ନିଦ୍ୱର୍ନ୍ଦରେ ବିଜୟୀ ହେଲେ ରଶ୍ମୀତା ସେଠୀ : କେନ୍ଦ୍ରାପଡାରେ ଇତିହାସ ସୃଷ୍ଟି ହେଲା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଚାଲିଥିବା ଛକାପଞ୍ଝାର ଅବସାନ ଘଟିଛି । କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ଗୋଟି ଚାଳନାରେ ନିଦ୍ୱର୍ନ୍ଦରେ ବିଜୟୀ ହୋଇଛନ୍ତି ପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତର ସମିତିସଭ୍ୟା ରଶ୍ମୀତା ସେଠୀ । ପ୍ରଥମ ଥର ପାଇଁ କେନ୍ଦ୍ରାପଡା ବ୍ଲକରେ ଇତିହାସ ସୃଷ୍ଟି ହୋଇଛି । ୨୭ଜଣ ସମିତି ସଭ୍ୟ/ସଭ୍ୟାମାନେ ବ୍ଲକ ପରିସରରେ ଏକାଠି ହୋଇ ବିଧାୟକ ଶ୍ରୀ ବେହେରାଙ୍କ ଦ୍ୱାରା ଚୟନ କରାଯାଇଥିବା ବ୍ଲକ ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ଆକୁଣ୍ଠ ଚିତରେ ସମର୍ଥନ ପ୍ରଦାନ କରିଥିଲେ । ଦଳର ସମର୍ଥିତ ବ୍ଲକ ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କେନ୍ଦ୍ରାପଡା ବିଧାୟକଙ୍କ ସୁପୁତ୍ର ଯୁବନେତା ସତ୍ୟପ୍ରକାଶ ବେହେରା(ଗୁଡୁ) । ଫଳରେ ୨୭ଟି ଗ୍ରାମପଞ୍ଚାୟତର ସମିତିସଭ୍ୟ/ସଭ୍ୟାଙ୍କ ମଧ୍ୟରେ କେହି ଜଣେ ବି ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ନାମାଙ୍କନ ଦାଖଲ କରି ନଥିଲେ । କେବଳ ରଶ୍ମୀତା ଏକାକି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ନକରିବାରୁ ନିର୍ବାଚନ ଅଧିକାରୀ ତଥା ମହାକାଳପଡ଼ା ମଣ୍ଡଳ ଉନ୍ନୟନ ଅଧିକାରୀ ଦେବାଶିଷ ରାଉତ ରଶ୍ମୀତାଙ୍କୁ ବିଜୟୀ ଘୋଷଣା କରିଥିଲେ । ପଞ୍ଚାୟତ ନିର୍ବାଚନ ପରଠାରୁ ପୂର୍ବତନ ବିଧାୟକ କିଶୋର ତରାଇ କେତେକ ସମିତିସଭ୍ୟଙ୍କୁ ନିଜ ଶିବିରରେ ରଖିଥିଲେ । ବିଧାୟକ ଶଶିଭୂଷଣଙ୍କ ଶିବିରରେ ମଧ୍ୟ କେତେକ ସମିତିସଭ୍ୟ ଥିଲେ । ତେଣୁ କିଶୋର ଓ ଶଶିଙ୍କ ପ୍ରାର୍ଥୀଙ୍କ ମଧ୍ୟରେ ଗତ ୨୦୨୦ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ ଭଳି ଟକ୍କର ହେବ ବୋଲି ଆଶା କରାଯାଉଥିଲା । ଅର୍ଥାତ ଉଭୟ କିଶୋର ଓ ଶଶିଙ୍କ ପାଖରେ ଥିବା ପ୍ରାର୍ଥୀଙ୍କ ମଧ୍ୟରେ ନିର୍ବାଚନ ହେବ ବୋଲି ଆଶା କରାଯାଉଥିଲା । କିଶୋର ନିଶ୍ଚିତ ଭାବେ କୈାଣସି ସମିତିସଭ୍ୟାଙ୍କୁ ପ୍ରାର୍ଥୀ କରିବେ ବୋଲି ଆଲୋଚନା ଚାଲିଥିଲା । କିନ୍ତୁ ଶେଷ ବେଳକୁ ବିଧାୟକଙ୍କ ବିଚକ୍ଷଣ ବୁଦ୍ଧି ଯୋଗୁ ସମସ୍ତ ସମିତିସଭ୍ୟ /ସଭ୍ୟା ଶଶିଙ୍କ ଶିବିରରେ ଯୋଗ ଦେଇଥିଲେ । ଶନିବାର ସକାଳୁ ୨୭ଟି ପଞ୍ଚାୟତର ୨୭ ଜଣ ସମିତିସଭ୍ୟ/ସଭ୍ୟା ବିଧାୟକଙ୍କ ହାଡିବନ୍ଧୁବିହାର ସ୍ଥିତ ବାସଭବନକୁ ଆସିଥିଲେ । ବିଧାୟକ ସେମାନଙ୍କ ସହ ଆଲୋଚନା କରିଥିଲେ । ଫଳରେ ବିଧାୟକ ଯାହାଙ୍କୁ ପ୍ରାର୍ଥୀ କରିବେ ତାଙ୍କ ବିରୋଧରେ କେହି ପ୍ରାର୍ଥୀ ହେବେ ନାହିଁ ବୋଲି ସମସ୍ତେ ସହମତି ଜଣାଇଥିଲେ । ଏପରିକି ପ୍ରାର୍ଥୀ ହେବା ପାଇଁ ଦୌଡ଼ରେ ଥିବା ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟା ଉର୍ମିଳା ସେଠୀ ମଧ୍ୟ ବିଧାୟକଙ୍କ ବିରୋଧରେ ଯିବେ ନାହିଁ ବୋଲି କହିଥିଲେ । ଏଥିରୁ ବିଧାୟକଙ୍କ ସାଙ୍ଗଠନିକ ଦକ୍ଷତା ପ୍ରମାଣିତ ହୋଇଥିଲା । ବିଧାୟକଙ୍କ ସାଙ୍ଗଠନିକ ଦକ୍ଷତା ହେତୁ ବିଭିନ୍ନ ଦଳର ସମର୍ଥନରେ ଥିବା ୨୭ ଜଣ ସମିତିସଭ୍ୟ/ସଭ୍ୟା ବିଧାୟକଙ୍କ ଶିବିରରେ ରହିଥିଲେ । ଯାହାର ଫଳ ସ୍ୱରୂପ ରଶ୍ମୀତା ନିଦ୍ୱର୍ନ୍ଦରେ ବିଜୟୀ ହୋଇଥିଲେ । ଏକାକୀ ରଶ୍ମିତା ପୂର୍ବାହ୍ଣ ୧୧ଟା ବେଳେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବିଧାୟକଙ୍କ ପୁଅ ସତ୍ୟପ୍ରକାଶ ବେହେରା ରଶ୍ମୀତାଙ୍କୁ ସାଙ୍ଗରେ ନେଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସମସ୍ତ ୨୭ ସମିତିସଭ୍ୟ/ସଭ୍ୟାଙ୍କ ସହ ଦୀର୍ଘଦିନ ଧରି ସତ୍ୟପ୍ରକାଶ ଯୋଗସୂତ୍ରରେ ଥିଲେ । ତେଣୁ ବାପାଙ୍କ ଭଳି ସତ୍ୟପ୍ରକାଶ ମଧ୍ୟ ରାଜନୀତିରେ ପରିପକ୍ୱ ବୋଲି ପ୍ରମାଣ ଦେଇଛନ୍ତି । ରଶ୍ମୀତା ବିଜୟୀ ହେବା ପରେ ବିଧାୟକ ଶ୍ରୀ ବେହେରାଙ୍କୁ ହାଡିବନ୍ଧୁ ବିହାରସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ । ବ୍ଲକ ଅଧ୍ୟକ୍ଷା ଭାବେ ରଶ୍ମିତାଙ୍କ ବିଜୟ ପରେ ତାଙ୍କୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ୮ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ପୂର୍ବତନ କଳପଡା ସମିତିିସଭ୍ୟ ସୁରେନ୍ଦ୍ର ଜେନା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅଜୟ କୁମାର ମହାନ୍ତି, ପୂର୍ବତନ ଜିଲା ପରିଷଦ ସଭ୍ୟ ରବିନ୍ଦ୍ର କୁମାର ପଣ୍ଡା ଓ ଯୁବ ନେତା ନରୋତ୍ତମ ମଲ୍ଲିକ ପ୍ରମୁଖଙ୍କ ସମେତ ଶତାଧରକ ଦଳୀୟ କର୍ମୀ ଓ ଜନ ପ୍ରତିନିଧିମାନେ ଶୁଭେଛା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ