ନାବାଳିକାକୁ ଦୁଷ୍କର୍ମ ମାମଲାରେ ସ୍ୱତନ୍ତ୍ର ଜଜଙ୍କ ୩ବର୍ଷ ଜେଲଦଣ୍ଡାଦେଶ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ); ଏକ ୭ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅତିରିକ୍ତ ଜିଲ୍ଲାଦୈାରାଜଜ ତଥା ସ୍ୱତନ୍ତ୍ର ଜଜ ଏମ.ଆର.ଦୋରା ଅଭିଯୁକ୍ତକୁ ୩ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୩ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟଙ୍କ ନିର୍ଦେଶରେ ଉଲ୍ଲେଖ ରହିଛି । ଅଭିଯୋଗ ଅନୁଯାଇ ଗତ ୨୦୧୮ ମସିହା ଡିସେମ୍ବରମାସ ୨୨ତାରିଖ ମଧ୍ୟାହ୍ନ ୧୨ଟା ସମୟରେ ଜନୈକ ୭ବର୍ଷ ବୟସର ନାବାଳିକା ଆଳି ଥାନା ଅନ୍ତର୍ଗତ ମାନପୁର ବଜାରରୁ ଏକ ଦିଆସିଲ କିଣି ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ଟିକନ ମଳିକ ସଂପୃକ୍ତ ନାବାଳିକାକୁ ଏକ ଅଙ୍ଗନଫ୍ୱାଡି ଗୃହ ମଧ୍ୟକୁ ଜୋରଜବରଦସ୍ତି ଟେକି ନେଇ ଦୁଷ୍କର୍ମ କରିଥିବା ସମ୍ପର୍କରେ ନାବାଳିକାଙ୍କ ମା’ ଆଳି ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତ୍ତି କରି ଆଳି ଥାନା ପୋଲିସ ଆଇପିସିର ଦଫା ୩୪୧, ୩୨୩, ୩୫୪(କ) ଓ ୮ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରିବା ସହ ମାମଲାର ତଦନ୍ତ କରି କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲେ । ଜି.ଆର.ନମ୍ବର ୮୬/୨୦୧୮ରେ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଦୈାରାଜଜ ତଥା ସ୍ୱତନ୍ତ୍ର କୋର୍ଟର ଜଜ ଶ୍ରୀ ଦୋରା ମାମଲାର ବିଚାର କରି ଗତ ସୋମବାର ଅଭିଯୁକ୍ତ ଟିକନ ମଳିକକୁ ୩୨୩ଦଫାରେ ୩ମାସ,୩୪୧ଦଫାରେ ୧୫ଦିନ ଏବଂ ୩୫୪(କ) ଓ ୮ପୋକ୍ସୋ ଆଇନରେ ୩ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୩ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ମନୋଜ କୁମାର ସାହୁ ମାମଲା ପରିଚାଳନା କରୁଥିଲେ ।