ନୂଆବର୍ଷ ଉପଲକ୍ଷେ କୋଣାର୍କ, ଚନ୍ଦ୍ରଭାଗା ଓ ଶକ୍ତିପୀଠ ରାମଚଣ୍ଡୀ ପୀଠ ଲୋକାରଣ୍ୟ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଇଂରାଜୀ ନବବର୍ଷ ଅବସରରେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ବେଳାଭୂମି ଓ ପ୍ରାଚୀନ ଶକ୍ତି ପୀଠ ରାମଚଣ୍ଡୀ ଲୋକାରଣ୍ୟ ହୋଇଥିବା ଦେଖିବାକୁ ମିଳିଛି। ଖବରରୁ ପ୍ରକାଶ ଯେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ନିଜସ୍ବ ପାର୍କିଂ ସ୍ଥାନ ନ ଥିଲା ବେଳେ ବେଆଇନ ଭାବେ ଚାରି ଚକିଆ ଓ ଦୁଇ ଚକିଆ ଯାନ ରହଣି ନିମନ୍ତେ ପାର୍କିଂ ନିଲାମ କରିବା ଦ୍ବାରା ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ଜାତୀୟ ରାଜପଥ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହାନ ରଖିବା ଯୋଗୁଁ ନୂଆବର୍ଷ ଅବସରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇ ପଡିଛି। ସେହିପରି ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ପର୍ଯ୍ୟଟକ ମାନେ ଗାଡି ରଖିବା ଯୋଗୁଁ ଗୁରୁତର ଭାବେ ଟ୍ରାଫିକ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। କୋଣାର୍କ ଥାନା, ଚନ୍ଦ୍ରଭାଗା ସାମୁଦ୍ରିକ ଥାନା, ଚନ୍ଦ୍ରଭାଗା ଟୁରିଷ୍ଟ ଥାନା ଓ ରାମଚଣ୍ଡୀ ଥାନା ପୋଲିସ ମାନଙ୍କରେ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ କୌଣସି ସ୍ବତନ୍ତ୍ର ଟ୍ରାଫିକ ପୋଲିସ ନିୟୋଜିତ ହୋଇ ନ ଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ବିଫଳ ହୋଇଥିବା କୋଣାର୍କ, ଚନ୍ଦ୍ରଭାଗା ଓ ରାମଚଣ୍ଡୀ ପରିଭ୍ରମଣରେ ଆସିଥିବା ପର୍ଯ୍ୟଟକ ମାନେ ସେମାନଙ୍କ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ପୋଲିସ ପ୍ରଶାସନ ଟ୍ରାଫିକ ନିୟନ୍ତ୍ରଣ କରିବାରେ ଫେଲ ମାରିଥିବା ବେଳେ ଟ୍ରାଫିକ ସମସ୍ଯା ଯୋଗୁଁ ପର୍ଯ୍ୟଟକ ମାନଙ୍କ ଗାଡି ଦୀର୍ଘ ସମୟ ଧରି ରାସ୍ତାରେ ଅଟକି ଯାଉଥିବା ବେଳେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ନୁଆବର୍ଷ ଅବସରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ନିର୍ମିତ ବ୍ଯାଖ୍ଯାନ କେନ୍ଦ୍ର ପରିସରରେ ପର୍ଯ୍ୟଟକ ମାନଙ୍କ ଭିଡ ପରିଲକ୍ଷିତ ହୋଇଛି। ସେହିପରି ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ଓ ଶକ୍ତିପୀଠ ରାମଚଣ୍ଡୀ ପୀଠରେ ପର୍ଯ୍ୟଟକ ମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା ବେଳେ ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ବଣଭୋଜିର ଆସର ଦେଖିବାକୁ ମିଳିଛି। ଏହି ଅବସରରେ ମା ରାମଚଣ୍ଡୀଙ୍କ ପୀଠରେ ପର୍ଯ୍ୟଟକ ମାନେ ମା ଙ୍କ ପୂଜାର୍ଚ୍ଚନା କରିବା ସହିତ ରାମଚଣ୍ଡୀ ମୁହାଁଣରେ ବୋଟିଂ ର ମଜା ନେଇଥିଲେ। କୋଣାର୍କ ଠାରେ ବାଇପାସ ରାସ୍ତା ଓ ସ୍ଥାୟୀ ପାର୍କିଂ ବ୍ୟବସ୍ଥା ନ ଥିବାରୁ ନୂଆବର୍ଷ ଅବସରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। କୋଣାର୍କ ଏନଏସି ପ୍ରଶାସନ ପକ୍ଷରୁ ପ୍ରଥମେ ନିଜସ୍ବ ପାର୍କିଂ ନିର୍ମାଣ କରିବା ପରେ ପାର୍କିଂ ଟେଣ୍ଡର ଆହ୍ବାନ କଲେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ଅଯଥା ମାନବକୃତ୍ତ ଟ୍ରାଫିକ ସମସ୍ଯା ସୃଷ୍ଟି ହେବ ନାହିଁ ବୋଲି ସ୍ଥାନୀୟ ଅଂଚଳର ଜନସାଧାରଣ, ପର୍ଯ୍ୟଟକ ପ୍ରେମୀ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏହି ଘଟଣାକୁ ଗୁରୁତ୍ବ ଆରୋପ କରି ପୁରୀ ଜିଲ୍ଲାପାଳ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ ଓ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ