ନିଆରା ପରମ୍ପରା : ରଥାରୁଢ଼ ହେବାକୁ କଳାଠାକୁର ଆସନ୍ତି ପାଲିଙ୍କି ରେ
ନିମାପଡ଼ା, (ସନ୍ତୋଷ ଦାଶ) :-ରାଜ୍ୟ ର ବିଭିନ୍ନ ସ୍ଥାନ ରେ ଅନୁଷ୍ଠିତ ହୋଇଥାଏ ଘୋଷଯାତ୍ରା। ତେବେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ତୁଳସୀପୁର ବ୍ରାହ୍ମଣ ଶାସନ ରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ଏକ ନିଆରା ଢଙ୍ଗରେ । ଏହି ଗ୍ରାମ ରେ ଆଜକୁ ୫୦ ବର୍ଷ ରୁ ଉର୍ଦ୍ଧ ହେବ ପାଳିତ ହୋଇ ଆସୁଛି ରଥଯାତ୍ରା । ତେବେ ଉକ୍ତ ଗ୍ରାମ ର ଗ୍ରାମବାସୀ ମାନେ ରଥ ନିର୍ମାଣ କରି ସାରିବା ପରେ ଯାଇ ପହଞ୍ଚନ୍ତି ଗ୍ରାମ ଠାରୁ ୩/୪ କିଲୋମିଟର ଦୂର ପ୍ରାଚୀନଦୀ କୂଳ ବନ୍ଦେଶ୍ୱର ଗ୍ରାମ ରେ। ସେଠାରେ ପୂଜାପାଇ ଆସୁଥିବା ପ୍ରଭୁ ଶ୍ରୀ ଗୁରୁଦେବ ଠାକୁର ଙ୍କୁ ନବ ବସ୍ତ୍ର ପିନ୍ଧାଇ, ପୁଷ୍ପ, ଅଳଙ୍କାର ରେ ଭୂଷିତ କରାଇ, ତାଙ୍କ ନିକଟରେ ଅନ୍ନ ପ୍ରସାଦ ଭୋଗ ଲାଗି କରାଇ ଏକ ସୁ ସଜ୍ଜିତ ପାଲିଙ୍କି ରେ ବାଣ ଫୁଟାଇ, ବାଜା ବଜାଇ ଏକ ଶୋଭାଯାତ୍ରା ରେ ନିଜ ଗାଁ କୁ ଆଣି ରଥାରୁଢ଼ କରାଇବା ପରେ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୁଏ । ଡାହୁକ ଗୀତ, ଘଣ୍ଟ ମୃଦଙ୍ଗ , ହରିବୋଲ ହୁଳହୁଳି ଶବ୍ଦ ରେ ରଥ ଗଡିଥାଏ ଗାଁ ଦାଣ୍ଡ ରେ। ଠାକୁର ଘର ଘର ଭୋଗ ଖାଇ ଶେଷରେ ପହଞ୍ଚନ୍ତି ଗାଁ ର ଆରାଧ୍ୟା ଦେବୀ ମା କନକ ଦୂର୍ଗା ଙ୍କ ମନ୍ଦିର ରେ । ସେହି ଦେବୀ ପୀଠ ୯ ଦିନ ପାଇଁ ପାଲଟିଯାଏ ଶ୍ରୀ ଗୁଣ୍ଡିଚା ମନ୍ଦିର ଭାବେ । ନେତ୍ରୋତ୍ସବ ଦିନ ଗାଁ ର ମହିଳା ମାନେ ମନ୍ଦିର କୁ ଶୁଦ୍ଧ ଜଳ ରେ ଧୁଆ ଧୋଇ କରି ପରିଷ୍କାର କରି ଦେଇଥାନ୍ତି । ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ମା କନକ ଦୂର୍ଗା ଙ୍କ ମନ୍ଦିର ରେ ଅବସ୍ଥାନ କରୁଥିବା ଶ୍ରୀ ଗୁରୁଦେବ ଠାକୁର ଙ୍କ ନିକଟରେ ଗ୍ରାମବାସୀ ମାନେ ପାଳି କରି ଅନ୍ନ ପ୍ରସାଦ, ଖିରି ଭୋଗ ଲାଗି କରିଥାନ୍ତି । ବାହୁଡା଼ ଯାତ୍ରା ଦିନ ଶ୍ରୀ ଗୁରୁଦେବ ଙ୍କୁ ରଥାରୁଢ଼ କରି ଗ୍ରାମବାସୀମାନେ ଗାଁ ଶେଷ ମୁଣ୍ଡ କୁ ନେଇଥାନ୍ତି । ବାଟରେ ମାଉସୀ ମା ଘର ଭାବେ ପରିଚିତ ଲଳିତ ଶତପଥୀ ଙ୍କ ପରିବାର ପକ୍ଷରୁ ପ୍ରସ୍ତୁତ ପୋଡ଼ ପିଠା ଭୋଗ ଠାକୁର ଙ୍କୁ ଅର୍ପଣ କରାଯାଏ । ରଥ ଉପରେ ସୁନାବେଶ, ଅଧରପଣା ନୀତି ପାଳନ ହୋଇଥାଏ । ନିଳାଦ୍ରୀ ବିଜେ ଦିନ ଠାକୁର ଙ୍କୁ ପାଲିଙ୍କି ରେ ବସାଇ ଏକ ଶୋଭାଯାତ୍ରା ରେ ତାଙ୍କ ବନ୍ଦେଶ୍ୱର ସ୍ଥିତ ମନ୍ଦିର କୁ ନେଇ ଗ୍ରାମବାସୀ ମାନେ ଛାଡି ଆସିଥାନ୍ତି । ୯ଦିନ ପାଇଁ ତୁଳସୀପୁର ବ୍ରାହ୍ମଣ ଶାସନ ପାଲଟି ଯାଏ ଦ୍ୱିତୀୟ ଶ୍ରୀ କ୍ଷେତ୍ର । ରଥଯାତ୍ରା ପାଇଁ ଗାଁ ଟି ଉତ୍ସବ ମୁଖର ହୋଇପଡେ । ବନ୍ଦେଶ୍ୱର ଗ୍ରାମ ର ଠାକୁର ଶ୍ରୀ ଗୁରୁଦେବ ପାଲିଙ୍କି ରେ ତୁଳସୀପୁର ଗ୍ରାମ କୁ ଯାଇ ରଥଯାତ୍ରା କରି ପୁଣି ସ୍ଵ ମନ୍ଦିର କୁ ଫେରିଆସିବା ଏକ ନିଆରା ପରମ୍ପରା ଭାବେ ରହି ଆସିଛି କାହିଁ କେତେ କାଳରୁ ।