ନିଯୁକ୍ତି ପାଇଥିବା ଶିକ୍ଷକ ଓ ଅଣଶିକ୍ଷକମାନଙ୍କୁ ବେତନ ପ୍ରଦାନ କରିବା ପାଇଁ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ନିକଟରେ ଦାବୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକ ଓ ଅଣଶିକ୍ଷକ (+୨ ଏବଂ +୩) କର୍ମଚାରୀ ସଂଘ, ଓଡ଼ିଶା ତରଫରୁ ଉଚ୍ଚଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଇଂ ରୋହିତ ପୂଜାରୀ ମହୋଦୟଙ୍କୁ ବାସଭବନରେ ସଂଘର ସଭାପତି ଶ୍ରୀ ଦୀପକ କୁମାର ସାହୁ ସାକ୍ଷାତ୍ କରିଛନ୍ତି । ପରିଚାଳନା କମିଟି ଦ୍ୱାରା ୦୧.୦୬.୨୦୦୮ରୁ ୩୦.୧୧.୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ ଅଣଶିକ୍ଷକମାନେ ଦୀର୍ଘ ୧୩ରୁ ୧୪ ବର୍ଷ ଅନବରତ ଏବଂ ବିନା ଦ୍ୱିଧାରେ ନିରବଚ୍ଛିନ୍ନ ଭାବରେ ଶିକ୍ଷାଦାନ କରୁଛନ୍ତି । ମାତ୍ର ଦୁଃଖ ଓ ବିଡ଼ମ୍ବନାର ବିଷୟ ଏହି କି ଉଚ୍ଚଶିକ୍ଷା ବିଭାଗ ୨୦୧୯ ମସିହାରେ ରାଜ୍ୟର ପାଞ୍ଚଗୋଟି ଆଞ୍ଚଳିକ ନିର୍ଦ୍ଦେଶକ ମାଧ୍ୟମରେ ଶିକ୍ଷକ ଓ ଅଣଶିକ୍ଷକ ମାନଙ୍କ ତାଲିକା ମଗା ଯାଇଥିଲା ଏବଂ ୧୪୦୦ ଶିକ୍ଷକ ଓ ୧୩୫୦ ଅଣଶିକ୍ଷକ ତାଲିକା ପ୍ରସ୍ତୁତ କରାଯାଇଥିଲା, ସେମାନଙ୍କ ପାଇଁ ୧୪,୨୧,୧୬,୦୦୦/- ଟଙ୍କାର ଏକ ବଜେଟ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ତରଫରୁ କୌଣସି ଅନୁଦାନ ନୀତି ପ୍ରଣୟନ କରାଯାଇ ନାହିଁ । ଆଜି ସାକ୍ଷାତକାରରେ ଖୁବ୍ ଶୀଘ୍ର ୦୧.୦୬.୨୦୦୮ରୁ ୩୦.୧୧.୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ ଅଣଶିକ୍ଷକମାନଙ୍କ ପାଇଁ ଏକ ନୂତନ ଅନୁଦାନ ନୀତି ସହିତ ବେତନ ପ୍ରଦାନ କରିବାକୁ ସଂଘ ତରଫରୁ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।