ନିମାପଡାରେ ସମୀରଙ୍କ ଶକ୍ତି ପ୍ରଦର୍ଶନ ଟିକେଟ ପରିବର୍ତ୍ତନ ଦାବି
ନିମାପଡା,( ସନ୍ତୋଷ ଦାଶ) ନିମାପଡ଼ା ବିଧାନସଭା ଆସନରେ ବିଜେଡି ଦଳୀୟ ବିଧାୟକ ସମୀର ରଞ୍ଜନ ଦାଶଙ୍କ ବଦଳରେ ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେଇଛି । ଯାହାକୁ ନେଇ ବିଜେଡି ନେତା ଓ କର୍ମୀ ମାନେ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଆଜି ହଜାର ହଜାର ଦଳୀୟ କର୍ମୀ ଓ ନେତା ନିମାପଡ଼ା ର ବାରବାଟୀ ପଡ଼ିଆ ଠାରେ ଏକାଠି ହୋଇ ନିଷ୍ପତ୍ତି ବଦଳାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଦଳ ଏଥର ନିମାପଡ଼ା ପାଇଁ ଗତ କିଛି ଦିନ ତଳେ ବିଜେପି ଦଳ ତ୍ୟାଗ କରି ବିଜେଡ଼ି ରେ ଯୋଗ ଦେଇଥିବା ନେତା ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେଇଛି । ଯାହାକୁ ନେଇ ନିମାପଡ଼ାରେ ବିଜେଡି ସଂଗଠନରେ ଅସନ୍ତୋଷର ବହ୍ନି ଜଳି ଉଠିଛି । ନିମାପଡ଼ାରେ ମେଳି ବାନ୍ଧି ସମୀର ରଞ୍ଜନ ଦାଶ ଙ୍କ ସମର୍ଥକ ମୁଖ୍ୟମନ୍ତ୍ରୀଙ୍କୁ ନିମାପଡ଼ା ଟିକେଟ ନେଇ ପୁନଃ ବିଚାର ପାଇଁ ଦାବି କରିଛନ୍ତି । ଏହି ସଭାରେ ନିମାପଡ଼ା ,ଗୋପ ଓ ନିମାପଡ଼ା ବ୍ଲକ, ଏନ ଏ ସି ର ଦଳୀୟ ଅଧ୍ୟକ୍ଷ , ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ , ଜିଲ୍ଲା ପରିଷଦ ,ବିଭିନ୍ନ ପଞ୍ଚାୟତର ଦଳୀୟ ସଭାପତି, ମହିଳା ସଙ୍ଗଠନ ର ନେତୃତ୍ଵ ମାନେ ସାମିଲ ହୋଇ ବିଜେଡି ସୁପ୍ରିମୋ ନିମାପଡ଼ାରେ ଟିକେଟକୁ ନେଇ ପୁନଃ ବିଚାର କରନ୍ତୁ ବୋଲି ଦାବି କରିଥିଲେ । ଯଦି ବିଜେଡ଼ି ଟିକେଟ ପ୍ରଦାନ ର ପୁନଃ ବିଚାର ନ କରେ ତେବେ ସମୀର ସମର୍ଥକ ମାନଙ୍କ ସହିତ ଆଲୋଚନା କରି ସେମାନେ ଯାହା ପରାମର୍ଶ ଦେବେ ସେହି ଅନୁସାରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ପ୍ରକାଶ କରିଥିଲେ। ଏହି ଘଟଣା ସମଗ୍ର ରାଜ୍ୟ ରେ ଚର୍ଚ୍ଚା ର ବିଷୟ ପାଲଟିଥିବାବେଳେ ବିଜେଡ଼ି ଦଳ କୁ ହରଡ ଘଣା ରେ ପକାଇଛି। ଦେଖାଯାଉ ବିଜେଡ଼ି ସୁପ୍ରିମୋ କଣ ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ତାହାକୁ ନିର୍ବାଚନମଣ୍ଡଳୀ ର ସମସ୍ତ ଜନ ସାଧାରଣ ଚାତକ ପରି ଚାହିଁ ବସି ଛନ୍ତି।


