ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ଡେରାବିଶି ସିଏଚ.ସି.କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) : ଦେଶରେ ମାତୃ ଓ ଶିଶୁ ମୃତ୍ୟୁହାରକୁ କମାଇବା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ କେନ୍ଦ୍ର ସରକାର ୨୦୦୫ମସିହାରେ ଏନ.ଆର.ଏଚ.ଏମ.ସ୍କିମ ଆରମ୍ଭ କରିଥିଲେ । ଯେଉଁ ସ୍କିମର ଶେଷ କର୍ମଚାରୀ ଭାବେ ଆଶାକର୍ମୀମାନଙ୍କୁ ପ୍ରତ୍ୟେକ ଗାଁରେ ନିଯୁକ୍ତି ଦେଲେ । ଡେଲିଭରୀ, ପୋଷ୍ଟ ଡେଲିଭରୀ, ଇମୁନାଇଜେସନ, ମମତା ଦିବସ, ଗାଁ କଲ୍ୟାଣ ସମିତି, ଫାଇଲେରିଆ, ପୋଲିଓ ପ୍ରଭୃତି କେତେ କ’ଣ ସ୍ୱାସ୍ଥ୍ୟ ଓ ସଚେତନତା କାର୍ଯ୍ୟକ୍ରମ ମାସିକ ବେତନ ନଥାଇ କିଛି ପ୍ରୋତ୍ସାହନ ରାଶିରେ ଆଶାକର୍ମୀମାନେ ନିଜ ପରିବାର ଓ ନିଜକୁ ଭୁଲି ଏ ଯୋଜନାକୁ ସଫଳ କଲେ ଯାହା ଫଳରେ କେନ୍ଦ୍ର, ରାଜ୍ୟ ଓ ଜିଲ୍ଲା ଠାରୁ ପ୍ରତ୍ୟେକ ଗାଁରେ ସ୍ୱାସ୍ଥ୍ୟସେବାର ଯଥେଷ୍ଟ ଉନ୍ନତି ହୋଇ ସାରା ବିଶ୍ୱରେ ଆମ ନାମ ଟେକ ରହିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଏନ.ଏଚ.ଏମ.ହୋଇ କାମ ଅଧିକରୁ ଅଧିକ ଚାଲିଛି । ଏହିପରି ଅବସ୍ଥାରେ କୋଭିଡ-୧୯ ଆସିଲା । ସାରା ବିଶ୍ୱ ମହାମାରୀ ଆମ ଦେଶ -ଆମ ରାଜ୍ୟ – ଆମ ଜିଲ୍ଲାକୁ କବଳିତ କଲାବେଳେ ଆମେ ଆଶାକର୍ମୀମାନେ ସଂସାର ଓ ନିଜକୁ ଭୁଲି କରୋନା ହଟିବ-ଆମେ ଜିତିବୁ ଏହି କଥାକୁ କାର୍ଯ୍ୟକାରୀ କରିବାକୁ ଗଲାବେଳେ କେତେ ଲାଞ୍ଛନା କେତେ ଅପମାନ ତାର ହିସାବ ନାହିଁ । ମାତ୍ର ଦିନରାତି ଏକାକାର ଗାଁକୁ ବାହାରୁ ଆସୁଥିବା ପ୍ରବାସୀମାନଙ୍କୁ ସଚେତନ କରିବା, କୋଭିଡ ସେଂଟରରେ ଡ୍ୟୁଟି କରିବା, ପଂଚାୟତର ଗାଁ ମାନଙ୍କରେ ସବୁ କାମର ବିନ୍ଧାଣୀ ଆଶାକର୍ମୀର ପାରିଶ୍ରମିକ କଥା ନକହିଲେ ଭଲ । ମାସକୁ ଏକ ହଜାର କରୋନା ପାଇଁ । ଏହିପରି ଅତି କଷ୍ଟ ସମୟ ଦେଇ ଆଶାକର୍ମୀମାନେ ଗତି କରୁଥିବା ବେଳେ ଡେରାବିଶି ସି.ଏଚ.ସି.ରେ ସେମାନେ ଯେଉଁ ପ୍ରାପ୍ୟ ପାଉଥିଲେ ଯଥା ୩ବର୍ଷର ବ୍ୟବଧାନରେ ଗାଁ କଲ୍ୟାଣ ସମିତି,ମମତା ଦିବସ,ବିବାହର ୨ବର୍ଷର ବ୍ୟବଧାନ ଇତ୍ୟାଦି । ସେହି ପ୍ରାପ୍ୟରୁ ଆଶାକର୍ମୀଙ୍କୁ ବଂଚିତ କରାଯାଇ ଗତ ଜୁଲାଇମାସରୁ ଦିଆଯାଇନାହିଁ । ଏସମ୍ପର୍କରେ ମେଡିକାଲ ଅଫିସରଙ୍କୁ ସଙ୍ଘ ପକ୍ଷରୁ ଦାବିପତ୍ର ଦିଆଯାଇଥିଲେବି କୈାଣସି ପଦକ୍ଷେପ ନିଆଯାଇନାହିଁ । ଏଣୁ ଆସନ୍ତା ସେପ୍ଟେମ୍ବରମାସ ୧୦ତାରିଖରେ ଆଶାକର୍ମୀମାନେ କୈାଣସି କାମ ନକରି ସି.ଏଚ.ସି.ସମ୍ମୁଖରେ ନୀରବରେ କୋଭିଡ ନୀୟମ ପାଳନକରି ଉପବାଶରେ ଅନଶନ କରିବେ ବୋଲି ଆଜି ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ