ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିଛି ସରକାର
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ରବିବାର ଓଡିଶା ସରକାରଙ୍କ ପକ୍ଷରୁ ସମସ୍ତ ଚାଷୀ ତଥା କୃଷକଙ୍କ ପାଇଁ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି । ଧାନର ସର୍ବନିମ୍ନ ସହାୟତା ମୂଲ୍ୟ କ୍ୱିଂଟାଲ ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଇନପୁଟ୍ ସହାୟତ ରାଶି ପ୍ରଦାନ ସମୁଦାୟ ୩୧୦୦ ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ ରାଜ୍ୟସ୍ତରରେ ଅନୁଷ୍ଠିତ ହୋଇଯାଇଛି । ବର୍ଷ ବର୍ଷ ଧରି ଧାନର ମୂଲ୍ୟ ବୃଦ୍ଧି ନେଇ ଦାବିକୁ ଓଡିଶାରେ ପ୍ରଥମ କରି ସରକାରକୁ ଆସିଥିବା ଭାରତୀୟ ଜନତା ପାର୍ଟିର ସରକାର ଦାବିକୁ ପୂରଣ କରି ଚାଷୀଙ୍କ ମୁହଁରେ ହସ ଫୁଟାଇଛି । କଥାରେ ଅଛି ଚାଷ ଯାହାର ଲାଭ ତାହାର ଏକଥାକୁ ପୁଣି ଥରେ ଦୋହରାଇ ଚାଷୀ କିପରି ଚାଷ ପ୍ରତି ଆଗ୍ରହ କରିପାରିବେ ସେହିଭଳି ପଦକ୍ଷେପ ନିଆଯାଇଛି । ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚାଷୀମାନଙ୍କୁ ୮୦୦ ଟଙ୍କାର ଇନପୁଟ୍ ସବସିଡି ପ୍ରଦାନ କରିଛନ୍ତି । ୨୩୦୦ ଟଙ୍କାର ଏମ୍ଏସପି ସହ ୮୦୦ ଟଙ୍କାର ଇନପୁଟ୍ ସବସିଡି ପ୍ରଦାନ କରାଯାଇଛି । ବରଗଡ ଜିଲ୍ଲା ସୋହେଲାର ଇଚ୍ଛାପାଲି ପଡିଆ ଠାରେ ଆୟୋଜିତ ବିଶାଳ ଚାଷୀ ସମାବେଶର ମଂଚରେ ଚାଷୀଙ୍କୁ ୮୦୦ ଟଙ୍କାର ବୋନସ୍ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସିଧାପ୍ରସାରଣ ଭାବେ ଦେଖିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁର ସ୍ଥିତ ଅନସ୍ଲୋ ଖେଳ ପଡିଆଠାରେ ଏକ ଚାଷୀ ସମାବେଶ ଆୟୋଜନ କରାଯାଇ ବହୁ ସଂଖ୍ୟାରେ ଚାଷୀଙ୍କୁ ସାମିଲ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ କହିଛନ୍ତି, ଆଜିର ଦିନ ଓଡିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ନିର୍ବାଚନ ପୂର୍ବରୁ ଜୁନ୍ ୧୨ ତାରିଖରେ ଭାରତୀୟ ଜନତା ପାର୍ଟି ଓଡିଶାର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିଛି । ବିଜେପି ସରକାର ଶପଥ ପାଠ କରିବାର ଏକ ଘଣ୍ଟା ପରେ କ୍ୟାବିନେଟରେ ୨୩୦୦ ଟଙ୍କାର ଏମଏସପି ସହ ଇନପୁଟ୍ ସବସିଡି ପ୍ରଦାନ କରାଯିବା ଲାଗି ନିଷ୍ପତି ନିଆଯାଇଥିଲା । ଆଉ ୬ମାସ ଭିତରେ ସରକାର ଚାଷୀଙ୍କୁ ଏହି ବୋନସ୍ ପ୍ରଦାନ କରି ନିଜର ପ୍ରତିଶ୍ରୁତି ପୂରଣ କରିଛି । ଆଗକୁ ମଧ୍ୟ ଚାଷୀଙ୍କୁ କିପରି ସବୁ ପ୍ରକାର ସୁବିଧା ସହଯୋଗ ମିଳିପାରିବ ସେଥିପ୍ରତି କାମ କରିବ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରାରମ୍ଭିକ ଭାଷଣରେ , ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ୨୩ ତାରିଖଠୁ ଧାନସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ । ସରକାରଙ୍କୁ ଧାନ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିଥିବା ୧ ଲକ୍ଷ ୪୬ ହଜାର ୫୦୪ ଜଣ ଚାଷୀଙ୍କ ଧାନ କିପରି ସୁରୁଖୁରୁରେ ମଣ୍ଡିରୁ କିଣାଯିବ ସେଥିପ୍ରତି ମଧ୍ୟ ଜିଲ୍ଲା ପ୍ରଶାସନର ତତ୍ପରତା ରହିଛି । ୩୬୬ ଟି ପ୍ୟାକସ୍, ୧୦୯ ଗୋଟି ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ଏବଂ ଗୋଟିଏ ପାଣିପଂଚାୟତ ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ କିଣାଯିବ । ପ୍ରତି ମଣ୍ଡିରେ ଜଣେ ଲେଖାଁଏ ନୋଡାଲ ଅଫିସର, ୪ ରୁ ୫ ମଣ୍ଡିରେ ସୁପରଭାଇଜର ଏବଂ ବ୍ଲକ, ଉପଖଣ୍ଡ ଓ ଜିଲ୍ଲାସ୍ତରୀୟ ଏକ ଏନଫୋର୍ସ ଟିମ୍ ଏହାର ତଦାରଖ କରିବେ । ପ୍ରତି ମଣ୍ଡିରେ ସିସିଟିଭି ସହିତ ଚାଷୀଙ୍କ ପାଇଁ ପାନୀୟ ଜଳ ଓ ଶୌଚାଳୟର ସୁବିଧା କରାଯାଇଛି । ଏହାସହିତ ବିଭିନ୍ନ ସୀମାନ୍ତ ଅଂଚଳ ଗୁଡିକ ଉପରେ ତୀକ୍ଷଣ ନଜର ରଖିବା ଲାବି ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ଶର୍ମିଷ୍ଟା ପ୍ରଧାନ ସରକାର ଚାଷୀଙ୍କ ପ୍ରତି ନିଆଯାଇଥିବା ପଦକ୍ଷେପ ଉପରେ ନିଜ ନିଜ ଅଭିଭାଷଣରେ ପ୍ରଶଂସା କରିଥିଲେ । ସେହିପରି ରଙ୍ଗେଇଲୁଣ୍ଡା ବ୍ଲକ ମନ୍ତ୍ରୀଡି ପଂଚାୟତର ପୂର୍ବତନ ସରପଂଚ ଦେବରାଜ ମହାନ୍ତି, ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଂଚାୟତର ପୂର୍ବତନ ସରପଂଚ ସୁବାଷ ଚୌଧୂରୀ ଓ ବଉଳଗାଁ ପଂଚାୟତର ପୂର୍ବତନ ସରପଂଚ ତଥା ସମବାୟ ବିତ୍ ଦୁର୍ଯ୍ୟୋଧନ ପରିଡା ପ୍ରମୁଖ ତିନିଜଣ ଚାଷୀ ସରକାର ଚାଷୀଙ୍କ ପାଇଁ ଏଭଳି ଐତିହାସିକ ପଦକ୍ଷେପ ନେଇଥିବାରୁ ମଂଚରେ ଭୂୟଶ୍ରୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ଦେବଦତ ମହାନ୍ତ, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ରବିନାରାୟଣ ବେହେରା ସଂଯୋଜନା କରିଥିବା ଛତ୍ରପୁର କଳା ବିକାଶ କେନ୍ଦ୍ରର ଶିକ୍ଷାର୍ଥୀଙ୍କ ପକ୍ଷରୁ ସ୍ୱାଗତ ସଂଗୀୟ ପରିବେଷଣ କରାଯାଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।