ନିମାପଡ଼ା କୁ ଉପଖଣ୍ଡ ଘୋଷଣା ଦାବି
ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡା ଅଞ୍ଚଳ ର ସମସ୍ତ ଯୋଗ୍ୟତା ଥିବା ସତ୍ତ୍ବେ ରାଜନୈତିକ ଇଚ୍ଛାଶକ୍ତି ର ଅଭାବ ଓ ପ୍ରଶାସନିକ ଅବହେଳା କାରଣରୁ ନିମାପଡା କୁ ଉପଖଣ୍ଡ ର ମାନ୍ୟତା ଦିଆଯାଇପାରି ନାହିଁ I ଏଥିପାଇଁ ସାଧାରଣ ଲୋକ ଓ ବୁଦ୍ଧିଜୀବି ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଦୀର୍ଘ ବର୍ଷ ହେବ ନିମାପଡା, ଗୋପ, କାକଟପୁର, ଅସ୍ତରଙ୍ଗ ବ୍ଲକ ଓ ନିମାପଡା, କୋଣାର୍କ ଏନ ଏ ସି କୁ ନେଇ ପ୍ରସ୍ତାବିତ ନିମାପଡା ଉପଖଣ୍ଡ ଘୋଷଣା ସରକାରୀ ନାଲି ଫିତା ତଳେ ଚାପି ହୋଇ ରହିଛି । ଗତ ୨୦୧୬ ମସିହା ରେ ଏହି ଅଞ୍ଚଳ ର ଲୋକସଂଖ୍ୟା ୫ଲକ୍ଷ ୮୧ ହଜାର ୪୯୯ ହୋଇଥିବା ଜଣାପଡିବାପରେ ନିମାପଡ଼ା କୁ ଉପଖଣ୍ଡ ଘୋଷଣା କରା ଯିବାକୁ ନିଷ୍ପତ୍ତି ହୋଇଥିଲା । ରାଜ୍ୟ ର ଦେବଗଡ଼, ମାଲକାନଗିରି, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ଗଜପତି, ଝାରସୁଗୁଡ଼ା ପ୍ରଭୃତି ଜିଲ୍ଲା ର ଜନସଂଖ୍ୟା ଠାରୁ ନିମା-ପଡ଼ା ଅଞ୍ଚଳ ର ଜନସଂଖ୍ୟା ଅଧିକ ହୋଇଥିଲେ ମଧ୍ୟ ନିମାପଡା କୁ ଉପଖଣ୍ଡ ଘୋଷଣା କରିବାକୁ ସରକାର କାହିଁକି କାଳକ୍ଷେପଣ ନିତି କରୁଛନ୍ତି ତାହାହିଁ ଏହି ଅଞ୍ଚଳ ର ବୁଦ୍ଧି- ଜୀବି, ଜନସାଧାରଣ ଙ୍କୁ ବିସ୍ମିତ କରିଛି । ନିମାପଡା ରେ ଅତିରିକ୍ତଜିଲ୍ଲା ଜଜ କୋଟ୍, ଜଳସମ୍ପଦ ବିଭାଗ, ପୋଲିସ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଦ୍ୟୁତ ବିଭାଗ ର ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ, ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ରହିଛି।ତେବେ ସମସ୍ତ ଯୋଗ୍ୟତା ଥିବା ସତ୍ତ୍ବେ ନିମାପଡା କୁ ଉପଖଣ୍ଡ ଘୋଷଣା କରାଯାଉନାହିଁ କାହିଁକି ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି । ନିମାପଡା ଓ କାକଟପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଦ୍ବୟ ଏବେ ବିଜେଡ଼ି ସରକାର ରେ ମନ୍ତ୍ରୀ ଅଛନ୍ତି । ସେମାନେ ଚାହିଁଲେ ସରକାର ନିମାପଡା କୁ ଉପଖଣ୍ଡ ଘୋଷଣା କରି ପାରନ୍ତେ । ଏବେ ପୁରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ସବ – ଡିଭିଜନ କାର୍ଯ୍ୟାଳୟ କାର୍ଯ୍ୟ କରୁଛି । ଏହି ଅଞ୍ଚଳ ର ଲୋକ ମାନେ କିଛି କାର୍ଯ୍ୟ ପଡ଼ିଲେ ବାଧ୍ୟ ହୋଇ ପୁରୀ ଦୌଡୁଛନ୍ତି । ତେବେ ଅଧିକାଂଶ ସମୟ ରେ ପୁରୀ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଶ୍ରୀ ମନ୍ଦିର ଓ ଅନ୍ୟାନ୍ୟ ଆଇନଗତ କାର୍ଯ୍ୟ ରେ ବ୍ୟସ୍ତ ରହୁଥିବାରୁ ପୁରୀ ଦୌଡ଼ି ଯାଇ ଥିବା ବ୍ୟକ୍ତି କାର୍ଯ୍ୟ ନକରିପାରି ନିରାଶ ରେ ଫେରୁଛନ୍ତି। ଯଦି ନିମାପଡା ଠାରେ ସବ୍ – ଡିଭିଜନ କାର୍ଯ୍ୟାଳୟ ହୋଇପାରନ୍ତା ତେବେ ଲୋକମାନେ ଅଯଥା ଖର୍ଚ୍ଚାନ୍ତ ରୁ ରକ୍ଷା ପାଇବା ସହିତ ସେମାନଙ୍କର ସମୟ ଅପଚୟ ହୁଅନ୍ତା ନାହିଁ । ନିମାପଡା ଓ କାକଟପୁର ନିର୍ବାଚନ ମଣ୍ଡଳୀ ଦ୍ବୟ ର ଜନ ସାଧାରଣ ଉପକୃତ ହୋଇପାରନ୍ତେ । ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ନିମାପଡା କୁ ଉପଖଣ୍ଡ ଘୋଷଣା କରିବାକୁ ବରିଷ୍ଠ ନାଗରିକ ମଞ୍ଚ, ବୁଦ୍ଧିଜୀବି, ସାଧାରଣ ଲୋକ ଙ୍କ ପକ୍ଷରୁ ୫ଟି ସଚିବ, ବିଭାଗୀୟ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ପ୍ରମୁଖ ଙ୍କ ନିକଟରେ ଦାବି ହେଉଛି ।