ନାୟକ ସାର୍ଙ୍କୁ ନାଉଗାଁ ସାଂସ୍କୃତିକ ପରିଷଦ ତରଫରୁ ସମ୍ବର୍ଦ୍ଧନା
ନାଉଗାଁ, (ଓ୍ବାଇଏନ୍ଏସ୍):ବିନା ମୁଲ୍ୟରେ ଭାରତୀୟ ସେନା ପାଇଁ ଜବାନ ହେବା ଉଦ୍ଦେଶ୍ୟରେ ପ୍ରଶିକ୍ଷଣ ଦେଉଥିବା ନାଉଗାଁ ବ୍ଲକ ରୋହିଆ ପଂଚାୟତ ଅରଖକୁଦ ଗ୍ରାମର ନାୟକ ସାର୍ (ସିଲୁ ନାୟକ) ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ରବିବାର ଦେଶର ସମ୍ମାନନୀୟ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସିଲୁଙ୍କୁ ପ୍ରଶଂସା କରିବା ପରେ ସବୁଆଡୁ ସିଲୁଙ୍କ ପାଇଁ ଶୁଭେଛାର ସୁଅ ଛୁଟିଛି । ସେହିପରି ଭାବରେ ସୋମବାର ନାଉଗାଁ ସାଂସ୍କୃତିକ ପରିଷଦ ତରଫରୁ ପରିଷଦର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ସଂପାଦକ ସରୋଜ କୁମାର ନାୟକ, ସ୍ଥାନୀୟ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧକ୍ଷ ଡଃ.ଚାଇନା ପ୍ରଧାନ ,ବାଂଶ ପଂଚାୟତର ପୂର୍ବତନ ସରପଂଚ ସଚ୍ଚିଦାନନ୍ଦ ପରିଡା, ସମାଜସେବୀ ପ୍ରସନ୍ନଜିତ ସାହୁ ପ୍ରମୁଖ ସିଲୁଙ୍କୁ ତାଙ୍କ ମହାଗୁରୁ ବାଟାଲିୟାନର ତାଲିମ କେନ୍ଦ୍ରରେ ଭେଟି ଶୁଭେଛା ଜଣାଇବା ସହିତ ପୁଷ୍ପଗୁଛ ଏବଂ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।