ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ କଲେ କାଉନସିଲର
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଏନଏସି ଅନ୍ତର୍ଗତ ୱାର୍ଡ ନଂ ୩ ଅଧୀନରେ ଡିଆରଡିଏ ପିଡିଙ୍କ ବଙ୍ଗଳା ଠାରୁ ବ୍ରାହ୍ମଣ ବନ୍ଧ ପର୍ଯ୍ୟନ୍ତ ଚାଲିଥିବା ଡ୍ରେନର କାମ ନିମ୍ନ ମାନର ହେଉଥିବା ଖୋଦ୍ ସ୍ଥାନୀୟ କାଉନସିଲ ଓ ସାହି ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି । ଏନେଇ ସ୍ଥାନୀୟ କାଉନସିଲର ମାମା ସେଠୀଙ୍କ ସମେତ ସାହିବାସିନ୍ଦାଙ୍କ ପକ୍ଷରୁ ଶନିବାର ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହି ଅଧିକାରୀଙ୍କ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିବା ସହିତ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବୀ କରାଯାଇଛି । ଚାଲିଥିବା ଏହି ଡ୍ରେନ କାମକୁ ଜୈନକ ଠିକାଦାର ନିର୍ମାଣ କାର୍ଯ୍ୟ ନିମନ୍ତେ ଠିକା ନେଇଥିବା ବେଳେ ସାହି ବାସିନ୍ଦା ପକ୍ଷରୁ ଡ୍ରେନ କାମ ଅତି ନିମ୍ନମାନର କାରଯାଉଥିବା ନେଇ ସେମାନେ ବହୁବାର ଠିକାଦାରକୁ ଅବଗତ କରିଥିଲେ ମଧ୍ୟ ସେଏଥିପ୍ରତି କୈାଣସି ଗୁରୁତ୍ୱ ଦେଇନଥିଲେ । ଏପରିକି ଡ୍ରେନ କାମ ଚାଲିବା ସମୟରେ ଏହି କାର୍ଯ୍ୟ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହୁନଥିବାରୁ ଠିକାଦାର ତାର ଇଛାମୁତାବକ କାମ କରୁଛି । ଏଣୁ ଏନଏସି ପ୍ରଶାସନ ପକ୍ଷରୁ ତୁରନ୍ତ ଏକ ଟିମ ଗଠନ କରି ଏହି କାର୍ଯ୍ୟର ତଦାରଖ କରିବା ସହ ଠିକାଦାର ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବୀ କରାଯିବା ଉକ୍ତ ଅଭିଯୋଗ ପତ୍ର ରେ ଦର୍ଶାଇଯାଇଛି । ଆଗକୁ ବର୍ଷା ଋତୁ ରହିଥିବାରୁ ଉକ୍ତ ଡ୍ରେନର ନିର୍ମାଣଧିନ କାର୍ଯ୍ୟ ସଠିକ୍ କାମ କରିବା ପାଇଁ ସେମାନେ ଦାବୀ କରିଛନ୍ତି । ଯଦି ଏନଏସି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବେ ତେବେ ଆଗାମି ଦିନରେ ସାହିବାସିନ୍ଦା ମାନଙ୍କ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ଅଭିଯୋଗ ପତ୍ର ପ୍ରଦାନ ବେଳେ ସ୍ଥାନୀୟ କାଉନସିଲର ମାମା ସେଠୀଙ୍କ ସହ ଜଲାଲ ଖାନ, ମିଟୁ ବେହେରା, ରାଘବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


