ଆରୋଗ୍ୟ ସେତୁ ସୁରକ୍ଷିତ : କେନ୍ଦ୍ର ସରକାର
ନୂଆଦିଲ୍ଲୀ : ଆରୋଗ୍ୟ ସେତୁର ସୁରକ୍ଷାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା । ତେବେ ଏହି ଆପସ ସମ୍ପୂର୍ଣ୍ଣ ସୁରକ୍ଷିତ ଓ କୌଣସି ତଥ୍ୟ ପ୍ରଘଟ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । କରୋନା ସମ୍ପର୍କିତ ତଥ୍ୟ ସହ ନିଜେ ରହୁଥିବା ଅଂଚଳରେ କରୋନା ସଂକ୍ରମିତ ଅଛନ୍ତି କି ନାହିଁ ତାହା ଜାଣିବା ନିମନ୍ତେ ଏହି ଆରୋଗ୍ୟ ସେତୁ ବ୍ୟବହାର କରାଯାଉଛି ।
ଗତ ମଙ୍ଗଳବାର ଫ୍ରେଂଚ ହ୍ୟାକର ତଥା ସାଇବର ସିକ୍ୟୁରିଟି ବିଶେଷଜ୍ଞ ଇଲିଅଟ ଆଲଡ଼ରସନ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏପରିକି ଏଥିପାଇଁ ୯ କୋଟି ଭାରତୀୟଙ୍କ ଗୋପନୀୟତା ବିପଦରେ ବୋଲି କହିଥିଲେ । କିନ୍ତୁ ଭାରତ ସରକାର ଏଭଳି ଦାବିକୁ ଖଣ୍ଡନ କରିଛନ୍ତି । ଏହାଦ୍ୱାରା କୌଣସି ବ୍ୟକ୍ତିଙ୍କର ବ୍ୟକ୍ତିଗତ ତଥ୍ୟ ପ୍ରଘଟ ହୋଇପାରିବ ନାହିଁ । ସ୍ୱତନ୍ତ୍ର ଟିମ ସର୍ବଦା ଏଥିପ୍ରତି ଦୃଷ୍ଟି ରଖିଛନ୍ତି । ହ୍ୟାକର ସହ ମଧ୍ୟ ସରକାର କଥା ହୋଇଥିଲେ । ତେବେ ସେ ସୁରକ୍ଷାକୁ ନେଇ ଯେଉଁ ପ୍ରଶ୍ନ ଉଠାଇଥିଲେ ସେଭଳି ହେବାର ଆଶଙ୍କା ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ।


