ନାମାଙ୍କନ ପତ୍ର ଦାଖଲ କରିପାରିଲେନି ପ୍ରାର୍ଥୀ : ଦୁଇଟି ପଞ୍ଚାୟତରେ ଗ୍ରାମବାସୀ ପକାଇଲେ ତାଲା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ସ୍ଥାନୀୟ ବ୍ଳକର ପ୍ରାୟ ୨୨ଟି ପଞ୍ଚାୟତରେ ଭୋଟରଙ୍କ ନାମ ବାଦ ପଡିବା, ଆଶାୟୀ ପ୍ରାର୍ଥୀଙ୍କ ନାମ ନଥିବା, ନିଜ ୱ।ର୍ଡରେ ଭୋଟରଙ୍କ ନାମ ନ ଥାଇ ଅନ୍ୟ ୱ।ର୍ଡରେ ନାମ ରହିଥିବା ପ୍ରତିବାଦରେ ମୋହନା ବ୍ଳକର ଦୁଇଟି ପଞ୍ଚାୟତରେ ଲୋକେ ପକାଇଛନ୍ତି ତାଲା । ସ୍ଥାନୀୟ ପଞ୍ଚାୟତ ଅଧିନ ଧନୁପଙ୍କ ଗ୍ରାମର ୧୫ ନମ୍ବର ୱ।ର୍ଡର ୮୦ ଭୋଟରଙ୍କ ନାମ ତାଲିକାରେ ଆଦୌ ନ ଥିବାରୁ ସରପଞ୍ଚ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀନୀ ସୋମବାର ସୁନିତା ମଳିକ ବ୍ଳକକୁ ଆସିଥିଲେ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିନପାରି ଦୁଃଖ ପ୍ରକାଶ କରିଥିଲେ । ସେହିପରି ୧୧,୧୨, ୧୩,୧୪ ନମ୍ବର ୱ।ର୍ଡର ଭୋଟରଙ୍କ ନାମ ପରିବର୍ତ୍ତନ ଓ ତାଲିକାରୁ ବାଦ ପଡିଥିବା ଜଣାପଡିଛି । ମୋହନା ପଞ୍ଚାୟତର ଖାରିଗୁଡା ୱ।ର୍ଡ ନମ୍ବର ୪ରେ ୱ।ର୍ଡ ସଭ୍ୟା ଭାବେ ଆଶାୟୀ ପ୍ରାର୍ଥୀ ମିନି ନାୟକଙ୍କ ନାମ ଭୋଟର ତାଲିକାରୁ ବାଦ ପଡିଥିବା ଯୋଗୁଁ ସେ ବ୍ଲକ କାର୍ଯ୍ୟାଳୟକୁ ଅଭିଯୋଗ କରିବା ପାଇଁ ଆସିଥିଲେ । କିନ୍ତୁ ସୁଫଳ ନ ପାଇ ନିରାଶରେ ଫେରିଥିଲେ । ସେହିପରି ଜିରାଙ୍ଗ ପଞ୍ଚାୟତରେ ସମିତିସଭ୍ୟା ପାଇଁ ଆଶାୟୀ ପ୍ରାର୍ଥୀ ଭାବେ ସୁଲକ୍ଷଣି ବେହେରଦଳାଇ ଓ ତାଙ୍କ ସମର୍ଥକମାନେ ଆସିଥିବା ବେଳେ ତାଙ୍କ ନାମ ବାଦ ପଡିଥିବା ଓ କରଚବାଡି ପଞ୍ଚାୟତର ୬ ନମ୍ବର ୱ।ର୍ଡରେ ଅନ୍ତର୍ଭୁକ୍ତ ଲୁଦୁପଙ୍କା, ତାଲିମେରା,ରାଲଡିପଙ୍କା, ଓ ବୁଡ୍ରିଙ୍ଗ, କନ୍ଧ ଅଡବା,ରାଜମା, ହଲାଗାଡି ଆଦି ଗ୍ରାମର ପ୍ରାୟ ୪୦୦ ଭୋଟର ତାଲିକାରେ ନାମ ନାହିଁ । ଲୁଦୁପଙ୍କା ଗ୍ରାମର ସମିତି ସଭ୍ୟ ପାଇଁ ଆଶାୟୀ ପ୍ରାର୍ଥୀ ଦାଉଦ ଗମାଙ୍ଗଙ୍କ ତାଲିକାରେ ନାମ ନଥିବାରୁ ସେ ନାମାଙ୍କନ ପତ୍ର ଦାଖଲ କରିପାରିଲେ ନାହିଁ । ଉକ୍ତ ପଞ୍ଚାୟତ ଅଧିନ ଖଜୁରୀପଦା, ଲୁଦୁହେରି, ବୁଢାପଙ୍କା ଗ୍ରାମର ୨୨୦ ଭୋଟରଙ୍କ ନାମ ତାଲିକାରୁ ବାଦ ପଡିଛି । ସେହିପରି ସ୍ଥାନୀୟ ବ୍ଳକର ୨୨ଗୋଟି ପଞ୍ଚାୟତରେ ଭୋଟର ମାନଙ୍କ ତାଲିକାରେ ବାଦ ପଡିଥିବାରୁ ଭୋଟରମାନେ ବାରମ୍ଵାର ବ୍ଳକ କାର୍ଯ୍ୟାଳୟକୁ ଆସି ବିଡିଓଙ୍କୁ ଅଭିଯୋଗ କରିଆସୁଥିଲେ ମଧ୍ୟ ସେଥିରେ କୌଣସି ସୁଫଳ ନ ମିଳିବାରୁ ଜିଲ୍ଲାପାଳଙ୍କୁ ମଧ୍ୟ ଫାକ୍ସ ଜରିଆରେ ଏବଂ ଇମେଲ ଯୋଗେ ଜଣାଇବା ପରେ ଜିଲ୍ଲାପାଳ ଏହାର ସମାଧାନ କରିବାପାଇଁ ମେଲ ଯୋଗେ ବ୍ଳକକୁ ଜଣାଇଥିଲେ । ତଥାପି ସମସ୍ୟାର ସମାଧାନ ନହେବାରୁ ବିଭିନ୍ନ ପଞ୍ଚାୟତରୁ ଆଶିଥିବା ଲୋକେ ୩ ଘଣ୍ଟାଧରି ବ୍ଳକ କାର୍ଯ୍ୟାଳୟ ଫାଟକ ଆଗରେ ଧାରଣା ଦେଇଥିଲେ । ପରେ ମୋହନା ଥାନା ଅଧିକାରୀ ପହଞ୍ଚି ବିଡିଓଙ୍କ ସହ ଆଲୋଚନା କରିବାପରେ ଧାରଣାରେ ବସିଥିବା ଲୋକଙ୍କୁ ବୁଝାସୁଝା କରି ସମସ୍ୟାର ସମାଧାନ କରାଯିବ ବୋଲି ଆଶ୍ଵସନା ଦେବାରୁ ଲୋକେ ଧାରଣାରୁ ହଟିଥିଲେ । କିନ୍ତୁ ବୁଧବାର ସୁଦ୍ଧା ସମସ୍ୟାର ସମାଧାନ ନହେବାରୁ ଦିନ ପ୍ରାୟ ୧୧ଟାରେ ଧନୁପଙ୍କ ଓ କରଚବାଡି ପଞ୍ଚାୟତର ଲୋକେ ଶହଶହ ସଂଖ୍ୟାରେ ନିଜ ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ବାଚନ ଅଧିକାରୀ ଉପସ୍ଥିତ ଥିବା ବେଳେ ବାହାରୁ ତାଲା ପକାଇ ଦେଇଥିଲେ । ଲୋକେ ୪ଘଣ୍ଟା ଧାରଣାରେ ବସିବା ପରେ ସ୍ଥାନୀୟ ତହସିଲଦାର କିଶୋର ଚନ୍ଦ୍ର ଦାସ ଓ ପୁଲିସ ଅଧିକାରୀ ପହଞ୍ଚି ସମସ୍ୟାର ସମାଧାନ ତୁରନ୍ତ କରାଯିବାକୁ ଚେଷ୍ଟା କରାଯିବ ବୋଲି ପ୍ରତିଶୃତି ଦେବାରୁ ପଞ୍ଚାୟତର ଲୋକେ ତାଲା ଖୋଲିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ