ନିଖୋଜ ଶିଶୁର ମୃତଦେହ ପୋଖରୀରୁ ଉଦ୍ଧାର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ପୋଡାମାରୀ ପଞ୍ଚାୟତ ଗୋକର୍ଣ୍ଣମେରୀ ପଲ୍ଲୀ ଗ୍ରାମରେ ଗତକାଲି ଗ୍ରାମର ପିଣ୍ଟୁ ଗୈାଡଙ୍କ ଦେଢ଼ ବର୍ଷର ପୁଅ ରିଶାନ ଗୈାଡ ନିଖୋଜ ରହିଥିବା ବେଳେ ବିଳମ୍ବିତ ରାତିରେ ଗାଁ ପୋଖରୀରୁ ଶିଶୁର ମୃତଦେହ ଗ୍ରାମବାସୀ ଉଦ୍ଧାର କରିଥିବା ଜଣାପଡିଛି । ଦିନ ସାଢ଼େ ୧୦ ଘଣ୍ଟା ସମୟରେ ପିଣ୍ଟୁଙ୍କ ସ୍ତ୍ରୀ ଘରେ ଖାଇବାକୁ ବସିଥିବା ବେଳେ ଶିଶୁ ରିଶାନ ଘର ବାରଣ୍ଡାରେ ବସି ଖେଳୁଥିଲା । ମାଆଙ୍କ ଅଳ୍ପ ସମୟ ପରେ ଦେଖିଲା ବେଳକୁ ପୁଅ ଦେଖିବାକୁ ମିଳିନଥିଲା। ପରିବାର ଲୋକେ ପୁରା ଦିନ ଖୋଜାଖୋଜି କରିଥିଲେ ମଧ୍ୟ ପୁଅର କୈାଣସି ସନ୍ଧାନ ପାଇନଥିଲେ । ଯାହାଫଳରେ ପରିବାର ଲୋକେ ରିଶାନ ନିଖୋଜ ରହିଥିବା ନେଇ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏତଲାକୁ ଭିତ୍ତିକରି ଥାନା ମାମଲା ନଂ ୩୦୧/୨୨ ପ୍ରକାରେ ତଦନ୍ତ ଚଳାଇଥିଲା । ଅନ୍ୟପକ୍ଷରେ ପରିବାର ଲୋକେ ବିଳମ୍ବିତ ରାତି ଯାଏଁ ଗ୍ରାମର ଶେଷ ମୁଣ୍ଡ ପର୍ଯ୍ୟନ୍ତ ଖୋଜାଖୋଜି କରିବାପରେ ଶେଷରେ ଘର ନିକଟସ୍ଥ ମଠ ପୋଖରୀ ଭିତରେ ରାତି ଗୋଟାଏରେ ଶିଶୁର ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଗ୍ରାମବାସୀ ରିଶାନଙ୍କୁ ପାଣିରୁ ବାହାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଉପସ୍ଥିତ ଡାକ୍ତର ରିଶାନଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଗୁରୁବାର ସକାଳୁ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡମେଡିକାଲ ପଠାଇ ଦେଇଥିବା ଜଣାପଡିଛି । ଏଭଳି ଅଭାବୀୟ ଘଟଣା କୁ ନେଇ ଆସିକା ଏସଡିପିଓ ଉମାଶଙ୍କର ସିଂ , ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ତହସିଲଦାର ତହସିଲ ସୁପରଭାଇଜର , ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ମୃତ କୁନି ଶିଶୁର ପରିବାରକୁ ଭେଟି ଘଟଣା ସମ୍ପର୍କ ରେ ପଚାରି ବୁଝିଥିଲେ। ଏଥିସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ରେଡକ୍ରସ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ