ନିର୍ବାଚନ-୨୦୧୯: ଅସ୍ପଷ୍ଟ ଜନାଦେଶ !
ନିର୍ବାଚନ-୨୦୧୯ର ଫଳାଫଳ ନେଇ ଅଙ୍କ କଷି ଏକ ନିର୍ଣ୍ଣାୟକ ସିଦ୍ଧାନ୍ତ ଘୋଷଣା କରିବା ପ୍ରକୃତରେ ଏକ କ୍ଲିଷ୍ଟ ପ୍ରସଙ୍ଗ ହୋଇପଡ଼ିଛି । ଏହା ଏତେ ଗୋଳମାଳିଆ ଧରିଛି ଯେ, ଏହାର ଆନୁମାନିକ କିମ୍ବା ପ୍ରାମାଣିକ ସତ୍ୟତା ମଧ୍ୟ ଉପସ୍ଥାପନା କରାଯାଇପାରିବ ନାହିଁ । ସତ କହିଲେ ସମ୍ପ୍ରତି ଜନତା ରାଜନୀତିରେ ଏକ ବୈପ୍ଲବିକ ପରିବର୍ତ୍ତନ ଚାହେଁ । ପୁରୁଣା ମୁହଁ ଏବଂ କଥାକଥିତ ବଂଶାନୁକ୍ରମିକ ଅଥବା ଗୋଷ୍ଠୀ ତାନ୍ତ୍ରିକ ଶାସନ ଉପରେ ଆଉ ଜନତାର ବିଶ୍ୱାସ ଏବଂ ଆସ୍ଥା ନାହିଁ । ଏ ଶାସନ ଦୁର୍ନିତିଗ୍ରସ୍ଥ । ଏପରିକି ନିଜକୁ ଦୁର୍ନିତି ମୁକ୍ତ କହୁଥିବା ଏବଂ ନୂଆକରି ଗଢ଼ି ଉଠୁଥିବା କିଛି ରାଜନୈତୀକ ଦଳରେ ଦୁର୍ନିତିର ମହାନ ବୃକ୍ଷମାନ ମଧ୍ୟ ଡ଼ାଳ ମେଲିଛନ୍ତି । ତାଙ୍କ ଭିତରେ ବହୁ ଦାଗୀ ଓ ଅସାମାଜିକ ଲୋକ ଅଛନ୍ତି । ଏପରିସ୍ଥଳେ ଲୋକ ନୂତନ ସ୍ୱାଦ ପାଇଁ ଆଗ୍ରହୀ ଅଥଚ ସେ ସ୍ୱାଦ ଚାଖିବାରେ ନୂଆ ଲୋକେ ଆସୁ ନାହାଁନ୍ତି ।
ଦଳ ଭିତରେ କନ୍ଦଳ । ଦଳ ଦଳ ମଧ୍ୟରେ ବିରୋଧଭାଷ ଓ ବିଦ୍ରୋହର ସୁତ୍ରପାତ । ପରିବାରବାଦ ରାଜନୀତିରେ ମଧ୍ୟ ଫାଟ : ବାପ ବିରୁଦ୍ଧରେ ପୁଅ; ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଲଢ଼େଇ; ଦାଦା ଓ ପୁତୁରା ମଧ୍ୟରେ ଶତୃତା; ଶ୍ୱଶୁର ଓ ଜୋଇଁ ବିରୁଦ୍ଧରେ ସର୍ଘର୍ଷ, ଦେଢ଼ଶୁର ଭାଇବୋହୁ ମଧ୍ୟରେ ଛକାପଞ୍ଚା…. । ଏମିତି ଜାବତିୟ ବାଙ୍କ ଓ ଫାଙ୍କ ଦେଇ ଏବେର ରାଜନୀତି କଳୁଶିତ ।
ଦଳ ବଦଳରେ ନେତା ଚରିତ୍ରର ବଦଳ ହୁଏ ନାହିଁ । କେବଳ ସ୍ୱାର୍ଥ ସାଧନ ପାଇଁ ଗୋଟାଏ ମୁଖା ବା ଦଳର ପରିବର୍ତ୍ତନ । ଏହା ବ୍ୟକ୍ତିଗତ ବା ଚାରିତ୍ରିକ ପରିବର୍ତ୍ତନ ନୁହେଁ । ବରଂ ମୁଖାର ପରିବର୍ତ୍ତନ କାରଣରୁ ଭୋଟରଙ୍କ ପାଖରେ କ୍ଷମତାର ମୋହରେ ଏମାନେ ନିଜର ହିନମନ୍ୟତାର ପରିଚୟ ଦେଇଥାନ୍ତି ।
ଦଳଗତ ଓ ଦଳ ମଧ୍ୟରେ ଅସନ୍ତୁଷ୍ଟ କାରଣ ହେତୁ ଅନେକ ନେତା ଦଳ ବଦଳ କରିଛନ୍ତି ଅଥବା ଦଳରେ ରହି ଦଳ ବିରୋଧି କାର୍ଯ୍ୟମାନ କରିଚାଲିଛନ୍ତି । କଥାଟି ହେଲା : ଆମ୍ଭେ ଯାହା ନ ପାଉଛୁ, ତାକୁ ତୁମ୍ଭେ କେମିତି ପାଇବ ? ଆମେ ସମସ୍ତେ ଇଚ୍ଛା ମୁତାବକ ପାଇବା, ନୋହିଲେ ସମସ୍ତେ ବଞ୍ôଚତ ହେବା ।
ଏଥର ବିଚିତ୍ର ସମସ୍ୟାମାନଙ୍କ ମଧ୍ୟରେ ଅଛି କୋଟିପତିଙ୍କ ପ୍ରଶ୍ନ । ୫ ବା ୧୦ ବର୍ଷ ତଳେ ରାଜନୀତିରେ ପଶି ବା ପଶିବା ପୂର୍ବରୁ ସେମାନେ ଯାହା ଥିଲେ, ଏବେ ସେମାନେ ୧୦୦୦ ଗୁଣ ଧନୀ । ଏ କ’ଣ ତାଙ୍କ ପୈତୃକ ସମ୍ପତ୍ତି ? ବିଧାୟକ ବା ସାଂସଦ ଥିôବା ପ୍ରତିନିଧିମାନେ ତାଙ୍କ ‘ଲ୍ୟାଡ଼’ (ଅନୁଦାନ ରାଶି) ବଳରେ ସେମାନେ ମାମଲତକାର ? ସେମାନେ ସିଧାସଳଖ ଏ ଅନୁଦାନ ରାଶିର ବିନିଯୋଗର ଶତାଂଶ ଲାଭାଂଶ ଆଦାୟ ନ କରି ନିଜର ପୁଅ, ପୁତୁରା ବା ମଧୁର ସମ୍ପର୍କୀୟମାନଙ୍କ ମାଧ୍ୟମରେ ଗାଜିଂଆ ଭରନ୍ତି । କ’ଣ ନା ମାଲ୍ ପକା ମାଲ୍ ଉଠା । ଏ କୋଟିପତିଆଙ୍କୁ ଆଉ ଜନତା ଚାହେଁ ନାହିଁ ଅଥଚ ବିକଳ୍ପ ପାଇଁ ଏପଟେ ରାସ୍ତା ବି ନାହିଁ ।
ଅନେକ ବିଧାୟକମାନେ ପ୍ରଚାର କରନ୍ତି ଅଥଚ ତାଙ୍କ ମୁଁହ କେହି ଦେଖନ୍ତି ନାହିଁ । ସିଧା ସିଧା ହୋ ହାଲ୍ଲା କରି ସମର୍ଥକମାନଙ୍କୁ ଧରି ରାସ୍ତାରେ ରାସ୍ତାରେ ଚାଲିଥାନ୍ତି । ଅନେକ ସାଂସଦ ମୋଟେ ତାଙ୍କ ପ୍ରସ୍ତାବିତ ଅଥବା ଆକାଙ୍କିତ ଅଞ୍ଚଳରେ ପାଦ ପକାନ୍ତି ନାହିଁ ଅଥଚ ସେମାନେ ଭୋଟ ପାଇ ଆସିଥାନ୍ତି । ଏଇଟା ତାଙ୍କ କାରଣରୁ ନୁହେଁ, ନେତାଙ୍କ କାରଣରୁ । ଲୋକେ ଅନ୍ୟ ଉପାୟ ନ ପାଇ ଏପରି କ୍ଷେତ୍ରରେ ଭୋଟ ଦେବାକୁ ବାଧ୍ୟ ହୋଇଥାନ୍ତି ।
ଏବେ ରାଜନୀତିରେ ଚିତ୍ର ତାରକାଙ୍କ ଭାରି ଭିଡ଼ । ସେମାନଙ୍କ ମତରେ ବୋଧେ ରାଜନୀତି ଏକ ଭଲ ବେଉଷା । ହେଲେବି କୌଣସି ବୁଦ୍ଧୀଯୀବୀ ବା ବୟସ୍କ ବ୍ୟକ୍ତିମାନଙ୍କ ପ୍ରତି ସେମାନଙ୍କ ଆଦର୍ଶ ପ୍ରଭାବହୀନ । ସେମାନେ ସେପଟେ ଅଭିନେତା ହୋଇ ପାରନ୍ତି; କିନ୍ତୁ ସଫଳ ଲୋକ ପ୍ରତିନିଧି ହୋଇନପାରନ୍ତି । ଲୋକେ ସେମାନଙ୍କୁ ଅଣଦାଢ଼ିଆ ନୀତି ପ୍ରୟୋଗ କଲେଣି । ତହିଁକୁ ବେଶି ଗୋଳମାଳ କଲାଣି କେନ୍ଦ୍ରରୁ ରାଜନେତା ଅଥବା ସେମାନଙ୍କ ଦଳର ପ୍ରଭାରୀମାନଙ୍କର ପ୍ରବେଶ । ସେମାନେ ଭୋଟରମାନଙ୍କର ମସ୍ତିସ୍କକୁ ଏମିତି ଭାରାକ୍ରାନ୍ତ କରିଦେଉଛନ୍ତି ଯେ, ବିଚରା ଭୋଟରଟି ବାଉଳା ପାଲଟିଯାଏ ।
ନିର୍ଦ୍ଧିଷ୍ଟ ଅଂଚଳ ପାଇଁ ଲୋକେ ଯାହାକୁ ଚାହାଁନ୍ତି, ଦଳ ବା ପାର୍ଟି ସେ ଲୋକକୁ ନ ଦେଇ ଆଉ ଜଣକୁ ଦେଉଛି । ସେଠି ସେ ଦଳର ଭୋଟର ଟି ବାଧ୍ୟ ହୋଇ ମତ ପରିବର୍ତ୍ତନ କରିଥାନ୍ତି । ଏଥର ତାହାହିଁ ଘଟୁଛି ବୋଲି ଅନୁମାନ କରାଯାଏ । ସ୍ୱାଧୀନ ଭାବରେ ଭଲଲୋକ ଲଢ଼ିବାକୁ ସାହସ କରନ୍ତି ନାହିଁ । କାରଣ ଏବେର ନିର୍ବାଚନ ଏତେ ବ୍ୟୟ ବହୁଳ ଯେ ଏବଂ ଏତେ ବିପଦପୂର୍ଣ୍ଣ ଯେ ଏଥିରେ ପାଦପକାଇବାକୁ ତମ ଆମପରି ଲୋକମାନେ ଖୁବ୍ ଡ଼ରନ୍ତି । ଏହିପରି ଅନେକ କାରଣ ରହିଛି ଯାହାକି ଭୋଟରମାନଙ୍କୁ ଭୋଟ ଦେବାରେ ଏକ ନିଶ୍ଚିତ ନିର୍ଣ୍ଣୟ ନେବାରେ ଅନୁକୂଳ ପରିବେଶ ସୃଷ୍ଟି କରିପାରୁନାହିଁ । ଏଣୁ ପରିସ୍ଥିତି ବିଭ୍ରାନ୍ତକର ହେତୁ, ଏ ନିର୍ବାଚନର ଜନାଦେଶ ଅସ୍ପଷ୍ଟ ମନେହୁଏ ।
ବିପିନ୍ ବିହାରୀ ମହାନ୍ତି
ବିକାଶ ନଗର, ଜଟଣୀ
ମୋ.-୯୯୩୮୩୪୪୧୩୮