ନୂଆପଡ଼ାରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଉଦ୍ଘାଟିତ
ଭୁବନେଶ୍ୱର, (ୱାଇଏନ୍ଏସ୍) : ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ପ୍ରକଳ୍ପକୁ ଉଦ୍ଘାଟିତ କରାଯାଇଛି । ଅନେକ ବାଦବିବାଦ ଓ ଆଶା ଆଶଙ୍କା ମଧ୍ୟ ଦେଇ ଗତି କରିଥିବା ୧୯୨୫ କୋଟି ୬୩ ଲକ୍ଷ ଟଙ୍କାର ଲୋୟର ଇନ୍ଦ୍ର ପ୍ରକଳ୍ପ ପାଇଁ ଜିଲ୍ଲାବାସୀ ୨୦ ବର୍ଷ ହେଲାଣି ଅପେକ୍ଷା କରିଥିଲେ।କୋଭିଡ୍ କଟକଣା ପରେ ପଶ୍ଚିମ ଓଡ଼ିଶାକୁ ଏହା ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ଗସ୍ତ ।ଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବୁଧବାର ସକାଳ ସାଢ଼େ ୯ଟାରେ ନବୀନ ନିବାସରୁ ବାହାରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଜାହାଜରେ ନୂଆପଡ଼ା ଗୌତମା ଏୟାର ଷ୍ଟ୍ରିପ୍ରେ ପହଞ୍ଚିଥିଲେ।ସେଠାରୁ ହେଲିକପ୍ଟର ଯୋଗେ ତିଖାଲି ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ସ୍ଥାନକୁ ପହଞ୍ଚି ପ୍ରଥମେ ପ୍ରକଳ୍ପ ଉଦ୍ଘାଟନ କରିଥିଲେ। ୨୦୦୦ ମସିହା ମଇ୭ ତାରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। ଏହାପରେ ଖଡ଼ିଆଳ ରାଜା ଏଟି ହାଇସ୍କୁଲ ପଡ଼ିଆରେ ପହଞ୍ଚି ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେଇଛନ୍ତି ।ପଛୁଆ ଜିଲ୍ଲାକୁ ଆଗକୁ ଆଣିବା ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ସେହିକ୍ରମରେ ଏକାଧିକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି ନବୀନ । ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ମଧ୍ୟ ଉପସ୍ଥିତ ରହିଥିବା ସୂଚନା ରହିଛି।


