ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍
ଯୋଡ଼ା , (ଯୁଗାଦ୍ଦ ନ୍ୟୁଜ) କେନ୍ଦୁଝର ଜିଲା ଯୋଡା ଥାନା ଅଂଚଳରୁ ମଙ୍ଗଳବାର ଏକ ୭ ବର୍ଷର ନାବାଳିକାକୁ ଚାଇଲ୍ଡ ପକ୍ଷରୁ ଉଦ୍ଧାର କରାଯାଇଥିବା ଖବର ହସ୍ତଗତ ହୋଇଛି । ଚାଇଲ୍ଡ ଲାଇନ୍ ର ଚମ୍ପୁଆ ସଦସ୍ୟା ମାଧୁରୀବାଳା ସ୍ୱାଇଁଙ୍କଠାରୁ ମିଳିଥିବା ସୂଚାନୁଯାୟୀ ଜଣାପଡିଛି ଯେ, ଯୋଡା ଥାନାରେ ଜଣେ ୭ ବର୍ଷର ନାବାଳିକାକୁ ଉଦ୍ଧାର କରାଯାଇ ରଖାଯାଇଥିବା ଥାନା ପକ୍ଷରୁ ଚାଇଲ୍ଡ ଲାଇନ୍ କୁ ଖବର ଦିଆଯାଇଥିଲା । ଖବର ପାଇବା ପରେ ବିଭାଗ ପକ୍ଷରୁ ଯୋଡା ଥାନାରୁ ଉକ୍ତ ନାବାଳିକାକୁ ନିଆଯାଇ କାଶିପୁରସ୍ଥିତ ଶିଶୁ ମଙ୍ଗଳ ସମିତି ଠାରେ ଉପସ୍ଥାପନ କରାଯିବା ପରେ ନାବାଳିକାକୁ କେନ୍ଦୁଝରଠାରେ ଥିବା ମୁକ୍ତାଶ୍ରୟ ରେ ରଖାଯିବ ବୋଲି ଚାଇଲ୍ଡ ଲାଇନର ସଦସ୍ୟା ମାଧୁରୀବାଳା ସ୍ୱାଇଁ କହିଛନ୍ତି । ନାବାଳିକା ଜଣକ ସ୍ପଷ୍ଟ ଭାବେ ନିଜର ପରିଚୟ ଦେଇପାରିନଥିବା ବେଳେ ତାଙ୍କ ଘର କେବଳ ଭୁବନେଶ୍ୱର ବୋଲି ପୋଲିସ ଓ ଚାଇଲ୍ଡ ଲାଇନ୍୍ ସଦସ୍ୟାଙ୍କୁ କହୁଥିବା ଜଣାପଡିଛି । ଉକ୍ତ ନାବାଳିକାଟି ଯୋଡା ସହରର ବସ୍ଷ୍ଟାଣ୍ଡଠାରେ ଏଣେତେଣେ ବୁଲୁଥିବା ଦେଖି କିଛି ଘରୋଇ ସୁରକ୍ଷା କର୍ମୀମାନେ ନାବାଳିକାଟିକୁ ନେଇ ପୋଲିସରେ ଜିମା ଦେଇଥିଲେ । ଯୋଡା ଥାନା ପୋଲିସ ପକ୍ଷରୁ ଏକ ଷ୍ଟେସନ ଡାଏରୀ କରଯାଇ ନାବାଳିକାକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଥିବା ଥାନା ସବଇନ୍ସପେକ୍ଟର ସାଗରିକା ମହାନ୍ତି ସୂଚନା ଦେଇଛନ୍ତି । ଉକ୍ତ ନାବାଳିକା ଜଣେ ନେପାଳୀ ସଂପ୍ରଦାୟର ବୋଲି ଜଣାପଡିଛି ।


