ନିର୍ବାଚନ ମଇଦାନରେ ଅବୋଲକରା ସାମ୍ବାଦିକ

ନିର୍ବାଚନମଇଦାନରେ ଟିକେଟ୍ବିଭୁକ୍ଷୁ ଦଳୀୟପ୍ରାର୍ଥୀମାନଙ୍କର ଫମ୍ପାପ୍ରତିଶ୍ରୃତିକୁ ଜଣେ ସଚ୍ଚାସାମ୍ବାଦିକ କେବେହେଲେ ଜାତି ଉଦ୍ଦେଶ୍ୟରେ ଉଦବୋଧନ ବୋଲି ତା’ କଲମ ଦ୍ୱାରା ମିଥ୍ୟାପାଠର ପରମ୍ପରା ସୃଷ୍ଟି ନକରୁ । ଆମେ ଖବରକାଗଜର ପ୍ରଥମପୃଷ୍ଠାକୁ ପ୍ରଦ୍ୟୂଷିତ କରିଚାଲୁଥିବା ରାଜନୈତିକ ଆସ୍ଫାଳନଗୁଡିକୁ ଆଜିର ଆହ୍ୱାନ ରୂପେ – କେତେଦିନ ଢୋଲ ପିଟି ଚାଲୁଥିବା? ଆଜିର ରାଜନୀତି ଏକପ୍ରକାର ମୂଲ୍ୟବୋଧହୀନ ଆଖଡାବାଜି କହିଲେ କିଛି ଭୁଲ ହେବନାହିଁ । ଅଥଚ ଏହି ଆଖଡାବାଜିର ନାନା ମୁଦ୍ରାଗୁଡିକୁ ରଙ୍ଗରୂପଦେଇ ପୁଟଚଢାଇ ବ୍ରେକିଂନ୍ୟୁଜ୍ ବା ଆଜିର ଖାସ୍ଖବର ବୋଲି କହିବାକୁ ସାମ୍ବାଦିକର କଲମ କୁଣ୍ଠିତ ହେଉନାହିଁ । ସେ ନିଜେ ବିଚାରୁ ନାହିଁ ଯେ ଏହି ଜନସ୍ୱାର୍ଥର ଜହ୍ଲାଦମାନଙ୍କୁ ସମାଜର ନାୟକ ଭାବରେ ଚିତ୍ରଣ କରି ସେ କେବଳ ସାମ୍ବାଦିକତାର ସମ୍ବିଧାନ ପ୍ରତି ପ୍ରତ୍ୟେକ ମୁହୂର୍ତରେ ଚରମ ଅବମାନନା ପ୍ରଦର୍ଶନ ପୂର୍ବକ ଛୁରିକାଘାତ କରିଚାଲିଛି । ଜଣେ ଅସଲ ସାମ୍ବାଦିକ କିନ୍ତୁ କେବେ କାହାର ବୋଲକରା ନୁହେଁ । ଯେଉଁଦିନ ସେ ଅବୋଲକରା ହେବାର ପଣ ନେବ – ସେଇଦିନ ହିଁ ଆମେ ସାମ୍ପ୍ରତିକପରିସ୍ଥିତିର ଅସଲପାଠ ଶୁଣିପାରିବା । ସବୁ ସାମ୍ବାଦିକ ଭାଇଭଉଣୀମାନେ ଅବୋଲକରା ହେବା ଉଚିତ୍ – ହେବା ଉଚିତ୍ ମଧ୍ୟ ଜଣେ ଜଣେ ଆତ୍ମନିର୍ବାଚିତ ଜନପ୍ରତିନିଧି ।
ବର୍ତମାନ ସମୟରେ କ୍ଷମତା ଆଉ ଅର୍ଥ ହାସଲପାଇଁ ନୀତିନୈତିକତାହୀନ ଟଣାଟଣି, ଭିଡାଭିଡି, ଡିଆଁଡିଇଁ ରାଜନୀତିର ନୟାନ୍ତ ଘୋଡାଦୌଡ ଗୁଡିକ କେବେହେଲେ ଖବର ନୁହେଁ । ଖବରର ଖଣି ହେଉଛି – ଦିପତଳର ଅନ୍ଧାର ଭିତରେ ହଜି ଯାଉଥିବା ଏ ଦେଶ ଓ ପ୍ରଦେଶର ହଜାର ହଜାର ଗାଁ, ଲକ୍ଷ ଲକ୍ଷ ଅପନ୍ତରା ଆଉ କୋଟି କୋଟି ଆଶାହିତ ମଣିଷର ଦୀର୍ଘନିଶ୍ୱାସ । ଆମକୁ ଭାଷଣ ଶୁଭୁଛି – କାନରେ ପଡୁଛି ଶାସନର ଇସ୍ତାହାର, ଗଦାଗଦା ଫମ୍ପାପ୍ରତିଶ୍ରୃତି – ଅଥଚ ଏ ସବୁ ବୁକୁଫଟା ବେଦନାଭରା ଦୀର୍ଘନିଶ୍ୱାସର ଚାପାସ୍ୱର ଶୁଭିପାରୁନାହିଁ । କେଉଁଦିନ ଆମ ସାମ୍ବାଦିକତା ଏଇସବୁ ଚାପା ନିଶ୍ୱାସର ସ୍ୱର ଶୁଣି ସାରା ସମାଜକୁ ଶୁଣେଇବାକୁ ଆଗଭର ହେବ ! ଏହା ହେଉଛି – ସବୁଠାରୁ ବଡ ବିଡମ୍ବନା ଯେ – ଯେଉଁମାନଙ୍କ ଦ୍ୱାରା ଖଡା ଶିଝିବ ନାହିଁ ସେମାନେ ଆଜି ମଂଚମଣ୍ଡପରେ ଖାଡାହୋଇ ଯାହାସବୁ ଲମ୍ବାଲମ୍ବା ବିବୃତି ଶୁଣାଇ ଅକାଳ କୁହୁଡି ସୃଷ୍ଟି କରିଚାଲିଛନ୍ତି – ସେ ବିବୃତିକୁ ବିଜ୍ଞପ୍ତ କରିବା ହିଁ ଆଜି ହୋଇପଡିଛି ସାମ୍ବାଦିକର ସାଧାରଣ ବୃତି ।
ବହୁ ସାମ୍ବାଦିକସମ୍ମିଳନୀ ଦେଶ-ପ୍ରଦେଶର ବିଭିନ୍ନ ରାଜଧାନୀ ଓ ବିଭିନ୍ନ ସହରରେ ଆୟୋଜିତ ହୁଏ । ସେଠି ବହୁସମସ୍ୟା, ବହୁସ୍ୱର, ବହୁଶଦ୍ଦ ପ୍ରତିଧ୍ୱନିତ ହୁଏ । ଏପରିକି ଶ୍ରମିକ, କୃଷକ, ଶିକ୍ଷକ ଓ ଦାକ୍ତରିକ ନାନାହରତାଳଠାରୁ ଆରମ୍ଭକରି ପଟୁଆରର ନାରାବାଜିରେ ଦୁଲୁକି ଉଠିଥାଏ ରାଜଧାନୀ ଗୁଡାକର ରାଜରାସ୍ତା । ମୋର ଗୋଟିଏ ପ୍ରଶ୍ନ – ଆମ ନମ୍ବରି ଖବରକାଗଜ ଗୁଡାକର ସମ୍ବାଦଦାତାଏ କେବେହେଲେ ଏ ରାଜଧାନୀରୁ ଯାଇ ରାଜ୍ୟର କୌଣସି ଅଜଣାଅଶୁଣା ଗାଁରେ ଖବରଟିଏ ପାଇବା ପାଇଁ ଖୋଲତାଡ କରନ୍ତି କି ?
ସାମ୍ପ୍ରତିକପରିସ୍ଥିତି ଏକ ପ୍ରଶ୍ନକଂଟକିତ ଉତ୍କଟ ପରିସ୍ଥିତି । ଯୁଆଡେ ଚାହିଁଲେ – ସିଆଡେ କେବଳ ଧୁ ଧୁ ମରୀଚିକା – ଯେଉଁଠି ଠିଆହୋଇ ଟେକାଟିଏ ପକାଇଲେ ଯାହା ମୁଣ୍ଡରେ ବାଜିବ ସେମାନଙ୍କ ଭିତରୁ ୯୯ ଜଣ କ୍ଷମତା, ଅର୍ଥ, ସ୍ୱାର୍ଥ ମୋହରେ ପାଗଳ – ସମସ୍ତେ ମରୀଚିକା ପଛରେ ନୟାନ୍ତ ହୋଇ ଧାଇଁଛନ୍ତି – ଅଥଚ ଆମ ସାମ୍ବାଦିକତାର ବିଧାନ କି ସମ୍ବିଧାନରେ ସେଇ ମରୀଚିକାକୁ ସ୍ୱୀକାରକରି ସତ୍ୟପ୍ରକାଶ ପାଇଁ ଉଦ୍ୟମ ବା ଉଦ୍ଯୋଗ ନାହିଁ । ଦିନେ ଉତ୍କଳମଣି ଗୋପବନ୍ଧୁଙ୍କର ଗୋଟିଏ ଶିରୋନାମା ‘ସତ୍ୟ ହୋଇଥିଲେ ସାଂଘାତିକ’ ସେ ଦିନର ବ୍ରିଟିଶ୍ଭାରତୀୟବ୍ୟବସ୍ଥାକୁ ମଧ୍ୟ ଦୋହଲାଇ ଦେଇଥିଲା । ଆଜି ବହୁ ସାଂଘାତିକ ସତ୍ୟ ଆମ ନାକଆଗରେ ନିଜର ଅହଂପ୍ରମତଅସ୍ତିତ୍ୱ ପ୍ରଦର୍ଶନ କରି ଚାଲିଥିଲେହେଁ – ଆମ ସାମ୍ବାଦିକମାନଙ୍କ ଭିତରେ କେଉଁଠି ହେଲେ ଗୋଟାଏ ଗୋପବନ୍ଧୁକୁ ଟର୍ଚ୍ଚ ଜଳାଇ ସୁଦ୍ଧା ଆମେ ଖୋଜିପାଉନାହୁଁ । ଦୁଃଖ ଓ କ୍ଷୋଭର ବିଷୟ ଯେ – ସାମ୍ବାଦିକର ବିଚିକ୍ଷଣତା ସାମ୍ପ୍ରତିକ ପରିସ୍ଥିତିରେ ପାଲଟିଯାଇଛି ଖୁଚୁରା ରାଜନୈତିକ କାର୍ପଟଦାରମାନଙ୍କର ବଚସ୍କରତା ।
ଆଉ ଗୋଟାଏ ସାଂଘାତିକ ସତ୍ୟ – ଆମ ଅର୍ଥନୀତିର ଆର ଦୃଶ୍ୟ । ବର୍ତମାନ ଆପଣମାନେ ଲକ୍ଷ୍ୟ କରୁଥିବେ ଜନସମାଜରେ ମୁଷ୍ଟିମେୟ ଧନାଢ୍ୟ ଗୋଷ୍ଠୀ ନିଜର ମୁରବୀଗିରି ଜବରଦସ୍ତ ଜାହିର କରିବାରେ ବ୍ୟସ୍ତ । ଏବେ ଆମ ଅର୍ଥନୀତିର ଅନ୍ଧକାରରେ ଜୁଳୁଜୁଳିଆ ପୋକପରି ଉଡିବୁଲିଲେଣି କିଛି ଏନ୍.ଆର୍.ଆଇ ବା ପ୍ରବାସୀ ଭାରତୀୟ ଅଧିବାସୀ । ଏମାନେ ଏ ଦେଶର ଆଦିବାସୀ – ଅଧିବାସୀ କି ଅନ୍ତେବାସୀ ନହେଇ ସୁଦ୍ଧା ସେପାରି ଆକାଶରୁ ଉଡାଚଢେଇ ପରି ଏପାରିରେ ପହଂଚିଯାଇ ବେଶ୍ କିଛିଟା କିଚିରିମିଚିରି ଶୁଣାଇଚାଲନ୍ତି । ଆମ ଏଠାକାର ଖବରକାଗଜ ଏଇସବୁ ଛିଣ୍ଡାଅଛିଣ୍ଡା କିଚିରିମିଚିରି ଗୁଡାକୁ କଳକଣ୍ଠସ୍ୱର ଶୁଣିଲା ପରି ପିଇ ଚାଲନ୍ତି । ଏଇସବୁ ଆଜିର ପ୍ରବାସୀ ଭାରତୀୟଙ୍କୁ କେବେହେଲେ କୌଣସି ସାମ୍ବାଦିକ ସେମାନଙ୍କ ଦେଶପ୍ରେମକୁ ନେଇ ପ୍ରଶ୍ନ ଉଠାଇବାର ପରିସ୍ଥିତି ସୃଷ୍ଟି କରିଛନ୍ତି କି? ବରଂ ଦେଶପ୍ରେମ ନୁହେଁ – ଦୌଲତପ୍ରେମ ହିଁ ଏମାନଙ୍କୁ ଭାରତୀୟରୁ ପ୍ରବାସୀ ହେବାକୁ ପ୍ରବୃତ କରିଛି । ଏବେ ଏମାନେ ନିଜ ନିଜର ସଂଚିତପୁଞ୍ଜି ବା ପକେଟ୍ପୁରା ହାତପାଣ୍ଠିରୁ କେଇମୁଠା ଖର୍ଚ୍ଚ କରି ଏ ଦେଶର ବିଭିନ୍ନ ଅର୍ଥନୈତିକ କାରବାରର ଅଂଶୀଦାର ହୋଇପାରିଛନ୍ତି । ଓଡିଶା ସମେତ ଅନ୍ୟ ରାଜ୍ୟରେ କେଉଁଠି ଜମି, ଜଙ୍ଗଲ, ଜଳ, ଖଣି, ପାହାଡପର୍ବତ, ସମୁଦ୍ର ଅଛି, ସେ ସବୁକୁ ଅକ୍ତିଆର କରିବାପାଇଁ ଆମ ମହାମାନ୍ୟ କେନ୍ଦ୍ର ଓ ରାଜ୍ୟସରକାରମାନଙ୍କୁ ‘ଲଲିପପ୍’ ଦେଖାଇ କିମିଆଁ କରି ହାତେଇ ନେଉଛନ୍ତି । ପ୍ରତିଶ୍ରୃତିର ଲମ୍ବାଲମ୍ବା ଫର୍ଦ୍ଦ ବାଂଟି ଖବରକାଗଜ ଓ ଟେଲିଭିଜନ୍ରେ ଚଳଚ୍ଚିତ୍ର ଓ କ୍ରୀଡାବିତ୍ ତାରକାମାନଙ୍କୁ ବିଜ୍ଞପ୍ତି ମାଧ୍ୟମ କରାଇ ସମସ୍ତଙ୍କୁ ବିଭ୍ରାନ୍ତ କରୁଛନ୍ତି । ସବୁ ହାତେଇଲା ପରେ ପ୍ରତିଶ୍ରୃତି ପ୍ରତାରଣାରେ ପରିଣତ ହେଉଛି । ଆମ ସମ୍ପଦ ଦେଶୀବିଦେଶୀ ଶିଳ୍ପପତିଙ୍କୁ ଟେକିଦେଇ ଆମେ କ୍ଷୁଧା, ରୋଗ, ଶୋକ, ଅଭାବ, ଅନଟନ, ଶୋଷଣ, କଷଣ, ଅନ୍ୟାୟ, ଅତ୍ୟାଚାର ସହ୍ୟକରି ମୁଣ୍ଡରେ ହାତମାରି କାନ୍ଦୁଛେ ।
ଏବେ ଦେଶର ବଡ ବଡ ମହାନଗରୀଠୁ ଆରମ୍ଭକରି ବିଭିନ୍ନପ୍ରଦେଶର ରାଜଧାନୀରେ ଗୁଡିଏ ହସପିଟାଲ ଆଉ ବିରାଟବିରାଟ ନର୍ସିଂହୋମର ମାୟାଜାଲ ବିସ୍ତାରିତ ହୋଇପାରିଛି । ରୋଗଚିକିତ୍ସା ଆଳରେ ମୋଟା ଅଙ୍କର ଟଙ୍କାରେ ଏକପ୍ରକାର ବିଭୀଷିକାମୟ ବ୍ୟବସାୟ ଏ ସବୁ ମାୟାଜାଲ ଦ୍ୱାରା ନିତିଦିନ ନିୟନ୍ତ୍ରିତ ହେଉଛି । ମଣିଷର ଜୀବନକୁ ନେଇ ଖେଳ ଚାଲିଛି – କିନ୍ତୁ ଏ ଖେଳ ଶେଷ ହେବାପାଇଁ କୌଣସି ସାମ୍ବାଦିକ ରେଫରୀର ହ୍ୱିସିଲଟିଏ ମଧ୍ୟ ମାରିବାକୁ ରାଜି ନୁହେଁ । ନେତା ବୋଲାଉଥିବା ତଥାକଥିତ ରାଜନୈତିକ ବେପାରୀମାନେ ବି ଏଇ ଅଘଟଣକୁ ଆଖିରେ ଦେଖି ଅଦେଖା ଆଉ କାନରେ ପୁରାଇ ଅଶୁଣା । ପାଟି ଫିଟାଇ କିଛି ଶଦ୍ଦ ଏ ସଂପର୍କରେ କହିବାକୁ ଏବଯାଏ ଏମାନେ ପ୍ରସ୍ତୁତ ହୋଇନାହାଁନ୍ତି – ଯେଉଁମାନେ କି ଜଣେ ଜଣେ ବଡବଡ ବିବୃତିବୀର ।
ତା’ହେଲେ ଖବର କେଉଁଠୁ ମିଳିବ? କିଏ କହିବ? – ଏ କଥା ଆଜିର ସାମ୍ବାଦିକମାନେ ଟିକେ ବିଚାର କରିବେ କି? ଆଉ ଗୋଟିଏ ଦିଗ – ଆହୁରି କୁହୁଡିଆ । ଏଠି ମନ୍ଦିରରେ ପୁଜାପାଠ ହୁଏ, ମସଜିଦ୍ରେ ଆଜାନର ଆବାଜ୍ ଉଠେ, ଚର୍ଚ୍ଚରେ ଦୀପ ଜଳାଇ ପ୍ରଭୂଙ୍କ ଯୀଶୁଙ୍କ ନାମରେ ନୀରବତା ପାଳନ କରାଯାଏ । କିନ୍ତୁ କେଉଁଠି ତ ମଣିଷ ପାଇଁ କୌଣସି ପ୍ରାର୍ଥନାର ସ୍ୱର ଆରମ୍ଭ ହୁଏନି । ସାମ୍ବାଦିକର କ’ଣ ମଣିଷ ପାଇଁ ଏ ପ୍ରାର୍ଥନାର ସ୍ୱରକୁ ଲକ୍ଷକୋଟି କଣ୍ଠରେ ପ୍ରତିଧ୍ୱନିତ କରାଇବାର କର୍ତବ୍ୟକୁ ବରାବର ମନେରଖିବାର କଥା ନୁହେଁ ?
ସାଧାରଣ ଜ୍ଞାନରେ ଖବର ବା ନ୍ୟୁଜ୍ କହିଲେ – ଆମେ ଚାରି ଦିଗର ହାଲଚାଲକୁ ବୁଝୁ । ନ୍ୟୁଜ୍ (ଘଋଡଝ) ଏ ଶଦ୍ଦଟି ଭିତରେ ନର୍ଥକୁ ପ୍ରଥମ ଅକ୍ଷର ଏନ୍., ଇଷ୍ଟରୁ ପ୍ରଥମ ଅକ୍ଷର ଇ, ୱେଷ୍ଟରୁ ପ୍ରଥମ ଅକ୍ଷର ଡବ୍ଲ୍ୟୁ, ଓ ସାଉଥରୁ ପ୍ରଥମ ଅକ୍ଷର ଏସ୍କୁ ମିଶାଇ ନ୍ୟୁଜ୍ । ଅଥଚ ଆଜିର ଏ ନ୍ୟୁଜ ବା ଖବର ହେଉଛି – ମିଶାଣ ନୁହେଁ – ବରଂ ଗୋଟାଏ ଫେଡାଣ । ବ୍ୟଜ୍ଞତ୍ମାକ ଭାବରେ କହିବାକୁ ପଡୁଛି ଯେ – ବର୍ତମାନ ଏ ଚାରିଦିଗରେ ଘୋଟିଯାଇଥିବା ଘନକୁହୁଡି ହିଁ ଆଜିର ଖବରକୁ ଗୋଟାଏ କବରରେ ପରିଣତ କରିଛି । ଖବରକାଗଜଗୁଡାକରେ ଆମେମାନେ ପ୍ରତିଦିନ ସକାଳୁ ଏଇ ଖବରର କବର ପରିଦର୍ଶନ କରିଥାଉ ହିଁ କେବଳ । ସକାଳୁ ସକାଳୁ ଆମ ଚା’ରେ ଚିନି ପଡିଥାଉ କି ନପଡିଥାଉ, କିନ୍ତୁ ଏ ଖବର ଗୁଡାକରେ ନିଶ୍ଚିତ ଭାବରେ ମିଛର ମସଲାଗୁଡିକ ଫେଂଟା ହୋଇଥିବ । ଯିଏ ଯେତେ ମିଛର ମସଲା ମିଶାଇ ଏ ସବୁ ଖବରର ସ୍ୱାଦକୁ ସ୍ୱାଦିଷ୍ଟ କରିଦେଇପାରିଲା – ସେ ଏ ଦେଶରେ ନାମୀ ସାମ୍ବାଦିକ ବୋଲାଇଲା । ପ୍ରତ୍ୟେକ ସଚ୍ଚା ସାମ୍ବାଦିକଙ୍କୁ ମୋର ବିନୀତ ନିବେଦନ ଯେ – ସେମାନେ କେହି ଏ ପ୍ରକାର ନକଲ ଧାରାର ନାମୀସାମ୍ବାଦିକ ହେବାକୁ ମନ ବଳାନ୍ତୁ ନାହିଁ । ସେମାନଙ୍କର ମନକୁ ସେମାନେ ଉତ୍ସର୍ଗ କରିଦିଅନ୍ତୁ ଜନ ଓ ଗଣ ଉଦ୍ଦେଶ୍ୟରେ । ତା’ହେଲେ ଯାଇ ସେ’ଦିନ ହିଁ ଭାରତୀୟ ସାମ୍ବାଦିକତା ଜନ ଓ ଗଣଦରବାରରେ ଏକ ସତ୍ୟବଦ୍ଧ, ସଂକଳ୍ପବଦ୍ଧ ଜାତୀୟ ସଂଗୀତ ଗାନ କରିବାର ନ୍ୟାଯ୍ୟ ଦାବୀ ହାସଲ କରିପାରିବ ।
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ