ନୀଳାଚଳ ଅବଢା

ନୀଳାଚଳ ଅବଢା
ହୋଇ ନ ଥିଲା ବଢା
ରାନ୍ଧି ନ ଥିଲେ ମହାଲକ୍ଷ୍ମୀ,
ସ୍ନାନ ପୂର୍ଣ୍ଣିମା ଠାରୁ
ନୀଳାଦ୍ରୀ ବିଜେ ଗଲା
ନ ପାଇ ଭକ୍ତ ମନେ ଦୁଃଖି ।

ଆଜି ମନ ହରଷ
ହସନ୍ତି ନିଳାଦ୍ରୀଶ
ଲକ୍ଷ୍ମୀଙ୍କ ମୁଖେ ହସ ଦେଖି,
ଅବଢା ଡାଲି ଖିରି
ବେସର ରାନ୍ଧିକରି
ଖୋଇ କରିବେ ମନ ତୋଷ ।

ଭକତେ ଚାହିଁଛନ୍ତି
ଅବଢା ପାଇବାକୁ
ଖାଇଲେ ହୋଇବେ କୃତାର୍ଥ ।
ଲାଗିଲାଣି ଗହଳି
ଭକତ ମେଳି ମେଳି
ଚାତକ ପ୍ରାୟ କରି ନେତ୍ର ।

ମାସେ ନ ଥିଲା ରନ୍ଧା
ରୋଷେଇଶାଳ ରୁନ୍ଧା
ଧୂଆଁ ନ ଥିଲେ କେହି ଦେଖି,
ଆଜି ଲାଗିଛି ଚୁଲି
ଧୂଆଁ ନିଜେ ଦେଖିଲି
ରାନ୍ଧନ୍ତି ନିଜେ ମାଆ ଲକ୍ଷ୍ମୀ ।

ଲକ୍ଷ୍ମୀଙ୍କ ହାତ ରନ୍ଧା
କାଳିଆ ମନ ବନ୍ଧା
ବାସରେ ନ ପାରେ ସମ୍ଭାଳି,
ଭଗ୍ନୀ ଭ୍ରାତାଙ୍କୁ କହେ
ଭୋକେ ପେଟ ଜଳୁଛି
ଦରସିଝାକୁ ଦେବି ଗିଳି ।

ପ୍ରଭୁଙ୍କ ମନ ଜାଣି
ମାଆ ରାନ୍ଧି ଦେଲେଣି
ଅନ୍ନ ବେସର ଡାଲି ଖିରୀ,
ଖାଇବେ ବଡ ଖିଆ
ଭାଇ ଭଉଣୀ ସାଥେ
ହାଉଡି ମାରି ଆଣ୍ଟେ କରି ।

ଆନନ୍ଦ ବଜାରରେ
ଭକ୍ତ ଆନନ୍ଦେ ଭୁଞ୍ଜି
ନୀଳାଚଳ ଅବଢା ଡାଲି,
ପ୍ରଭୁ ନାମକୁ ଗାଇ
ନୀଳଚକ୍ରକୁ ଚାହିଁ
ଉର୍ଦ୍ଧକୁ ହାତ ଦେବେ ଖୋଲି ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ