ନିମ୍ନମାନର ସାର ଯୋଗାଣ ଅଭିଯୋଗ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅଧିନ କିଛି ସମବାୟ ସମିତିକୁ ମାର୍କଫେଡ ସଂସ୍ଥା ଖରିଫ ଧାନ ଚାଷ ପାଇଁ ରାସାୟନିକ ସାର ଯୋଗାଣ କରିଛି। ବ୍ଲକ ଅଧିନ ନଗୁଆଁ ଓ ସରସଦା ସମିତିକୁ ଛାଡି ଅନ୍ୟ ଆଠ ଗୋଟି ସମିତିକୁ ସଂସ୍ଥା ସାର ଯୋଗାଇଛି। କିଛି ସ୍ଥାନରେ ସମିତି ଚାଷୀ ମାନଙ୍କୁ ନିମ୍ନମାନର ସାର ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ଅଭିଯୋଗ ଅନୁଯାୟୀ ରହଣିଆ ପଞ୍ଚାୟତ ଆକୁଲିକଣା ଗ୍ରାମର ଚାଷୀ ଉମାକାନ୍ତ ସାମଲ ନିକଟ ସମିତିରୁ ଖରିଫ ଚାଷ ପାଇଁ ଋଣ ବାବଦୀୟ ସାର କ୍ରୟ କରିଥିଲେ। ସେ ଆଣିଥିବା ସାର ଅତି ନିମ୍ନମାନର ଥିବା ଅଭିଯୋଗ କରିଛନ୍ତି। ସାରରେ ସଠିକ ମାନ ନଥିବା ବେଳେ ତାହା ଚାଷ ଜମିରେ କାମ କରିବକି ନାହିଁ ସେ ସନ୍ଦେହ ପ୍ରକଟ କରିଛନ୍ତି। ଏନେଇ ସାର ଯୋଗାଣକାରୀ ସଂସ୍ଥା ଜିଲ୍ଲା ମାର୍କଫେଡ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ କୌଣସି ସମିତିକୁ ଖରାପ ସାର ଯାଇନାହିଁ। କମ୍ପାନୀରୁ ସିଧା ସାର ଆସି ସମିତି ପାଖକୁ ଯାଇଥିବା ସେ ସୂଚନା ଦେଇଛନ୍ତି। ତେଣୁ ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି।