ନିର୍ବାଚନୀ ପ୍ରତିଶୃତି ପୂରଣ ପାଇଁ ସଦର ବିଧାୟକ ମାନସ ଦତ୍ତଙ୍କ ପ୍ରଥମ ପଦକ୍ଷେପ
ବାଲେଶ୍ୱର, (ସରୋଜ ପଣ୍ଡା):ସାଧାରଣ ନିର୍ବାଚନ ସମୟରେ ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶୃତି ପୂରଣ ପାଇଁ ସରକାରୀସ୍ତରରେ ଉଦ୍ୟମ ଆରମ୍ଭ କରିଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ । ସଦର ବ୍ଲକ ଅନ୍ତର୍ଗତ ସାର୍ଥା ପଂଚାୟତର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସାର୍ଥା ରାଜସ୍ୱ ଗ୍ରାମକୁ ଦୁଇ ଭାଗରେ ବିଭକ୍ତ ପାଇଁ ଲୋକେ ଦୀର୍ଘ ଦିନରୁ ଦାବୀ କରିଆସୁଥିଲେ । ସେହି କ୍ରମରେ ସାର୍ଥାରେ ଦୁଇଟି ରାଜସ୍ୱ ଗ୍ରାମ ପ୍ରତିଷ୍ଠା ପାଇଁ ବିଧାୟକ ଶ୍ରୀ ଦତ୍ତ ନିର୍ବାଚନ ବେଳେ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ଏ ନେଇ ବିଧାନସଭାର ପ୍ରଶ୍ନକାଳରେ ଶ୍ରୀଦତ୍ତପ୍ରଶ୍ନ ଉପସ୍ଥାପନ କରିଥିଲେ । ନୂତନ ରାଜସ୍ୱ ଗ୍ରାମ ଗଠନ ପାଇଁ ସରକାରଙ୍କ ଯୋଜନା ଥିଲେ ସାର୍ଥାକୁ ଦଇ ଭାଗରେ ବିଭକ୍ତ ସହ ଗୋଟିଏ ସାର୍ଥା ଛକ ଓ ଅନ୍ୟଟି ସାର୍ଥା ଗାଁ ନାମରେ ନାମିତ କରିବାକୁ ଶ୍ରୀ ଦତ୍ତ ପ୍ରସ୍ତାବ ଦେଇଥିଲେ । ଏହା ସହିତ ରାଜ୍ୟରେ କେତୋଟି ନୂତନ ରାଜସ୍ୱ ଗ୍ରାମ ପ୍ରତିଷ୍ଠା ନେଇ ସରକାରଙ୍କ ଯୋଜନା ଥିବା ସମ୍ପର୍କରେ ସେ ପ୍ରଶ୍ନ ଉଠାଥିଲେ । ରାଜ୍ୟର କେଉଁ କେଉଁ ସ୍ଥାନରେ ନୂତନ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଅଥବା ନୂତନ ରାଜସ୍ୱ ନୀରିକ୍ଷକ ରେକର୍ଡ ରୁମ ଖୋଲାଯିବ ଏବଂ ଜିଲ୍ଲାସ୍ତରରେ କେତେ ସଂଖ୍ୟକ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ବ୍ୟବହୃତ ହେଉନାହିଁ , ସେ ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ନିବେଦନ କରିଥିଲେ । ଶ୍ରୀ ଦତ୍ତଙ୍କ ପ୍ରଶ୍ନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ଦେଇ କହିଥିଲେ ଯେ, ରାଜ୍ୟରେ ନୂତନ ଭାବେ ୨୨୮୭ଟି ପଡାଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ରହିଛି । ମାତ୍ର ନୂତନ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଅଥବା ନୂତନ ରାଜସ୍ୱ ନୀରିକ୍ଷକ ରେକର୍ଡ ରୁମ ଖୋଲାଯିବା ନେଇ କୌଣିସି ପ୍ରସ୍ତାବ ନଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ସାର୍ଥା ପଂଚାୟତକୁ ବିଭାଜନ ସହ ଦୁଇଟି ରାଜସ୍ୱ ଗ୍ରାମରେ ପରିଣତ କରିବା ନେଇ କୋଣସି ପ୍ରସ୍ତାବ ମିଳିନଥିଲେ ବି ବିଧାୟକ ଶ୍ରୀ ଦତ୍ତଙ୍କ ପ୍ରଶ୍ନ ଅନୁସାରେ ଜିଲ୍ଲାପାଳଙ୍କ ନିକଟରୁ ପ୍ରସ୍ତାବ ଗ୍ରହଣ ପୂର୍ବକ କଟକ ସ୍ଥିତ ଭୂ-ଅଭିଲେଖ ପରିମାପକ ବିଭାଗ ନିର୍ଦ୍ଦେଶକଙ୍କ ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ନୂତନ ରାଜସ୍ୱ ଗ୍ରାମ ଘୋଷଣା ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଉତ୍ତର ଦେଇଛନ୍ତି । ବିଧାନସଭା ପ୍ରଶ୍ନକାଳରେ ବିଧାୟକ ଶ୍ରୀ ଦତ୍ତଙ୍କ ପ୍ରଶ୍ନ ମାଧ୍ୟମରେ ସାର୍ଥାରେ ଦୁଇଟି ରାଜସ୍ୱ ଗ୍ରାମ ପ୍ରତିଷ୍ଠା ନେଇ ଉଦ୍ୟମ ଆରମ୍ଭ ହୋଇଥିବାରୁ ପଂଚାୟତବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।


