ନିଆରା ମଣିଷ : ଟ୍ରାଫିକରେ ଛିଡ଼ା ହୋଇ ଜନହିତକର ସନ୍ଦେଶ ବାଣ୍ଟୁଛନ୍ତି କ୍ରିଷ୍ଣା
ଆଜିର ଜଞ୍ଜାଳମୟ ଜୀବନ ଭିତରେ ମଣିଷ ଏବେ ସ୍ୱାର୍ଥପର ହୋଇଯାଇଛି । ନିଜ କଥା ବ୍ୟତୀତ ଆଉ କାହା ବିଷୟରେ ଚିନ୍ତା କରିବାକୁ ତା’ ପାଖରେ ସମୟ ନାହିଁ । କିନ୍ତୁ ଏଭଳି ଭିଡ଼ ଭିତରେ କିଛି ମଣିଷ ଥାନ୍ତି, ଯେଉଁମାନେ ଅନ୍ୟର ସୁଖଦୁଃଖ, ବିପଦଆପଦରେ ଛିଡ଼ାହେବା ସହ ନିଜ ଜୀବନକୁ ଉତ୍ସର୍ଗ କରିଦିଅନ୍ତି । ସେମାନଙ୍କୁ କୁହାଯାଏ ରିୟଲ୍ ହିରୋ । ଆଉ ଏହି ରିୟଲ୍ ହିରୋ ମଧ୍ୟରୁ ଅନ୍ୟତମ ହେଉଛନ୍ତି କ୍ରିଷ୍ଣା ଦାସ । ଦୀର୍ଘବର୍ଷ ହେବ ସେ ମୁମ୍ବାଇର ବ୍ୟସ୍ତବହୁଳ ଜୁହୁ ସର୍କଲ ସିଗ୍ନାଲରେ ନିଆରା ସାଧନା କରୁଛନ୍ତି । ଖରା ହେଉ କି ବର୍ଷା କ୍ରିଷ୍ଣା ହାତରେ ପୋଷ୍ଟର ଧରି ଛିଡ଼ା ହୋଇଥାନ୍ତି । ଏଥିରେ ମାନବତା ସହ ଜଡ଼ିତ କିଛି ନା କିଛି ସନ୍ଦେଶ ରହିଥାଏ । ଅସହିଷ୍ଣୁତା ବଢୁଥିବା ବର୍ତ୍ତମାନ ସମୟରେ ତାଙ୍କ ଦ୍ୱାରା ଯେଉଁ ସନ୍ଦେଶ ଲୋକଙ୍କୁ ମିଳିଥାଏ ତା’ର ଗଭୀର ପ୍ରାସଙ୍ଗିକତା ରହିଛି । ଏହାକୁ ପଢ଼ି ଅନେକ ଲୋକ ନିଜକୁ ବଦଳାଉଥିବାର ନଜରକୁ ଆସିଲାଣି । ତାଙ୍କ ସନ୍ଦେଶ ମଧ୍ୟରୁ ଗୋଟିଏ ହେଲା “ନିଜ ଧର୍ମ ପାଳନ କର, ସମସ୍ତଙ୍କୁ ଭଲପାଅ’ । ଏଥିପାଇଁ ସେ କାହାରିଠୁ ଆର୍ଥିକ ସାହାଯ୍ୟ ମଧ୍ୟ ନିଅନ୍ତି ନାହିଁ । ସନ୍ଦେଶ ପ୍ରେରଣକୁ ଜୀବନର ଏକ ମୁଖ୍ୟ ଦାୟିତ୍ୱ ବୋଲି ସେ ଧରିନେଇଛନ୍ତି ।