ନିଆରା ରଥଯାତ୍ରା : ଶ୍ରୀ ଗୁଣ୍ଡିଚାଦିନ ଠାକୁରଙ୍କୁ ରଥାରୂଢ଼ : ଆଜି ହେଲା ରଥଟଣା
ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ବନ୍ତିଳୋ ଗ୍ରାମ ରେ ରଥ ଯାତ୍ରା ରେ ଦେଖିବାକୁ ମିଳିଛି ଏକ ନିଆରା ପରମ୍ପରା। ଉକ୍ତ ଗ୍ରାମ ରେ ଏକ ଭବ୍ୟ ମନ୍ଦିର ରେ ମହାପ୍ରଭୂ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ପୂଜା ପାଇ ଆସୁଛନ୍ତି । ଏଠାରେ ଠାକୁର ଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି କିନ୍ତୁ ଏକ ନିଆରା ଢଙ୍ଗରେ । ରଥଯାତ୍ରା ବା ଶ୍ରୀ ଗୁଣ୍ଡିଚା ଦିନ ତିନିଠାକୁର ଙ୍କୁ ମନ୍ଦିର ରୁ ପହଣ୍ଡି ରେ ଅଣାଯାଇ ରଥାରୁଢ଼ କରାଯାଇ ଥିଲା । ରାଜା ଭାବେ ନିରଞ୍ଜନ ମହାନ୍ତି ରଥ ଉପରେ ଛେରାପହଁରା ନୀତି କରିଥିଲେ କିନ୍ତୁ ରଥଟଣା ହୋଇ ନଥିଲା। ମନ୍ଦିର ର ବଡ଼ପଣ୍ଡା ପୂଜକ ବେଲାଳ ସେନ ପାଢ଼ୀ କହିଥିଲେ ଯେ, ବନ୍ତିଳୋ ଗ୍ରାମ ରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ବହୁ ପୁରୁଣା । ରଥଯାତ୍ରା ଦିନ ଗ୍ରାମ ର ଲୋକ ଓ ଆଖପାଖ ଅଞ୍ଚଳ ଲୋକ ମାନେ ପୁରୀ ଯାଇଥାନ୍ତି ନିଜ ନିଜ ଜିନିଷ ପତ୍ର ବିକ୍ରୀ କରିବାକୁ। ଏଣୁ ଏଠାରେ ସେପରି ଭକ୍ତ ସମାଗମ ହେଲାନାହିଁ । ଏଣୁ ସେତେବେଳର ଆୟୋଜକ ମାନେ ଶ୍ରୀ ଗୁଣ୍ଡିଚା ପର ଦିନ ରଥ ଟାଣିବାକୁ ନିଷ୍ପତ୍ତି ନେଇଥିଲେ ଯାହା ଆଜି ପର୍ଯ୍ୟନ୍ତ ଏକ ଭିନ୍ନ ପରମ୍ପରା ଭାବେ ରହିଆସିଛି। ରଥ ଜଗନ୍ନାଥ ମନ୍ଦିର ଠାରୁ ବାହାରି ରଥ ପଡିଆ ଦେଇ ଗୁଣ୍ଡିଚା ମନ୍ଦିର କୁ ଯାଇଥିଲା। ଠାକୁର ଘର ଘର ଭୋଗ ଖାଇଥିଲେ। ପୂଜକ ଶ୍ରୀ ପାଢ଼ୀ ଠାକୁର ଙ୍କ ସମସ୍ତ ପୂଜା ନୀତି କରିଥିଲେ । ଆଜି ରଥ ପଡିଆ ଠାରେ ମେଳା ଲାଗିଥିଲା । ଶ୍ରୀ ଗୁଣ୍ଡିଚା ପର ଦିନ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏଠାରେ ଆଜି ବହୁ ଜନ ସମାଗମ ହୋଇଥିଲା । ଶ୍ରୀ ଗୁଣ୍ଡିଚାମନ୍ଦିର ଠାରେ ହେରା ପଞ୍ଚମୀ, ନବମୀ ଦର୍ଶନ ନୀତି ଅନୁଷ୍ଠିତ ହେବାକୁ ଥିବାବେଳେ ଗ୍ରାମ ର ପ୍ରାୟ ୩୦୦ ପରିବାର ପାଳି କରି ଠାକୁର ମାନଙ୍କ ନିକଟରେ ଅନ୍ନ ପ୍ରସାଦ ଭୋଗ ଲାଗି କରିବେ। ବାହୁଡା଼ ଯାତ୍ରା, ସୁନାବେଶ, ଅଧରପଣା, ନିଳାଦ୍ରୀବିଜେ ନୀତି ପାରମ୍ପରିକ ପ୍ରଥାନୁସାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଗ୍ରାମ ର ନୃସିଂହ ମୁଦୁଲି ଙ୍କ ପରିବାର ଠାକୁର ଙ୍କ ମାଉସୀ ମା ଘର ଭାବେ ପରିଚିତ। ଏଣୁ ବାହୁଡ଼ା ଯାତ୍ରା ଦିନ ତାଙ୍କ ଘର ସମ୍ମୁଖ ରେ ଠାକୁର ମାନଙ୍କୁ ପୋଡ଼ ପିଠା ଭୋଗ ଲାଗି କରାଯିବ ବୋଲି କହିଛନ୍ତି ଗ୍ରାମବାସୀ ନିର୍ମଳ ମଲ୍ଲ ଓ ବାବାଜୀ ସ୍ଵାଇଁ । ବନ୍ତିଳୋ ଗ୍ରାମ ରେ ଅନୁଷ୍ଠିତ ହୋଇ ଆସୁଥିବା ରଥଯାତ୍ରା ବାସି ରଥଯାତ୍ରା ଭାବେ ପ୍ରସିଦ୍ଧି ଲାଭ କରି ଆସିଛି କାହିଁ କେତେ କାଳରୁ ।