ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ବୁଥ ପରିଦର୍ଶନ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମଠଡିହ ସରକାରୀ ଉଚ୍ଚ ବିଦ୍ୟାଳୟରେ ଥିବା ୧୭୮ ଓ ୧୮୦ ବୁଥ ପରିଦର୍ଶନ କରିଥିଲେ ଭଦ୍ରକ ଜିଲ୍ଲା ନିର୍ବାଚନ ପର୍ଯ୍ୟବେକ୍ଷକ ସରୋଜ ସାମଲ । ସେ ବୁଥରେ ପହଞ୍ଚି ବି.ଏଲ.ଓ. ରତ୍ନପ୍ରଭା କୁଅଁର ଓ ଅଭିରାମ ପଣ୍ଡାଙ୍କୁ ଭୋଟର ତାଲିକାରେ ଭୋଟରଙ୍କ ନାମ ସଂଯୋଗ କରିବା ଓ ମୃତ ତଥା ବିବାହିତ ଭୋଟରଙ୍କୁ ଡିସେମ୍ବର ୫ ସୁଦ୍ଧା ଭୋଟର ତାଲିକାରୁ ବାଦଦେବା ପ୍ରସଙ୍ଗରେ ବିବରଣୀ ସଂଗ୍ରହ କରିଥିଲେ । ୧୮୦ ନମ୍ବର ବୁଥ୍ ରେ ମୋଟ ୮୮୪ ଭୋଟରଙ୍କ ମଧ୍ୟରୁ ୪୪୪ ଜଣ ମହିଳା ଓ ୪୪୦ ଜଣ ପୁରୁଷ ଭୋଟର ଥିବା ବୁଥ୍ ଦାୟିତ୍ବରେ ଥିବା ବି.ଏଲ.ଓ. ସୂଚନା ଦେଇଥିଲେ । ଏହି ବୁଥ୍ ରେ ଅଧିକ ସଂଖ୍ୟକ ମହିଳା ଭୋଟର ଥିବାରୁ ପର୍ଯ୍ୟବେକ୍ଷକ ଶ୍ରୀ ସାମଲ ଖୁସୀ ବ୍ୟକ୍ତ କରିଥିଲେ । ଏଥି ସହିତ ଘରକୁ ଘର ବୁଲି ପ୍ରକୃତ ତଥ୍ୟ ସଂଗ୍ରହ କରି ଭୋଟର ତାଲିକୁ ସିଦ୍ଧ ତାଲିକା କରିବାକୁ ସେ ପରାମର୍ଶ ଦେଇଥିଲେ । ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ବୁଥ୍ ପରିଦର୍ଶନ ସମୟରେ ଭଦ୍ରକ ଉପ ଜିଲ୍ଲାପାଳ ମନୋଜ ପାତ୍ର, ଚାନ୍ଦବାଲି ବିଡିଓ ଅସିତ କୁମାର ମହାନ୍ତି, ଏ ବିଡିଓ ବିଶ୍ବ ରଂଜନ ପ୍ରଧାନ, ଭାରପ୍ରାପ୍ତ ଜିପିଓ ରାଜେନ୍ଦ୍ର ପ୍ରସାଦ ଦାସ, ସୁପରଭାଇଜର ନିକୁଞ୍ଜ ବିହାରୀ କର ଓ ରବୀନ୍ଦ୍ର କୁମାର ନନ୍ଦି ପ୍ରମୁଖ ଉପସ୍ଥିତ ଥିଲେ ।


