ପୁଣ୍ୟତୋୟା ପ୍ରାଚୀନଦୀକୁ ଆବର୍ଜନା ମୁକ୍ତ କରିବାକୁ ଦାବି
ନିମାପଡ଼ା, ( ସନ୍ତୋଷ ଦାଶ) :-ପୂଣ୍ୟତୋୟା ପବିତ୍ର ପ୍ରାଚୀ ନଦୀର ଜଳକୁ ଦେଖି ଦୂର ଦୂରାନ୍ତରୁ କାକଟପୁର ର ପ୍ରସିଦ୍ଧ ମା ମଙ୍ଗଳା ଙ୍କ ମନ୍ଦିର କୁ ଆସି ଛୋଟ ପିଲାଙ୍କୁ ମଣ୍ଡନ କରିବାକୁ ଆସୁଥିବା ଭକ୍ତ ମାନେ ନାକରେ ଲୁଗାଦେଇ ଧାର୍ମିକ ଭାବନା ଯୋଗୁଁ ମଣ୍ଡନ କରିବାକୁ ବାଧ୍ୟ ହେଉଛନ୍ତି। ପ୍ରାଚୀ ନଦୀର ପବିତ୍ରତା ରକ୍ଷା କରି ଏହାକୁ ଚିରସ୍ରୋତା କରିବା ପାଇଁ ତଟସ୍ଥ ବହୁ ବୁଦ୍ଧିଜୀବୀ, ସଂଗଠନ, ବ୍ୟକ୍ତି, ଗବେଷକ,ସ୍ବଛାସେବୀ ମାନେ ପ୍ରୟାସ ଜାରି ରଖିଛନ୍ତି ସତ। କିନ୍ତୁ ପ୍ରଥମରୁ ଏହାକୁ ଅପବିତ୍ର ଓ ଅପରିଷ୍କାର କରୁଥିବା କାରଣ ଗୁଡିକୁ ଚିହ୍ନଟ ନ କରି ଉପର ଠାଉରିଆ ଭାବରେ ସଭାସମିତି କରି ଗଣମାଧ୍ୟମ ଜରିଆରେ ନିଜସ୍ବ ପ୍ରଚାର ଉପରେ ଗୁରୁତ୍ବ ଦେଉଛନ୍ତି। ସାଧାରଣତଃ ତିନୋଟି କାରଣ ଉପରେ ଯଦି ଉଦ୍ୟକ୍ତା ମାନେ ଓ ସରକାରୀ ସ୍ତରରେ ଚେଷ୍ଟା ଜାରି ରୁହନ୍ତା ତେବେ ଶତକଡା ୯୦ଭାଗ କାକଟପୁର ଠାରେ ପ୍ରାଚୀ ଜଳ ପ୍ରଦୂଷଣ ମୁକ୍ତ ହୋଇ ପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି।ପ୍ରଥମରେ ଦୂରଦୂରାନ୍ତରୁ ପିଲାଙ୍କୁ ମଣ୍ଡନ କରିବାକୁ ଆଣୁଥିବା ଅଭିଭାବକ ମାନଙ୍କୁ ଘଣ୍ଟତୋଳା ତୁଠରେ ମଣ୍ଡନ କରି ପିଲା ପିନ୍ଧିଥିବା ପ୍ୟାଣ୍ଟି,ସହ ସମସ୍ତ ବର୍ଜ୍ୟବସ୍ତୁ ଓ ଆଣିଥିବା ପଲିଥିନକୁ ତୁଠ ପାଣିରେ ନ ପକାଇ ସେଠାରେ ଥିବା ଡଷ୍ଟବିନ୍ ରେ ପକାଇବା ପାଇଁ ପରାମର୍ଶ ଦିଆଯାଆନ୍ତା। ସେଥିପାଇଁ ମନ୍ଦିର ପକ୍ଷରୁ ଜଗୁଆଳୀ ନିଯୁକ୍ତି କରାଯାଆନ୍ତା।, ଦ୍ଵିତୀୟ ରେ ମାଙ୍କ ଚନ୍ଦନ ମଣ୍ଡପ ତୁଠ ଯେଉଁଠାରେ ଚାପ ଖେଳାଯାଏ ସେଠିକାର ବାସିନ୍ଦାଙ୍କ ସହ ବିଶ୍ଵାମିତ୍ର ମଠ ଠାରୁ ଦେଉଳି ମଠ ମଧ୍ୟରେ ଥିବା ବାସିନ୍ଦାଙ୍କୁ ବାରଣ କରାଯାଉ ସେମାନେ ଯେମିତି ସେମାନଙ୍କ ଘର ର ଦୂଷିତ ପାଣି, ବର୍ଜ୍ୟବସ୍ତୁ ନଦୀ ମଧ୍ୟକୁ ନ ଛାଡନ୍ତୁ। ତୃତୀୟ ରେ କାକଟପୁର ମଙ୍ଗଳା ମହାବିଦ୍ୟାଳୟ କୁ ସଂଯୋଗ କରୁଥିବା ପୋଲ ଉପରୁ ଏ ଅଞ୍ଚଳରେ ହୋମଯଜ୍ଞାଦି କର୍ମକାଣ୍ଡରେ ବ୍ୟବହୃତ ସମସ୍ତ ବର୍ଜ୍ୟ ପଦାର୍ଥକୁ ଆୟୋଜକ ମାନେ ଏହିଠାରେ ଆଣି ବିସର୍ଜନ କରି ଥାଆନ୍ତି। ସେମାନଙ୍କୁ ସେସବୁ କରିବା ପାଇଁ ନିରୁତ୍ସାହିତ କରାଯାଉ। ଯଦି ପ୍ରାଚୀ କୁ ଭଲ ପାଉଥିବା ସଂଗଠନ ଓ ବ୍ୟକ୍ତିମାନେ ଏହି ୩ଟି ଦିଗକୁ ଦୃଷ୍ଟିରେ ରଖି କାର୍ଯ୍ୟ କରନ୍ତେ ତେବେ ପ୍ରାଚୀ ନଦୀ ଜଳ ପରିଷ୍କାର ପରିଚ୍ଛନ୍ନ ରହି ପାରନ୍ତା । ମା ମଙ୍ଗଳା ଙ୍କ ମନ୍ଦିର ତରଫରୁ ଯାତ୍ରୀ, ପର୍ଯ୍ୟଟକ ଙ୍କ ଠାରୁ ଗାଡି ପାର୍କିଂ, ଭୋଗ, ଦୀପ ବାବଦ ରେ ବହୁ ଅର୍ଥ ଆଦାୟ କରା ଯାଉ ଥିବାବେଳେ ଛୋଟ ପିଲା ଙ୍କ ମୁଣ୍ଡ ମଣ୍ଡନ କରିବାକୁ ବି ଦେୟ ଆଦାୟ କରାଯାଉଛି । କିନ୍ତୁ ଭକ୍ତ, ଯାତ୍ରୀ,ପର୍ଯ୍ୟଟକ ମାନଙ୍କୁ ଯେତିକିମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବା କଥା ଦିଆଯାଉନଥିବା ଅଭିଯୋଗ ହେଉଛି । ଘଣ୍ଟ ତୋଳା ତୁଠ ଠାରେ ନଦୀ ମଧ୍ୟ ରେ ବ୍ୟାରିକେଟ ନିର୍ମାଣ ସାଙ୍ଗକୁ ସେଠାର ପାଣି କୁ ପରିଷ୍କାର ପରିଚ୍ଛନ୍ନ ରଖିଲେ ଯାତ୍ରୀ, ଭକ୍ତ, ପର୍ଯ୍ୟଟକ ମାନେ ପ୍ରାଚୀ ନଦୀ ଜଳ ରେ ସ୍ନାନ କରିବା ସହିତ ସୁବିଧାରେ ପିଲା ମାନଙ୍କୁ ମଣ୍ଡନ କରି ପାରନ୍ତେ । ଏ ଦିଗରେ ଦୃଷ୍ଟି ଦିଆଗଲେ ଆଗାମୀ ପର୍ଯ୍ୟଟନ ୠତୁ କାକଟପୁର ମା ମଙ୍ଗଳା ଙ୍କ ମନ୍ଦିର କୁ ବହୁ ଭକ୍ତ, ଯାତ୍ରୀ, ପର୍ଯ୍ୟଟକ ଆସିପାରନ୍ତେ ବୋଲି ମତ ପ୍ରକାଶ ପାଉଛି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଓ ପୁରୀ ଜିଲ୍ଲାପାଳ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମାତୃ ଭକ୍ତ ମହଲ ରେ ଦାବି ହେଉଛି।


