ନିଜସ୍ୱ ପ୍ରଚେଷ୍ଟାରେ 583 ନମ୍ବର୍ ରଖି ଜସ୍ମୀନ୍ ବ୍ଳକ୍ ଟପ୍ପର
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଦୃଢ଼ ଶକ୍ତି ବଳରେ ସମସ୍ତ ପ୍ରକାର ସମସ୍ୟାକୁ ପଛରେ ପକାଇ ସଫଳତା ହାସଲ କରିବା ସମ୍ଭବ I ଏହା ପ୍ରମାଣିତ କରିଛନ୍ତି ବେଲଗୁଣ୍ଠା ବ୍ଳକ୍ ବଙ୍କା ପଂଚାୟତର ଜିରୋଳି ଗ୍ରାମର ଜସ୍ମୀନ୍ ପାଣିଗ୍ରାହୀ I ସେ ଚଳିତ ଦଶମଶ୍ରେଣୀ ସାର୍ଟିଫିକେଟ ପରୀକ୍ଷାରେ ସର୍ବମୋଟ 600 ନମ୍ବର୍ ରୁ 583 ନମ୍ଵର୍ ରଖି ବେଲଗୁଣ୍ଠା ବ୍ଳକ୍ ରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛନ୍ତି I ଜିରୋଳି ହେଉଛି ବେଲଗୁଣ୍ଠା ବ୍ଲକ୍ ର ଏକ ଉପାନ୍ତ ତଥା ନିପଟ ମଫସଲ ଗାଆଁ I ଏଠାରେ ଉନ୍ନତ ତଥା ଗୁଣାତ୍ମକ ଶିକ୍ଷା ପାଇଁ କୌଣସି ଆଧୁନିକ ବ୍ୟବସ୍ଥା ନାହିଁଁ I ସେହିପରି ଜସ୍ମୀନ୍ ଙ୍କ ପରିବାରର ଆର୍ଥିକ ଅବସ୍ଥା ମଧ୍ୟ ସେତେ ସ୍ଵଚ୍ଛଳ ନୁହେଁ I ଜସ୍ମୀନ୍ ଙ୍କ ବାପା ଜଗବନ୍ଧୁ ପାଣିଗ୍ରାହୀ ବେଲଗୁଣ୍ଠାର ଏକ ଔଷଧ ଦୋକାନରେ ସହାୟକ ଭାବେ କାର୍ଯ୍ୟ କରୁଥିବା ବେଳେ ମାଆ ସବିତା ପାଣିଗ୍ରାହୀ ଜଣେ ଗୃହିଣୀ I ତଥାପି ଜସ୍ମୀନ୍ ନିଜସ୍ୱ ପ୍ରଚେ଼ଷ୍ଟା ଏବଂ ଅକ୍ଳାନ୍ତ ପରିଶ୍ରମ ବଳରେ ଏହି ସର୍ବୋଚ୍ଚ ସଫଳତା ହାସଲ କରି ପାରିଛନ୍ତି I ଜସ୍ମୀନ ଜିରୋଳି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବା ବେଳେ ସେ ଦୈନିକ 8 ରୁ 9 ଘଣ୍ଟା ପରିଶ୍ରମ କରି ଏହି ସଫଳତା ହାସଲ କରିଥିବା ପ୍ରକାଶ କରିଛନ୍ତି I ଜସ୍ମୀନ ଏହି ସଫଳତାର ଶ୍ରେୟ ନିଜ ବାପା ଜଗବନ୍ଧୁ, ମାଆ ସବିତା, ଟ୍ୟୁସନ୍ ଶିକ୍ଷକ ମନମୋହନ ମାହୁନ୍ତ ଏବଂ ଜିରୋଳି ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଛନ୍ତି I ଆଶାନୁରୂପ ଫଳ ପାଇଥିବାରୁ ଜସ୍ମୀନ ଖୁସି ପ୍ରକଟ କରିବା ସହିତ ଆଗାମୀ ଦିନରେ ଡ଼ାକ୍ତର ହୋଇ ଗରୀବ ଲୋକଙ୍କ ସେବା କରିବା ପାଇଁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି I ଜସ୍ମୀନ ଙ୍କ ଏହି ସଫଳତା ପାଇଁ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର, ପ୍ରେସକ୍ଲବ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି I ପ୍ରକାଶ ଥାଉକି ଜସ୍ମୀନ ଙ୍କ ସାନଭାଇ ନାରାୟଣ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ସେ ମଧ୍ୟ ଜଣେ ମେଧାବୀ ଛାତ୍ର I