ନିଖିଳ ଓଡ଼ିଶା ଭେଟେରାନ ସୈନିକ ସଂଘର ପ୍ରତୀକ ଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା):ଫେଡେରେସନ ଅଫ ଭେଟେରାନ୍ସ ଆସୋସିଏସନ ନେତୃତ୍ୱରେ ସମଗ୍ର ଦେଶରେ ଜାରି ରହିଥିବା ପୂର୍ବତନ ସୈନିକ ଓ ବୀରନାରୀଙ୍କ ‘ଆମରଣ ଅନଶନ’କୁ ସମର୍ଥନ ଜଣାଇ ଅଲ ଓଡିଶା ଭେଟେରାନ ସୈନିକ ସଂଘର ବାଲେଶ୍ୱର ଶାଖା ପକ୍ଷରୁ ପ୍ରତୀକ ଧାରଣା ଅନୁଷ୍ଠିତ ହୋଇଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଧାରଣାରେ ଜିଲା ସଭାପତି ଚନ୍ଦ୍ରମଣି ମହାପାତ୍ର ଯୋଗଦେଇ ପ୍ରତିବାଦ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ‘ୱାନ ର୍ୟାଙ୍କ ୱାନ ପେନସନ’ ସୈନିକଙ୍କ ସ୍ୱାର୍ଥରକ୍ଷାରେ ଅନ୍ତରାୟ ହୋଇଛି ବୋଲି ସେ କହିଥିଲେ । ସୈନିକଙ୍କୁ ଅଣଦେଖା କରି ଏମଏସପି ଅଫିସରଙ୍କୁ ଅଧିକ ଲାଭ, ଅଫିସରଙ୍କୁ ଅଧିକ ଡିସେବିଲିଟି ପେନସନ, ସିଏସଡି କ୍ୟାଣ୍ଟିନରେ ଅଫିସର ଓ ସୈନିକଙ୍କ ମଧ୍ୟରେ ପାତରଅନ୍ତର, ଇସିଏଚଏସ ଚିକିତ୍ସାରେ ପାତର ଅନ୍ତର କାହିଁକି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଥିଲେ । ଯୁଦ୍ଧ କ୍ଷେତ୍ରରେ ପ୍ରାଣବଳି ଦେଇଥିବା ସୈନିକଙ୍କ ବିଧବା ବୀରନାରୀଙ୍କୁ ଉଚିତ ପେନସନ ପ୍ରଦାନ କରାଯାଉନଥିବା ବେଳେ ଏକ୍ସ ସୈନିକଙ୍କ ପେନସନ ହ୍ରାସ ହୋଇଥିବା ସେ ଆରୋପ ଉଠାଇଥିଲେ । ଓଆରଓପି – ୨ରେ ରହିଥିବା ବିସଙ୍ଗତି ଦୂରପାଇଁ ପୂର୍ବରୁ ଫେଡେରେସନ ଅଫ ଭେଟେରାନସ ଆସୋସିଏସନ ପରମର୍ଶ କ୍ରମେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହା ସହିତ ସୁପ୍ରିମକୋର୍ଟରୁ ଅବସର ନେଇଥିବା ତିନି ଜଣ ବିଚାରପତିଙ୍କ ମିଳିତ କମିଟି ଗଠନ ମାଧ୍ୟମରେ ଓଆରଓପି – ୨ର ବିସଙ୍ଗତି ଅନୁଧ୍ୟାନ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି । ମାତ୍ର ପୂର୍ବତନ ସୈନିକ ଓ ବୀରନାରୀଙ୍କ ନ୍ୟାୟ ସଙ୍ଗତ ଦାବି ପ୍ରତି ସରକାରଙ୍କ ଉଦାସୀନତା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଶ୍ରୀ ମହାପାତ୍ର କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧରରେନ୍ଦ୍ର କୁମାର ପଣ୍ଡା, କୈଳାସ ଚନ୍ଦ୍ର ବେହେରା, ଦିଗମ୍ବର ପାଲ, ନେପାଳୀ ବେହେରା, ଶ୍ୟାମସୁନ୍ଦର ବେହେରା, ଗୌରାଙ୍ଗ ଚନ୍ଦ୍ର ଜେନା, ଅମୂଲ୍ୟ କୁମାର ଦାସ, ବ୍ରହ୍ମାନନ୍ଦ ପ୍ରଧାନ, ବିଜୟ କୁମାର ଗିରି, କମଳ ଲୋଚନ ବେହେରା, ବିଷ୍ଣୁମୋହନ ଦାସ, ଦେବେନ୍ଦ୍ର ପତି, ନାରାୟଣ ଚନ୍ଦ୍ର ମହାପାତ୍ର, ପରମେଶ୍ୱର ବାରିକ ପ୍ରମୁଖଙ୍କ ସମେତ ଅଲ ଓଡିଶା ଭେଟେରାନ ସୈନିକ ସଂଘ, ବାଲେଶ୍ୱର ଶାଖାର ବହୁ ସଦସ୍ୟ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।