ନିମ୍ନ ମାନରେ ନିର୍ମାଣ ହୋଇଛି ଅଙ୍ଗନୱାଡ଼ି ଗୃହ, ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା
ମୋହନ, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବିଭିନ୍ନ ଦିଗରେ ଆଦିବାସୀ ବହୁଳରେ ଉନ୍ନତି ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ସେଥି ମଧ୍ୟରୁ ଶଶୁମାନଙ୍କ ପ୍ରାଥମିକ ଶିକ୍ଷା ନିମନ୍ତେ ନିର୍ମାଣ ହୋଇଛି ଅଙ୍ଗନୱାଡି କେନ୍ଦ୍ର । ୩୯ଟି ପଂଚାୟତରେ ୫୦୦ରୁ ଉର୍ଦ୍ଧ୍ୱ ଅଙ୍ଗନବାଡି ଗୃହ ନିର୍ମାଣ ହୋଇଛି । ସେଥି ମଧ୍ୟରୁ କିଛି ସ୍ଥାନରେ ଅଧାପନ୍ତରିଆ ହୋଇ ଅସାଧୁ ବ୍ୟକ୍ତିଙ୍କ ଆଡ଼ାସ୍ଥଳି ପାଲଟିଛି । ଶିକ୍ଷାସ୍ଥାନରେ ମଦ ଓ ଜୁଆ ଆଡ୍ଡା ପାଇଁ ବେସ୍ କାମରେ ଲାଗୁଛି ଅଧପନ୍ତରିଆ ଅଙ୍ଗନୱାଡ଼ି ଗୃହ । ସେଥି ମଧ୍ୟରୁ କିଛି ସ୍ଥାନରେ ନିମ୍ନମାନର ଅଙ୍ଗନୱାଡି ଗୃହ ନିର୍ମାଣ ହୋଇ ଟଙ୍କା ହଡ଼ପ କରାଯାଇଥିବା ବେଳେ ଯନ୍ତ୍ରୀମାନେ ମୋଟା ଅଙ୍କର ପିସି ନେଇ ମହାତ୍ମା ଗାନ୍ଧୀଙ୍କ ତିନି ମାଙ୍କଡ଼ଙ୍କ ଭଳି ଚୁପ ହୋଇ ବସିଛନ୍ତି । କେଉଁଠି ଛାତରେ ପାଣି ଜମି ରହିଛି ତ ଆଉ କେଉଁଠି ଗାଇଗୋରୁ ରହିବା ପାଇଁ ଗୁହାଳ ହୋଇଛି, ଆଉ କେଉଁଠି କାନ୍ଥ ଫାଟି ଆଁ କରି ରହିଛିଁ । ସେଥି ମଧ୍ୟରୁ ବାଦ୍ ପଡ଼ିନି ମୋହନା ବ୍ଲକ୍ ଠାରୁ ମାତ୍ର ୧ କିମି ଦୂରରେ ଥିବା ବିଦ୍ୟୁତ ବିଭାଗ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ହୋଇଥିବା ହାଇସ୍କୁଲ ଛକର ଅଙ୍ଗନୱାଡି କେନ୍ଦ୍ର, ସ୍ପଷ୍ଟ ଚିତ୍ର ଦେଖାଉଛି ଯେ, ବିକଳାଙ୍ଗ ଅବସ୍ଥାରେ ନିର୍ମାଣ ହୋଇଛି ଗୃହ । ଏପରିକି ଗୃହ ନିର୍ମାଣରେ ନିମ୍ନ ମାନର ଲୁହାଛଡ଼, ସିମେଂଟ ଆଦି ବ୍ୟବହାର କରାଯାଇଥିବା ଜଳ ଜଳ ହୋଇ ଦେଖାଯାଉଛି । ଏଥିପ୍ରତି ବ୍ଲକ୍ ପ୍ରଶାସନର କିପରି ନଜର ନାହିଁ ଓ ଯନ୍ତ୍ରୀମାନେ କିପରି ଚୁପ୍ ରହିଛନ୍ତି ତାହା ଏବେ ହାଇସ୍କୁଲ୍ ଶିଶୁଙ୍କ ଅଭିଭାବକମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।


