ନାରୀ ସୁନ୍ଦର ଦିଶିବା ପାଇଁ କଣ କରିବେ !
ସଂସାରର ପ୍ରତ୍ୟେକ ନାରୀ ସୁନ୍ଦରୀ ହେବା ପାଇଁ ଚାହିଁଥାଆନ୍ତି  । ତା’ ମନରେ ସବୁବେଳେ ଅଭିଳାଷ ଥାଏ ତା’କୁ କେହି ପ୍ରଶଂସା କରୁ  । ତା’ର ସୌନ୍ଦର୍ଯ୍ୟକୁ କେହି ତାରିଫ୍ କରୁ  । ଖାସ୍ କରି ପୁରୁଷ ଆଖିରେ ଆକର୍ଷଣୀୟା ହୋଇ ରହିବା ପାଇଁ ଚାହିଁଥାଆନ୍ତି ସଂସାରର ପ୍ରତ୍ୟେକ ନାରୀ  । ହେଲେ ଆଜିର ଆଧୁନିକ ଯୁଗରେ କର୍ମବ୍ୟସ୍ତତା ଯୋଗୁଁ ଅନେକ ମହିଳା ଓ ଯୁବତୀ ନିଜର ସୌନ୍ଦର୍ଯ୍ୟ ପ୍ରତି ଗୁରୁତ୍ୱ ଦେଇପାରୁନଥିବା ଦେଖାଯାଇଛି  । ଏମିତିକି ହାତରେ ପ୍ରଚୁର ପଇସା ଥିଲେ ମଧ୍ୟ ସେମାନଙ୍କୁ ବିଉଟି ପାର୍ଲର୍କୁ ଯିବା ଲାଗି ସେମାନଙ୍କ ନିକଟରେ ସମୟ ନଥାଏ  । ସେମାନେ ଯେତେବେଳେ ଫୁରସତ୍ ପାଇଥାଆନ୍ତି ସେତେବେଳେ ନିଜର ସୌନ୍ଦର୍ଯ୍ୟ ନେଇ ବହୁତ ବ୍ୟତିବ୍ୟସ୍ତ ହୋଇପଡ଼ିଥାଆନ୍ତି । ତେବେ ଏଥିପ୍ରତି ଆଦୌ ବିଚଳିତ ହେବା ଉଚିତ ନୁହେଁ  । ସାମାନ୍ୟ ସମୟ ଦେଇପାରିଲେ ଓ ଟିକିଏ ପରିଶ୍ରମ କଲେ ଆପଣ ଅନ୍ୟମାନଙ୍କଠାରୁ ବହୁତ ସୁନ୍ଦରୀ ଦିଶିପାରିବେ  । ଏଥିପାଇଁ କ’ଣ କ’ଣ କରିବାକୁ ପଡ଼ିବ ତାହା ନିମ୍ନରେ ପ୍ରଦତ୍ତ କରାଗଲା  ।
ତ୍ୱଚାକୁ ଜାଣନ୍ତୁ : ଆପଣ ମୁହଁରେ ଯାହା କିଛି କ୍ରିମ୍ ବା ଲୋସନ୍ ପ୍ରୟୋଗ କରୁଛନ୍ତି ତାହା ପୂର୍ବରୁ ଆପଣ ଆପଣଙ୍କ ତ୍ୱଚାକୁ ଜାଣିବା ନିହାତି ଆବଶ୍ୟକ  । ଏହା ଜାଣିବା ଦ୍ୱାରା ଆପଣ ମୁହଁରେ କେଉଁ କ୍ରିମ୍ ଲଗାଇବେ ତାହା ଚୟନ କରିପାରିବେ  । ଯଦି ଆପଣଙ୍କ ତ୍ୱଚା ତେଲିଆ ତାହା ହେଲେ ଆପଣ ତୈଳମୁକ୍ତ କ୍ରିମ୍ ବ୍ୟବହାର କରିବା ଆବଶ୍ୟକ  । ଯଦି ଆପଣଙ୍କ ତ୍ୱଚା ଶୁଷ୍କ ତାହା ହେଲେ ଆପଣ ତେଲିଆ କ୍ରିମ୍ ବ୍ୟବହାର କରିବା ଭଲ  ।
ଶାରୀରିକ ଗଠନ ପ୍ରତି ଗୁରୁତ୍ୱ : ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଶାରୀରିକ ଗଠନ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ  । ସେଥିପାଇଁ ସନ୍ତୁଳିତ ଭୋଜନର ଆବଶ୍ୟକତା ରହିଛି  । ଅନେକ ମୋଟି ମହିଳା ଅଛନ୍ତି ଯେଉଁମାନେ ପତଳା ହେବା ପାଇଁ ଅଧିକାଂଶ ସମୟ ଭୋକିଲା ରହିଥାଆନ୍ତି  । ମାତ୍ର ଏହା ଆଦୌ ଠିକ୍ ନୁହେଁ  । ଏଭଳି କରିବା ଦ୍ୱାରା ପତଳା ହେବା ପରିବର୍ତ୍ତେ ବିଭିନ୍ନ ପ୍ରକାର ପେଟ ରୋଗ ଉତ୍ପନ୍ନ ହୋଇଥାଏ  । ସେହିପରି ଅଧିକ ପତଳା ହେବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ  । ତେଣୁ ଶାରୀରିକ ଗଠନ ମଧ୍ୟମ ହେବା ଜରୁରୀ  । ଯେଉଁମାନେ ମୋଟି ସେମାନେ ତୈଳଯୁକ୍ତ, ଫାଷ୍ଟଫୁଡ଼, ଅଧିକ ସିଝା, ରାଗ, ମସଲାଯୁକ୍ତ, ମିଠା ଖାଦ୍ୟଠାରୁ ଦୂରେଇ ରହି ପ୍ରଚୁର ପରିମାଣରେ ସାଲାଡ଼, ପନିପରିବା ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ  ।
ପ୍ରଚୁର ପାଣି ପିଅନ୍ତୁ : ପ୍ରଚୁର ଜଳପାନ କରିବା ଦ୍ୱାରା ଶରୀର ମଧ୍ୟରେ ଥିବା ବିଷାକ୍ତ ପଦାର୍ଥଗୁଡ଼ିକ ମଳ, ଝାଳ, ମୂତ୍ର ଦେଇ ନିର୍ଗତ ହୋଇଯାଏ  । ଯାହା ଦ୍ୱାରା ଶରୀରର ତ୍ୱଚା କୋମଳ ରହିବା ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥାଏ । ସେହିପରି ପ୍ରଚୁର ପାଣି ପିଇବା ଦ୍ୱାରା ଖାଦ୍ୟର ପରିମାଣ ମଧ୍ୟ କମିଯାଇଥାଏ  । ଜଣେ ମହିଳା ବା ଯୁବତୀ ଦିନକୁ ଅତି କମ୍ରେ ୮ରୁ ୧୦ ଗ୍ଲାସ୍ ପାଣି ପିଇବା ଆବଶ୍ୟକ  ।
ଭୋଜନ ସମୟ : ପ୍ରତ୍ୟେକ ନାରୀ ରାତି ୮ଟା ପୂର୍ବରୁ ଭୋଜନ କରିବା ଆବଶ୍ୟକ  । ଯାହା ଦ୍ୱାରା ଖାଦ୍ୟ ଠିକ୍ ରୂପେ ହଜମ ହୋଇଥାଏ ଏବଂ ଶରୀରକୁ ଆବଶ୍ୟକ ପୋଷଣ ତତ୍ତ୍ୱ ମିଳିପାରିଥାଏ  । ମାତ୍ର ବିଳମ୍ବିତ ରାତ୍ରରେ ଭୋଜନ କରିବା ଦ୍ୱାରା ହଜମ ପ୍ରକ୍ରି୍ରୟା ବ୍ୟାହତ ହେବା ସହ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥାଏ  । ସେହିପରି ଦିନରେ ମଧ୍ୟ ନିର୍ଦ୍ଧାରିତ ସମୟରେ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ  । ଖାଦ୍ୟ ଗ୍ରହଣରେ ଅନିୟମିତା ଦେଖାଦେଲେ ଶରୀର ଉପରେ ବିଭିନ୍ନ କୁପ୍ରଭାବ ପଡ଼ିବା ସହ ଚର୍ମ ରୁକ୍ଷ ହୋଇଯାଏ ଏବଂ ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ  ।
ଲଗାନ୍ତୁ ସନ୍ସ୍କ୍ରିନ୍ : ସୂର୍ଯ୍ୟ କିରଣର କୁପ୍ରଭାବ ଯୋଗୁଁ ଅନେକ ସମୟରେ ଶରୀରର ତ୍ୱଚା ରୁକ୍ଷ ଓ ଅସୁନ୍ଦର ହୋଇଯାଏ  । ଏଥିରୁ ରକ୍ଷା ପାଇବା ପାଇଁ ସନ୍ସ୍କ୍ରିନ୍ କ୍ରିମ୍ ଆପଣାନ୍ତୁ  । ବିଶେଷ କରି ଘରୁ ପଦାକୁ ଗଲା ବେଳେ ସନ୍ସ୍କ୍ରିନ୍ କ୍ରିମ୍ ଲଗାଇବା ଲାଗି ଭୁଲନ୍ତୁନାହିଁ  । ଏଭଳି କଲେ ଆପଣଙ୍କ ଚର୍ମର୍ରେ ଉଜ୍ଜ୍ୱଳତା ଆସିବା ସହ ସୌନ୍ଦର୍ଯ୍ୟ ବୃଦ୍ଧିପାଇବ ଏବଂ ସୂର୍ଯ୍ୟ କିରଣରୁ ସୃଷ୍ଟି ହେଉଥିବା ଦାଗରୁ ଆପଣ ମୁକୁଳିପାରିବେ  ।
ମକ୍ସରାଇଜର୍ ଆପଣାନ୍ତୁ : ବହୁ ବିଶିଷ୍ଟ ଚର୍ମ ବିଶେଷଜ୍ଞଙ୍କ ମତରେ ମକ୍ସରାଇଜର୍ ଆପଣାଇବା ଦ୍ୱାରା ଚର୍ମ କୋମଳ, କାନ୍ତିଯୁକ୍ତ ଓ ସୁନ୍ଦର ରହିଥାଏ  । ତେଣୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଦୁଇରୁ ତିନି ବୁନ୍ଦା ମକ୍ସରାଇଜର୍ ପ୍ରତିଦିନ ହାତ, ମୁହଁ ଓ ଗଳାରେ ଲଗାନ୍ତୁ  । ଏହା ମଧ୍ୟ ସୂର୍ଯ୍ୟ କିରଣରୁ ତ୍ୱଚାକୁ ରକ୍ଷା କରିଥାଏ  ।
ଯଥେଷ୍ଟ ଶୁଅନ୍ତୁ : ବର୍ତ୍ତମାନ ଯୁଗରେ ମହିଳାମାନେ ଅଧିକ କର୍ମବ୍ୟସ୍ତ ରହୁଥିବାରୁ ଠିକ୍ ଭାବେ ଶୋଇପାରିନଥାଆନ୍ତି  । ଯାହା ଶରୀରର ସୌନ୍ଦର୍ଯ୍ୟ ଉପରେ ଗଭୀର କୁପ୍ରଭାବ ପକାଇଥାଏ  । ତେଣୁ ପ୍ରତ୍ୟେକ ମହିଳା ବା ଯୁବତୀ ସୌନ୍ଦର୍ଯ୍ୟ ରକ୍ଷା ପାଇଁ ଯଥେଷ୍ଟ ପରିମାଣର ଶୋଇବା ଆବଶ୍ୟକ  । ସଠିକ୍ ନିଦ୍ରା ଯିବା ଦ୍ୱାରା ଚେହେରାରେ ନୂଆ ଚମକ୍ ଆସିଥାଏ  । ନିଦରୁୁ ଉଠିବା ପରେ ଭଲ ଭାବରେ ମୁହଁକୁ ଧୋଇ ଲାଲ୍ ରଙ୍ଗର ହାଲ୍କା କ୍ରିମ୍ ଲଗାଇବା ସହ ଆଖିରେ ବ୍ରାଣ୍ଡେଡ଼ କମ୍ପାନୀର କଜଳ ଲଗାଇପାରିବେ  । ଏହା ପରେ ଅଙ୍ଗୁର କୋଳି ମଞ୍ଜିରୁ ପ୍ରସ୍ତୁତ ସ୍ୱତନ୍ତ୍ର ଧରଣର ତୈଳ ଲଗାଇବା ଦ୍ୱାରା ଚେହେରାରେ ନୂଆ ଲୁକ୍ ଆସିଥାଏ  ।
ନିଜେ ସଫା କରନ୍ତୁ ମୁହଁ : ଆଜିକାଲି ଯୁବତୀ ଓ ମହିଳାମାନେ ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ବହୁଳ ଭାବରେ ବିଉଟି ପାର୍ଲର୍ ଯାଉଥିବା ପରିଲକ୍ଷିତ ହେଉଛି  । ଏହା ଦ୍ୱାରା ଚେହେରା ସାମୟିକ ସୁନ୍ଦର ଦେଖାଯାଉଥିଲେ ମଧ୍ୟ ପ୍ରଚୁର ପଇସା ଖର୍ଚ୍ଚ ହେବା ସାଙ୍ଗକୁ ସୌନ୍ଦର୍ଯ୍ୟରେ ସ୍ଥାୟୀତ୍ୱ ରହିନଥାଏ  । ତେଣୁ ଆପଣ ନିଜେ ଚାହିଁଲେ ନିଜ ମୁହଁକୁ ଭଲ ଭାବେ ସଫା କରି ଚେହେରାକୁ ସୁନ୍ଦରତା ପ୍ରଦାନ କରିପାରିବେ  । ଦିନରେ ଦୁଇରୁ ତିନି ଥର ମୁହଁକୁ ଗୋଲାପ ଜଳରେ ସଫା କରିବା ଆବଶ୍ୟକ  । ଯଦି ଆପଣଙ୍କୁ ହଠାତ୍ କୌଣସି କାର୍ଯ୍ୟକ୍ରମରେ ଯୋଗଦେବାକୁ ପଡ଼ୁଥାଏ, ତାହା ହେଲେ ଅଳ୍ପ କିଛି ପାଣିରେ ଦୁଇ ତିନି ବୁନ୍ଦା ଲେମ୍ବୁ ରସ ମିଶାଇ ଏକ ପାତ୍ରରେ ରଖନ୍ତୁ  । ପ୍ରଥମେ ମୁହଁରେ ଫେସ୍ୱାସ୍ ଲଗାଇବା ପରେ ଲେମ୍ବୁ ରସ ମିଶ୍ରିତ ଜଳରେ ମୁହଁକୁ ଭଲ ଭାବେ ଧୁଅନ୍ତୁ  । ଖୁବ୍ କମ୍ ସମୟରେ ଆପଣଙ୍କ ମୁହଁରେ ଉଜ୍ଜ୍ୱଳତା ଝଟକିଉଠିବ  ।
କୋଲ୍ଡ କ୍ରିମ୍ ଲଗାନ୍ତୁ : ରାତିରେ ଶୋଇବା ପୂର୍ବରୁ ମୁହଁରେ କୋଲ୍ଡ କ୍ରିମ୍ ଲଗାଇ କିଛି ସମୟ ବସନ୍ତୁ  । ତା’ପରେ ସ୍ୱତନ୍ତ୍ର ଧରଣର ଟିସ୍ୟୁ ପେପର୍ରେ ମୁହଁକୁ ଭଲ ଭାବେ ପୋଛି ଥଣ୍ଡା ପାଣିରେ ଧୋଇଦିଅନ୍ତୁ  । ଏଭଳି କରି ଆପଣ ଆପଣଙ୍କ ସ୍ୱାମୀଙ୍କୁ ନିଜ ଆଡ଼କୁ ଆକର୍ଷିତ କରିପାରିବେ  ।

 
             
						 
						 
						 
						 
						 
						
