ନାଉଗାଁ ବ୍ଳକରେ ବାଉଁଶ ଖୁଂଟିରେ ଚାଲିଛି ବିଦ୍ୟୁତ ସେବା

ନାଉଗାଁ, (ଓ୍ବାଇଏନ୍ଏସ୍):ବିଦ୍ୟୁତ ସେବାରେ ସୁଧାର ଆଣିବା ସହିତ ଗ୍ରାମାଂଚଳରେ ଉପଭୋକ୍ତାମାନଙ୍କୁ ସହଜ ଓ ସୁବିଧାରେ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ନିରବଚ୍ଛିନ୍ନ ଉଦ୍ୟମ ଜାରି ରହିଛି । ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଉକ୍ତ ବ୍ଳକରେ ଟାଟା କମ୍ପାନୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । କିନ୍ତୁ ଉକ୍ତ ବ୍ଳକରେ ବିଦ୍ୟୁତରେ ସୁଧାର ଆସିବା ପରିବର୍ତେ କେଉଁଠି ଛିଣ୍ଡା ତାରରେ ବିଦ୍ୟୁତ ଯୋଗାଇ ଦିଆଯାଇଛି ତ କେଉଁଠି ବାଉଁଶ ଖୁଂଟିରେ ବିଦ୍ୟୁତ ତାର ଯାଇଥିବା ଦେଖିବାକୁ ମିଳିଛି । ଅଧିକାଂଶ ଗାଁରେ ଏହିପରି ବିପଦପୂର୍ଣ୍ଣ ଭାବରେ ବିଦ୍ୟୁତ ତାର ଯାଇଥିବା ବେଳେ ବିଦ୍ୟୁତ ବିଭାଗର ଏଥିପ୍ରତି ନିଘା ନଥିବା ଦେଖାଦେଇଛି । ନାଉଗାଁ ବ୍ଳକର ନାଉଗାଁ ପଂଚାୟତ ଗୋଠଦା ଗ୍ରାମର ଗୋଠଦା-ଦହିପାଳକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତାର ପାଶ୍ୱର୍ରେ ଯାଇଥିବା ଏଲଟି ଲାଇନ ବାଉଁଶ ଖୁଂଟରେ ଯାଇଥିବା ଦେଖିବାକୁ ମିଳୁଛି । ଏହି ରାସ୍ତାରେ ଯାତ୍ରୀବାହୀ, ମାଲବାହୀ ଗାଡି ଯାତାୟତ କରୁଥିବା ବେଳେ ଚାଷ କାର୍ଯ୍ୟ କରିବା ପାଇଁ ଜନସାଧାରଣ ମାନେ ଏହି ବାଟ ଦେଇ ଚାଷ ଜମିକୁ ଯିବା କରିଥାନ୍ତି । ବିପଦପୂର୍ଣ୍ଣ ଅବସ୍ଥାରେ ବାଉଁଶ ଖୁଂଟରେ ତାର ଯାଇଥିବାରୁ କେତେ ବେଳେ କାହାର ଜୀବନ ଯିବ ତାହା କହି ହେବ ନାହିଁ । କେବଳ ଗୋଠଦା ଗ୍ରାମରେ ନୁହେଁ ଉକ୍ତ ବ୍ଳକର ବିଭିନ୍ନ ଗ୍ରାମରେ ତାର ତଳେ ଝୁଲୁଥିବା ଦେଖିବାକୁ ମିଳିଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ତାର ତଳେ ବିଭିନ୍ନ ଗୃହପାଳିତ ପଶୁ ଗାଁ ଗଣ୍ଡାରେ ବନ୍ଧା ହେଉଥିବାର ଦେଖିବାକୁ ମିଳିଛି । ଗ୍ରାମାଂଚଳରେ କେବୁଲ ମାଧ୍ୟମରେ ବିଦ୍ୟୁତ ସଂଯୋଗ କରିବାର ନିୟମ ରହିଥିଲେ ହେଁ ତାହା କରାଯାଉନାହିଁ । ଯାହାକି ବିଦ୍ୟୁତ ବିଭାଗର ବେପରୁଆ ମନୋଭାବ ଯୋଗୁ ଅନେକ ଧନ ଜୀବନ ମଧ୍ୟ ନଷ୍ଟ ହେବାର ନଜିର ରହିଛି । ତେଣୁ ବାଉଁଶ ଖୁଂଟରୁ ତାରକୁ ହଟାଇ କେବୁଲ ତାର ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବି ରବିନ୍ଦ୍ର ପଟ୍ଟନାୟକ,ଅର୍ଜ୍ଜୁନ ରାଉତ ଆଦି ପ୍ରଶାସନ ନିକଟରେ ଦାବି କରିଛନ୍ତି । ନାଉଗାଁ ବିଦ୍ୟୁତ ସେକ୍ସନ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ କମଳାକାନ୍ତ ବିଶୋଇଙ୍କର ଅନ୍ୟତ୍ର ସ୍ଥାନାନ୍ତର ପରେ ଉକ୍ତ ସ୍ଥାନରେ ଏପର୍ଯ୍ୟନ୍ତ କେହି ଯୋଗ ଦେଇ ନାହାନ୍ତି । ଏ ବିଷୟରେ ବାଲିକୁଦା ଏସଡିଓ ଦେବଦତ ଉପାଧ୍ୟାୟଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ