ନିଜସ୍ୱ ପ୍ରସ୍ତୁତ କଲେ ବ୍ୟାଟେରି ଚାଳିତ ବାଇକ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପଂଚାୟତ ବେଣାପଡା ଗ୍ରାମରେ ପ୍ରଦୀପ୍ତ କିଶୋର ମହାପାତ୍ରଙ୍କ ଘର । ତାଙ୍କର ବୟସ ମାତ୍ର ୪୫ । ସେ ପେଷାରେ ଜଣେ ଓଲଡିଂ ମିସ୍ତ୍ରୀ । ସେ ନିକଟସ୍ଥ ମୁଣ୍ଡାଳୋ ବଜାରରେ ଉକ୍ତ ଦୋକାନ କରି ଷ୍ଟିଲ ଆଲମୀରା ଆଦି ତିଆରି କରି ପରିବାର ପ୍ରତିପୋଷଣ କରୁଛନ୍ତି । ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢିଥିବା ପ୍ରଦୀପ୍ତ ଆର୍ଥିକ ଆନାଟନ ଯୋଗୁଁ ଆଉ ଅଧିକ ପାଠପଢି ପାରିଲେ ନାହିଁ । ପରିବାର ପ୍ରତିପୋଷଣ ପାଇଁ ଦୀର୍ଘ ୧୫ବର୍ଷ ତଳେ ସେ ଭୁବନେଶ୍ୱରସ୍ଥିତ ଏକ ଓଲଡିଂ ଦୋକାନରେ କାମ କରୁଥିଲେ । ପରେ ସେଠାରୁ ଆସି ନିଜେ ଏକ ଓଲଡିଂ ଦୋକାନ ମୁଣ୍ଡାଳୋ ବଜାରରେ କରିଥିଲେ । ପ୍ରଦିପ୍ତ ପେଷାରେ ଥିଲେ ଜଣେ ଓଲଡିଂ ମିସ୍ତ୍ରୀ କିନ୍ତୁ ନିଶା ଥିଲା ଅଲଗା । ଯାନବାହାନ ଚଳାଚଳ ଯୋଗୁଁ ଦିନକୁ ଦିନ ବାୟୁମଣ୍ଡଳ ପ୍ରଦୁଷଣ ହେଉଥିବା ବେଳେ ଶଦ୍ଧ ପ୍ରଦୁଷଣ ବୃଦ୍ଧି ପାଉଛି । ଯାହାଫଳରେ ପରିବେଶ ଦିନକୁ ଦିନ ଦୁଷିତ ହେବାରେ ଲାଗିଛି । କିପରି ପରିବେଶ,ଶଦ୍ଧ ପ୍ରଦୁଷଣକୁ ମୁକ୍ତ କରାଯିବ ସେଥିପାଇଁ ସେ ଚିନ୍ତିତ ଥିଲେ । ନିଜେ ଚଳାଉ ଥିବା ବାଇକରୁ ଧୁଆଁ ବାହାରି ପରିବେଶକୁ ପ୍ରଦୁଷଣ କରୁଥିବା ବେଳେ ବାଇକ ଶଦ୍ଧ ମଧ୍ୟ ହାନିକାରକ ବୋଲି ସେ ଚିନ୍ତା କରିଥିଲେ । ଏହା ସହିତ ଦିନକୁ ଦିନ ତୈଳ ଦାମ ବୃଦ୍ଧି ପାଇବାରେ ଲାଗିଛି । ତୈଳ ଦର ବୃଦ୍ଧି ପାଇବା ହେତୁ ସାଧାରଣ ଲୋକ ଗାଡି ଚଳାଇବା ପାଇଁ ମଧ୍ୟ କଷ୍ଟସାଧ୍ୟ ହୋଇପଡୁଛି ।ଏଥିରୁ ମୁକ୍ତି ପାଇବା ପାଇଁ ପ୍ରଦୀପ୍ତ ଏକ କବାଡିଆ ଦୋକାନରୁ ଏକ ପରିତ୍ୟକ୍ତ ବାଇକକୁ ୧୨ ଶହ ଟଙ୍କା ଦେଇ କ୍ରୟ କରିଥିଲେ । ପରେ ସେହି ବାଇକରେ ୧୨ୱାଟ ବିଶିଷ୍ଟ ୪ଟି ବ୍ୟାଟେରୀ ସହିତ ୭୫୦ ୱାଟର ଏକ ଡିସି ମଟର ଲଗାଇଥିଲେ । ଯାହାଫଳରେ ପ୍ରଦିପ୍ତ ବିନା ତେଲ,ଧୁଆଁ ଓ ଶଦ୍ଧରେ ବାଇକି ଚାଳାଇଥିଲେ । ଗାଡିରେ ଲଗା ଯାଇଥିବା ବ୍ୟାଟେରୀକୁ ଦିନକୁ ୩ ଘଂଟା ବିଦ୍ୟୁତରେ ଚାର୍ଜ କରାଗଲେ । ଅତିକମରେ ଏହି ଗାଡି ୩୦ରୁ ୪୦ କି.ମି ପର୍ଯ୍ୟନ୍ତ ଚାଲୁଥିବା ପ୍ରଦୀପ୍ତ ପ୍ରକାଶ କରିଛନ୍ତି । ଏହି ଗାଡିରେ ଅତିକମରେ ୩ କ୍ୱୁଇଂଟାଲ ପର୍ଯ୍ୟନ୍ତ ଜିନିଷ ବୋହିବାର କ୍ଷମତା ରହିଥିବା ବେଳେ ୨ଜଣ ବ୍ୟକ୍ତି ଏହି ଗାଡିରେ ଆରାମରେ ବସି ବୁଲାବୁଲି କରି ପାରୁଛନ୍ତି । ଏହି ଗାଡି ତିଆରି କରିବା ପାଇଁ ତାଙ୍କୁ ପାଖାପାଖି ୧୮ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିବା ବେଳେ ୨୦ଦିନ ସମୟ ଲାଗିଥିବା ସେ କହିଛନ୍ତି । ଗାଡି ଚାଲିବା ସମୟରେ କୌଣସି ଶଦ୍ଧ ବାହାରୁ ନଥିବା ବେଳେ ଧୂଆଁ ମଧ୍ୟ ବାହାରୁ ନାହିଁ । ଯାହାକି ପରିବେଶ ପ୍ରତି କୌଣସି ବିପଦ ସୃଷ୍ଟି କରୁନାହିଁ । ସେହିପରି ବିଦ୍ୟୁତରେ ଚାର୍ଜ ହେଉଥିବାରୁ ତୈଳ ଦର ବୃଦ୍ଧି ହେତୁ ଗାଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଯାହାକୁ ଦେଖିବା ପାଇଁ ସ୍ଥାନୀୟ ଅଂଚଳରେ ଭିଡ ଜମିଛି ।


