ନିଖୋଜ ଚାଷୀଙ୍କ ଗଳିତ ମୃତଦେହ ଧାନ ବିଲରୁ ଉଦ୍ଧାର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କୋଟିନଡା ଗ୍ରାମ ନୁଆଁବନ୍ଧ ନିକଟସ୍ଥ ଏକ ଧାନ ବିଲରୁ ଜଣେ ଚାଷୀଙ୍କ ଗଳିତ ମୃତଦେହ କୁ ମଙ୍ଗଳବାର ଦିଗପହଣ୍ଡି ପୋଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ କୋଟିନଡା ଗ୍ରାମର ଅଙ୍ଗଦ ବେହେରା (୮୦)। ଥାନା ଅପମୃତ୍ୟୁ ମାମଲା ନଂ-୧୮/୨୧ ଅନୁଯାୟୀ ମୃତଦେହ କୁ ବ୍ରହ୍ମପୁର ବଡ ଡାକ୍ତରଖାନା ରେ ବ୍ୟବଛେଦ କରାଯିବା ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଦିଗପହଣ୍ଡି ଥାନା ଆଇ.ଆଇ.ସି ବସନ୍ତ କୁମାର ସେଠୀ ସୁଚନା ଦେଇଛନ୍ତି।ଗତ ୩୦ ତାରିଖ ଠାରୁ ଅଙ୍ଗଦ ବେହେରା ଗ୍ରାମରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।ଏନେଇ ପରିବାର ଲୋକେ ଥାନରେ ଏତଲା ଦେଇଥିଲେ।ଏତଲା ଆଧାରରେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଥିଲା।ମଙ୍ଗଳବାର ମଧ୍ୟାହ୍ନ ରେ ଗ୍ରାମର କିଛି ବ୍ୟକ୍ତି ଧାନ ଜମିରେ ଅଙ୍ଗଦ ଙ୍କ ମୃତଦେହ କୁ ଚିହ୍ନଟ କରି ପରିବାର ଲୋକଙ୍କୁ ଖବର ଦେଇଥିଲେ। କୋଟିନଡା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଉମାକାନ୍ତ ବିଷୋୟୀ ଏନେଇ ଦିଗପହଣ୍ଡି ପୋଲିସ କୁ ସୂଚନା ଦେଇଥିଲେ। ପରିବାର ଲୋକେ ପୋଲିସ କୁ କହିବା ଅନୁସାରେ ଅଙ୍ଗଦ ଗତ ୩୦ ତାରିଖ ଅପରାହ୍ନ ପ୍ରାୟ ୪ ଟା ରେ ଗ୍ରାମର ନୁଆଁବନ୍ଧ ନିକଟସ୍ଥ ଧାନବିଲକୁ ଫସଲ ଦେଖିବାକୁ ଯାଇଥିଲେ।ସେତେବେଳକୁ ପ୍ରବଳ ବର୍ଷା ହୋଇଥିଲା। ବାର୍ଦ୍ଧକ୍ୟ କାରଣରୁ ସେ ଚାଷ ଜମି ରେ ପଡିଯାଇ ମୃତ୍ୟୁ ବରଣ କରିଥିବା ପୋଲିସ ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।