ନିଖିଳ ଓଡ଼ିଶା ମତ୍ସ୍ୟ ଉତ୍ପାଦକ ମହାସଂଘ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ବଳରାମଗଡ଼ି ମତ୍ସ୍ୟଜୀବୀ ସଂଘ ଆନୁକୁଲ୍ୟରେ ନିଖିଳ ଓଡ଼ିଶା ମତ୍ସ୍ୟ ଉତ୍ପାଦକ ମହାସଂଘର କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସଭାପତି କାମେଶ୍ୱର ନାରାୟଣ ପ୍ରହରାଜ, ସମ୍ପାଦକ ସୁମନ୍ତ କୁମାର ବିଶ୍ୱଳ, ଉପ-ସଭାପତି ତଥା ବଳରାମଗଡ଼ି ମତ୍ସ୍ୟଜୀବୀ ସଂଘର ସଭାପତି ନରେନ୍ଦ୍ର ବିହାରୀ ଦାସ ପ୍ରମୁଖ ଏଥିରେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ରାଜ୍ୟର ମତ୍ସ୍ୟଜୀବୀମାନେ ସାମ୍ନା କରୁଥିବା ବହୁବିଧ ସମସ୍ୟା ଓ ତା’ର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ବିଗତ ୫/୭ ବର୍ଷ ଧରି ମତ୍ସ୍ୟଜୀବୀଙ୍କ ସମେତ ଟ୍ରଲର ମାଲିକମାନେ କ୍ଷତି ସହି ଚାଲିଛନ୍ତି ବୋଲି କର୍ମକର୍ତ୍ତାମାନେ କହିଥିଲେ । କୋଭିଡ ମହାମାରୀ ଯୋଗୁଁ ମତ୍ସ୍ୟ ବ୍ୟବସାୟ ଏକ ପ୍ରକାର ବନ୍ଦ ହୋଇ ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ସ୍ଥିତି ଦୟନୀୟ ହୋଇପଡ଼ିଛି । ଏହା ସହିତ ଡିଜେଲ, ଜାଲ, ବରଫ ଓ ଅନ୍ୟାନ୍ୟ ଯନ୍ତ୍ରାଂଶର ଅହେତୁକ ମୂଲ୍ୟ ବୃଦ୍ଧି ମତ୍ସ୍ୟ ଉତ୍ପାଦନକୁ ପ୍ରଭାବିତ କରିଛି ବୋଲି ମହାସଂଘର କର୍ମକର୍ତ୍ତାମାନେ କହିଥିଲେ । ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବହୁବାର ଲିଖତ ଅଭିଯୋଗ କରାଯାଇଥିଲେ ବି ସରକାରୀ ଉଦାସୀନତା ଯୋଗୁଁ ଏହି ଶିଳ୍ପ କ୍ରମଶଃ ରୁଗଣ ଅବସ୍ଥାକୁ ଚାଲିଯାଉଥିବା ସେମାନେ ଆରୋପ କରିଥିଲେ । ଭାରତର ଅନ୍ୟାନ୍ୟ ରାଜ୍ୟରେ ମତ୍ସ୍ୟଜୀବୀମାନଙ୍କ ପାଇଁ ଡିଜେଲ ଉପରେ ରିହାତି ଦିଆଯାଉଥିବା ବେଳେ ଓଡିଶା ସରକାର ଏଥିପ୍ରତି ଦୃଷ୍ଟି ନଦେବା ଅତ୍ୟନ୍ତ ପରିତାପର ବିଷୟ । ମତ୍ସ୍ୟ ବ୍ୟବସାୟରୁ ରାଜ୍ୟ ସରକାର ପ୍ରତିବର୍ଷ ପ୍ରତ୍ୟକ୍ଷ ଭାବେ ପ୍ରାୟ ୮୦୦କୋଟି ଏବଂ ପରୋକ୍ଷ ଭାବେ ୨ହଜାର କୋଟିରୁ ଅଧିକ ଟଙ୍କାର ରାଜସ୍ୱ ପାଉଥିବା ବେଳେ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରତି ଉଦାସୀନତା ପୋଷଣ ଦୁର୍ଭାଗ୍ୟର ବିଷୟ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ସରକାରୀ କଟକଣା ଆଳରେ ଜଙ୍ଗଲ ବିଭାଗ ପକ୍ଷରୁ ବେଆଇନ ଭାବେ ମାଛଧରା ବୋଟ ଜବତ ସାଙ୍ଗକୁ ଗିରଫ କର୍ମଚାରୀଙ୍କୁ ନିର୍ଯାତନା ଦେବା କେଉଁ ନ୍ୟାୟର ବୋଲି କର୍ମକର୍ତ୍ତାମାନେ ପ୍ରଶ୍ନ କରିଥିଲେ । ନିୟମ ମାନୁ ନଥିବା ଟ୍ରଲରଙ୍କୁ ଧରିବା ପରିବର୍ତ୍ତେ ଅନ୍ୟମାନଙ୍କୁ ଧରି ନିର୍ଯାତନା ଦେବାକୁ କେବେ ବରଦାସ୍ତ କରାଯିବ ନାହିଁ ବୋଲି ମହାସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରତି ସରକାର ଉଚିତ ପଦକ୍ଷେପ ଗ୍ରହଣ ନ କଲେ ଆସନ୍ତା ଶୀତକାଳୀନ ବିଧାନସଭା ଅଧିବେଶନ ବେଳେ ଓଡ଼ିଶାର ସମସ୍ତ ମତ୍ସ୍ୟଜୀବୀମାନେ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଆଜିର ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ରାଜ୍ୟ ବହୁ ମତ୍ସ୍ୟଜୀବୀ ସଙ୍ଗଠନ ଓ ଟ୍ରଲର ସଂଘର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ