାନଙ୍କ ମା’ମାନେ ଅଭିଯୋଗ କରିଛନ୍ତି । ତେଣୁ ଏହି ଘଟଣାର ତଦନ୍ତ କରାଯିବା ସହିତ ତୁରନ୍ତ ସେମାନଙ୍କ ପିଲାମାନଙ୍କୁ ସେଠାରୁ ଉଦ୍ଧାର କରାଯିବାକୁ ଏବଂ ସଂପୃକ୍ତ ଅପରାଧୀମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ପିଲାମାନଙ୍କ ସମସ୍ତ ଦରମା ଓ କ୍ଷୟକ୍ଷତି ଭରଣା କରାଯିବାକୁ ଜାନକି ମଳିକ, ଟୁନି ମଳିକ, ରଶ୍ମିତା ମଳିକ ଓ ଉର୍ମିଳା ମଳିକ ପ୍ରମୁଖ ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ