ନିଖୋଜ ଶିଶୁର ଗଳିତ ପାଦ ଉଦ୍ଧାର, ହତ୍ୟା ସନ୍ଦେହ ,୧ ଅଟକ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ବାଂଶପାଣି ଟୋଲଗେଟ୍ ନିକଟସ୍ଥ ବସ୍ତି ପାଖରେ ପୋଲିସ ଜଣେ ୩ ବର୍ଷର ଶିଶୁର ଗଳିତ ପାଦ ରବିବାର ଉଦ୍ଧାର କରିଛି । ପୋଲିସର ସୂଚନାନୁଯାୟୀ ଜଣାପଡିଛି ଯେ ରବିବାର ଦିନ ସକାଳ ସମୟରେ ଉକ୍ତ ବସ୍ତିର ଛୋଟ ପିଲାମାନେ ଖେଳୁଥିବା ବେଳେ ଏକ ଗଳିତ ପାଦ ଦେଖିବାକୁ ପାଇଥିଲେ । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ କେନ୍ଦୁଝର ଡିଏସପି ପ୍ରକାଶ ଜେମ୍ସ ଟପୋ , ବଡବିଲ୍ ଏସଡିପିଓ ସତ୍ୟବିକାଶ ଭୂୟାଁ, ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ ସଦଳବଳେ ଏବଂ ସାଇନ୍ଟଫିକ ଟିମ୍ ଓ ସନ୍ଧାନୀ କୁକୁର ସହିତ ଘଟଣାସ୍ଥଳରେ ପହନଚି ଏହାର ତଦନ୍ତ ଆରମ୍ଭ କରିଥିଲେ । ଉକ୍ତ ଗଳିତ ପାଦଟି ସ୍ଥାନୀୟ ଅଂଚଳରେ ରହୁଥିବା ରୋହିତ ଓରାମ୍(୩) ଙ୍କର ବୋଲି ମା ଶଶୀ ଓରାମ୍ ଦାବି କରିଛନ୍ତି । ଶଶୀ ଓରାମ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସ୍ୱାମୀଙ୍କ ମୃତ୍ୟୁ ପରେ ଶଶୀ ଓରାମ ହୋଟେଲ ରେ କାମ କରି ତାଙ୍କର ଦୁଇଟି ଝିଅ ଓ ସାନ ପୁଅ ରୋହିତର ଲାଳନପାଳନ କରିଆସୁଥିଲେ । ଗତ ଏକମାସ ପୂର୍ବେ ଛୁଆ ମାନଙ୍କୁ ଖାଇବାକୁ ଦେଇ ସେ କାମକୁ ଚାଲିଯାଇଥିଲେ । ମାତ୍ର ଘରକୁ ଫେରିବା ପରେ ସାନ ପୁଅ ରୋହିତ୍ ଘରେ ନଥିବା ଜାଣିବାକୁ ପାଇଥିଲେ । ବହୁ ଖୋଜାଖୋଜି ପରେ ରୋହିତଙ୍କୁ ନପାଇବାରୁ ଏ ସମ୍ପର୍କରେ ପରିବାର ଲୋକେ ଯୋଡା ଥାନାରେ ଜଣାଇଥିଲେ । ତେବେ ରବିବାର ଏହି ଗଳିତ ପାଦକୁ ଦେଖି ଏହା ତାଙ୍କ ପୁଅ ରୋହିତଙ୍କର ବୋଲି ମା ଶଶୀ ଓରାମ୍ ଦୃଢୋକ୍ତି ପ୍ରକାଶ କରିବା ସହିତ ତାଙ୍କ ପୁଅଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ପୋଲିସକୁ ଜଣାଇଛନ୍ତି । ପୋଲିସ ଏହି ଘଟଣାରେ ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଏବଂ ଖୁବ୍ ଶୀଘ୍ର ଏହାର ପର୍ଦ୍ଦାଫାସ କରାଯିବ ବୋଲି ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ କହିଛନ୍ତି । ତେବେ ଏହାକୁ ଅଂଚଳରେ କେହି କେହି ତନ୍ତ୍ରପୂଜା ଓ ବଳି କହୁଥିବା ବେଳେ ପାରିବାରିକ କଳହରୁ ଶିଶୁଟିକୁ ହତ୍ୟା କରାଯାଇ ଥାଇପାରେ ବୋଲି ଲୋକେ କହିଛନ୍ତି । ଏହି ଶିଶୁର ଅବଶିଷ୍ଟ ଅଂଶ ପୋଲିସ ଠାବ କରିପାରିନାହିଁ ।