ନିଜ ଜନ୍ମ ସମୟରେ ଉପସ୍ଥିତ ଥିବା ନର୍ସଙ୍କୁ ଭେଟିଲେ ରାହୁଲ
ୱାୟନାଡା(ଏଜେନ୍ସି): ସମ୍ପ୍ରତି କେରଳର ୱାୟନାଡା ଗସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କ ଜନ୍ମ ସମୟରେ ଉପସ୍ଥିତ ଥିବା ଜଣେ ନର୍ସଙ୍କୁ ରବିବାର ଭେଟିଛନ୍ତି । ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ ରାହୁଲ ୱାୟନାଡା ଆସନରୁ ନିର୍ବାଚିତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜ୍ଞାପନ କରିବାକୁ ରାହୁଲ ଏଠାକୁ ଆସିଛନ୍ତି । ଏହି ଅବସରରେ ରାହୁଲ ସମ୍ପୃକ୍ତ ନର୍ସ ରାଜମ୍ମାଙ୍କୁ ଭେଟିଛନ୍ତି । ରବିବାର ସକାଳେ ରାଜମ୍ମା ରାହୁଲଙ୍କୁ ଭେଟିବାକୁ ଆସିଥିଲେ । ରାହୁଲ ତାଙ୍କୁ ଭେଟିବା ସହ ଆଲିଙ୍ଗନ କରି ତାଙ୍କ ସୁଖଦୁଃଖ ପଚାରି ବୁଝିଥିଲେ । ରାହୁଲଙ୍କୁ ଦେଖି ଭାବପ୍ରବଣ ହୋଇପଡିଥିବା ରାଜମ୍ମା, ରାହୁଲଙ୍କୁ କହିଥିଲେ, “ତୁମେ ଜନ୍ମ ହେବା ପରେ ରାଜୀବ ନୁହନ୍ତି କି ସୋନିଆ ନୁହନ୍ତି ବରଂ ମୁଁ ତୁମକୁ ପ୍ରଥମେ କୋଳେଇଥିଲି ଏବଂ ଆଦର କରିଥିଲି ।” ଏହା ଶୁଣିବା ପରେ ରାହୁଲ ଭାବବିହ୍ୱଳ ହୋଇ ପୁଣି ଥରେ ତାଙ୍କୁ ଆଲିଙ୍ଗନ କରିଥିଲେ । ଏହି ମୁହୂର୍ତ୍ତକୁ ବିରୋଧୀ ଦଳ ନେତା ରମେଶ ଚେନିଥାନା ନିଜ କ୍ୟାମେରାରେ କଏଦ କରି ଫେସବୁକରେ ପୋଷ୍ଟ କରିଥିଲେ । ସୂଚନାଯୋଗ୍ୟ, ୫ ଦଶନ୍ଧି ପୂର୍ବେ ରାଜମ୍ମା ନୂଆଦିଲ୍ଲୀର ହୋଲିକ୍ରସ୍ ହସ୍ପିଟାଲରେ କାମ କରୁଥିଲେ । ୧୯୭ଠରେ ରାହୁଲ ଏହି ହସ୍ପିଟାଲରେ ଜନ୍ମଲାଭ କରିଥିଲେ । ରାହୁଲଙ୍କ ଜନ୍ମ ସମୟରେ ରାଜମ୍ମା ଡେଲିଭରି ନର୍ସ ଭାବେ ନିୟୋଜିତ ଥିଲେ ।


