ନିର୍ଭୟା ଗଣଦୁଷ୍କର୍ମ ମାମଲା : ମୁକେଶର କ୍ଷମା ଆବେଦନକୁ ଖାରଜ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର କ୍ଷମା ଆବେଦନକୁ ଖାରଜ କରିଛନ୍ତି। ଏନେଇ ରାଷ୍ଟ୍ରପତି ଭବନରୁ ଗୃହ ମନ୍ତ୍ରଣାଳୟକୁ ସୂଚନା ଦିଆଯାଇଛି।
ପ୍ରକାଶ ଯେ, ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର କ୍ଷମା ଆବେଦନକୁ ଖାରଜ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କହିଥିଲେ। ଗୁରୁବାର ରାତିରେ ଅମିତ ଶାହାଙ୍କର ଏହି ସୁପାରିସ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିଲା। ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ମୁକେଶ ସିଂହ ଶେଷ ମୁହୂର୍ତ୍ତରେ ରାଜକ୍ଷମା ଲାଗି ରାଷ୍ଟ୍ରପତି କୋବିନ୍ଦଙ୍କୁ ଆବେଦନ କରିଥିଲା। ଅନ୍ୟ ତିନି ଜଣ ଦୋଷୀଙ୍କ ସମେତ ମୁକେଶକୁ ଜାନୁଆରି ୨୨ ତାରିଖରେ ଫାଶୀ ଦେବା ଲାଗି ଦିଲ୍ଲୀ ଅଦାଲତର ଜଣେ ବିଚାରପତି ଆଦେଶ ଦେଇଥିଲେ। ଶୁକ୍ରବାର ଡେଥ୍ ଓ୍ବାରେଣ୍ଟ ଉପରେ କୋର୍ଟରେ ଶୁଣାଣି ହେବ। ସୂଚନାଯୋଗ୍ୟ, ଦିଲ୍ଲୀ ପଟିଆଲା ହାଉସ୍ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଅପରାଧୀଙ୍କୁ ଜାନୁଆରୀ ୨୨ ତାରିଖରେ ଫାଶୀ ଦଣ୍ଡ ଦେବା ପାଇଁ ଡେଥ ଓ୍ବାରେଣ୍ଟି ଜାରି କରିଥିଲେ। କିନ୍ତୁ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିଲେ । ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର ଆବେଦନ ଉପରେ ଶୁଣାଣି କରି ତା’ର କ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିବାରୁ ଫାଶୀ ଉପରେ ରହିତାଦେଶ ଲଗାଇଥିଲେ।


