ନିଖୋଜ ପିତାଙ୍କ ବାଟ ଚାହିଁ ବସିଛନ୍ତି ୬୨ ବର୍ଷୀୟ ପୁଅ
ଆରଡି,(ୱାଇଏନ୍ଏସ୍): ବର୍ଷେ ନୁହଁ କି ୧୦ ବର୍ଷ ନୁହଁ ଦୀର୍ଘ ୫୫ ବର୍ଷ ହେଲାଣି ନିଖୋଜ ଅଛନ୍ତି ଜଣେ ଜନାନ । ୧୯୬୫ ଭାରତ – ପାକିସ୍ଥାନ ଯୁଦ୍ଧ ସମୟରେ ସେ ଶତୃପକ୍ଷ ସହ ଯୁଦ୍ଧ କରିଥିଲେ । ଆଉ ଫେରି ନଥିଲେ । ୨ ପୁଅଝିଅଙ୍କୁ ନେଇ ସୁଖର ସ୍ୱପ୍ନ ଦେଖୁଥିବା ତାଙ୍କର ପତ୍ନୀ ଫେରନ୍ତା ପଥକୁ ଚାହିଁ କିଛି ବର୍ଷ ପରେ ବି ବାଟ କାଟିଲେ । ଆଉ କୁନିକୁନି ପୁଅଝିଅ ଦୁହେଁ ଅନାଥ ହୋଇଗଲେ । ହେଲେ ଏବେ ସେ କେଉଁଠି ଅଛନ୍ତି ? ସେ ଜୀବିତ ଅଛନ୍ତିକି ନାହିଁ ତାହାବି ଜଣାପଡୁନି । ପ୍ରତୀକ୍ଷାର ଅନ୍ତ ଘଟିବାକୁ ନେଇ ବ୍ୟଗ୍ର ଅଛନ୍ତି ସେହି ନିଖୋଜ ଫଉଜିଙ୍କ ୬୨ ବର୍ଷୀୟ ପୁଅ । ଏହା କାହାଣୀ ନୁହେଁ ବରଂ ଜଣେ ବୀର ଜବାନଙ୍କ ନିଖୋଜର ବାସ୍ତବ ଚିତ୍ର । ସେହି ଜବାନ ଜଣକ ହେଉଛନ୍ତି ଆନନ୍ଦ ପତ୍ରୀ । ଘର ଭଦ୍ରକ ଜିଲା ଧୁଷୁରୀ ଥାନା ଅନ୍ତର୍ଗତ ସାଆଁଳପୁର ଗାଁରେ । ସେ ଭାରତୀୟ ସେନା ଅଧୀନରେ ୩୧ ବେଙ୍ଗଲ ଡିଫେନ୍ସରେ ଜଣେ ଯବାନ ଭାବେ କାର୍ଯ୍ୟରତ ଥିଲେ । ୧୯୬୨ ଭାରତ – ଚାଇନା ଯୁଦ୍ଧରେ ସେ ନିଷ୍ଠାର ସହ ଯୁଦ୍ଧ କରିଥିଲେ । ପରେ ସେ ୧୯୬୪ରେ ଘରକୁ ଫେରିଥିଲେ । ପରବର୍ଷ ଠାରୁ ସେ ଆଉ ନିଜର ଭିଟ୍ଟାମାଟିକୁ ଫେରି ନଥିଲେ । ଜଣେ ଜବାନଙ୍କର ନିଖୋଜ ଘଟଣାର ତଥ୍ୟ ସରକାରଙ୍କ ପାଖରେ ନାହିଁ । ପିତା ମାତାଙ୍କୁ ହରାଇ ଥିବା ଯବାନଙ୍କ ପୁଅଝିଅଙ୍କୁ ତାଙ୍କ ଜଣେ ସଂପର୍କୀୟ ନିଜ ଗାଁ କଲ୍ୟାଣିକୁ ନେଇ ଲାଳନ ପାଳନ କରିଥିଲେ । ୨୦୦୦ ମସିହାରେ ଆନନ୍ଦ ପାକିସ୍ଥାନର ଲାହୋର ଜେଲରେ ମାନସିକ ଭାରସାମ୍ୟ ହରାଇ ବନ୍ଦୀ ଭାବେ ଜୀବନ ଯାପନ କରୁଥିବା ଖବର ଆନ୍ଦଙ୍କ ପୁଅ ବିଦ୍ୟାଧର ବିଭିନ୍ନ ଖବର କାଗଜରେ ଦେଖିବାକୁ ପାଇଥିଲେ । ସେ ପିତାଙ୍କୁ ଫେରାଇ ଆଣିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ । ୨୦୦୩ ମସିହାରେ ପାକିସ୍ଥାନରେ ଥିବା ଶତାଧିକ ଭାରତୀୟ ବନ୍ଦୀ ଜବାନ ଭାରତକୁ ଫେରି ଆସୁଥିବା ଖବର ପାଇ ବିଦ୍ୟାଧର ଓାଘା ସୀମା ନିକଟକୁ ଯାଇଥିଲେ । ୨ ଦିନ ସେଠାରେ ରହିଥିଲେବି ଫେରନ୍ତା ଯୁଦ୍ଧବନ୍ଦୀଙ୍କ ମଧ୍ୟରେ ତାଙ୍କ ପିତା ନଥିଲେ । ନିରାଶରେ ଫେରିଥିଲେ ସେ । ନିକଟରେ ଜଣେ ପାକିସ୍ଥାନ ଯୁଦ୍ଧବନ୍ଦୀ ଭାରତକୁ ଫେରିଆସିବା ପରେ ପୁଣି ୧୮ ବର୍ଷ ପରେ ବିଦ୍ୟାଧରଙ୍କ ମନ ଆନ୍ଦୋଳିତ ହୋଇ ଉଠୁଛି । ନିଖୋଜ ପିତାଙ୍କ ଖବର ଜାଣିବା ପାଇଁ ମନ ଉଦବିଘ୍ନ ହୋଇ ଉଠିଛି । ୬୨ ବର୍ଷ ପୁତ୍ର ବିଦ୍ୟାଧର ପିତାଙ୍କ ନିଖୋଜ ଖବରରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ସେ ପୁନଃ ରାଜ୍ୟ ଓ କେନ୍ଦ୍ରସରକାରଙ୍କୁ ଅନୁରୋଧ କରିଛନ୍ତି । ଦେଖାଯାଉ ନିଖୋଜ ପିତା ଆନନ୍ଦଙ୍କ ପ୍ରତିକ୍ଷାର ଅନ୍ତଃ କେବେ ଘଟୁଛି ?
ମୋବାଇଲ ନଂ – ୯୦୪୦୯୧୬୧୮୫