ନୂଆବଜାରରେ ଭୀଷଣ ଅଗ୍ନିକାଣ୍ଡ
ବାଲେଶ୍ୱର, (ସରୋଜ ପଣ୍ଡା):ଜନଗହଳି ପୂର୍ଣ୍ଣ ନୂଆବଜାର ଅଞ୍ଚଳର ଏକ ହୋଟେଲରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟି ଆଖପାଖ ଦୋକାନକୁ ବ୍ୟପୀଥିଲା । ରାତି ପ୍ରାୟ୮ଟା ବେଳେ ଏହି ନିଆଁ ଲାଗିଥିଲା । ଖବର ପାଇ ଅଗ୍ନିଶମ ବିଭାଗ, ପୁଲିସ ଓ ବିଦ୍ୟୁତ କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିଲେ । ହୋଟେଲ ପାଶ୍ୱର୍ରେ ଥିବା ନର୍ସରୀରେ ଗଛଚାରା ନଷ୍ଟ ହେବା ସାଙ୍ଗକୁ ଏକ ଗାଈ ଓ ୨ଟି ବାଛୁରୀ ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସବୁଠାରୁ ବଡ଼କଥା ହେଲା ଏହି ନିଆଁ ହୋଟେଲରୁ ଲାଗି ପାଖ ଦୋକାନକୁ ବ୍ୟାପୀଥିଲା । ନିଆଁରେ ଗ୍ୟାସ ସିଲିଣ୍ଡର ଫାଟିଥିବା ଜଣାଯାଇଛି । ଖବର ପାଇ ଏସପି ସାଗରିକା ନାଥ ଓ ସଦର ବିଧାୟକ ସ୍ୱରୂପ ଦାସ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି । ତେବେ ନିଆଁ କେମିତି ଲାଗିଲା ଜଣାପଡ଼ି ନଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।