ନୂଆ ବସଷ୍ଟାଣ୍ଡରେ ଜବରଦଖଲ ଉଛେଦ କଲା ପୈାରପାଳିକା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ତିନିମୁହାଣି- ଅଙ୍ଗୁଳେଇ ରାସ୍ତାର ନୁଆ ବସଷ୍ଟାଣ୍ଡ ନିକଟସ୍ଥ ମୁଖ୍ୟ ରାସ୍ତା କଡରେ ଥିବା ଶ୍ରୀଗୋବିନ୍ଦଜୀଉଙ୍କ ଜମିକୁ ଜବରଦଖଲ କରି ଦୋକାନ କରିଥିବା ବ୍ୟକ୍ତିମାନେ ଦୀର୍ଘ ୨୫ବର୍ଷ ଧରି ଜବରଦଖଲ କରି ଦୋକାନ ଘର କରି ବ୍ୟବସାୟ କରୁଥିବା ବେଳେ ଶ୍ରୀଜୀଉଙ୍କୁ ସେ ବାବଦରେ କୈାଣସି ଭଡା ପଇଠ କରୁନଥିଲେ । ଏବାବଦରେ ଶ୍ରୀଜୀଉଙ୍କ ଟ୍ରଷ୍ଟବୋର୍ଡ ପକ୍ଷରୁ ବିଭିନ୍ନ ସମୟରେ ଜବରଦଖଲକାରୀ ବ୍ୟବସାୟୀମାନଙ୍କୁ ଦୋକାନ ଘର ଭଡା ପଇଠ କରିବାକୁ କୁହାଯାଉଥିଲେ ମଧ୍ୟ ସେମାନେ ଏସବୁ କର୍ଣ୍ଣ ଗୋଚର କରୁନଥିଲେ । ତେଣୁ ଟ୍ରଷ୍ଟବୋର୍ଡ ପକ୍ଷରୁ ଏସମ୍ପର୍କରେ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଏବିଷୟରେ ଶ୍ରୀଜୀଉଙ୍କ ଟ୍ରଷ୍ଟ ବୋର୍ଡ ସହିତ ସବିଶେଷ ଆଲୋଚନା କରାଯିବା ପରେ ଜବରଦଖଲକାରୀ ମାନଙ୍କୁ ଗତ ୨୦୨୨ମସିହାରେ ସେହି ସ୍ଥାନରୁ ଉଠିଯିବାକୁ ନୋଟିସ ପ୍ରଦାନ କରାଯାଇଥିଲା । ନୋଟିସ ପାଇବା ସତ୍ୱେବି ଜବରଦଖଲକାରୀମାନେ ଚୁପ ହୋଇ ବସି ରହିଲେ । ଏହା ପରେ ଜିଲ୍ଲା ପ୍ରଶାସନର ନିର୍ଦେଶରେ ପୈାରସଂସ୍ଥା ପକ୍ଷରୁ ସଂପୃକ୍ତ ଜବରଦଖଲକାରୀ ବ୍ୟବସାୟୀ ଏବଂ ନୂଆ ବସଷ୍ଟାଣ୍ଡ ପରିସରରେ ପୈାରସଂସ୍ଥା ପକ୍ଷରୁ ଯୋଗାଇ ଦିଆଯାଇଥିବା ଦୋକାନ ଗୃହରେ ବ୍ୟବସାୟ କରୁଥିବା ଦୋକାନୀମାନଙ୍କୁ ଘର ଖାଲି କରିବାକୁ ଦିନିକିଆ ନୋଟିସ ପ୍ରଦାନ କରାଯାଇଥିଲା । ସେହି ଅନୁଯାୟୀ ଆଜି ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ପୈାରନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳଙ୍କ ଉପସ୍ଥିତିରେ ପୈାରସଂସ୍ଥାର ୧୫ଜଣ କର୍ମଚାରୀ ଏବଂ ପୈାରସଂସ୍ଥା ଦ୍ୱାରା ନିୟୋଜିତ ଜେସିବି ମେସିନ ଦ୍ୱାରା ଜବରଦଖଲ ଉଛେଦ କରାଯିବା ସହିତ ସେହିସବୁ ସ୍ଥାନରେ ଥିବା ଦୋକାନ ଘର ଗୁଡିକ ଭାଙ୍ଗି ଦିଆଯାଇଥିଲା । ଉଛେଦ ପୂର୍ବରୁ ସଂପୃକ୍ତ ଜବରଦଖଲକାରୀମାନେ ସେମାନଙ୍କ ଜିନିଷ ଅନ୍ୟତ୍ର ନେଇଯାଇଥିବାର ଦେଖାଯାଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ସଦର ଥାନା ଅଧିକାରୀ ସରୋଜ କୁମାର ସାହୁ, ଟାଉନ ଥାନା ସବଇନିସପେକ୍ଟର ରତିରଞ୍ଜନ ନାୟକଙ୍କ ସମେତ ୨ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୃତୟନ ହୋଇଥିଲେ । କେନ୍ଦ୍ରାପଡା ତହସିଲଦାର ଅଞ୍ଜଳି ତରାଇ ଓ ଅତିରିକ୍ତ ତହସିଲଦାର ମ୍ୟାଜିଷ୍ଟ୍ରେଟ ଭାବରେ ସେଠାରେ ଉପସ୍ଥିତ ଥିଲେ । ନୁଆ ବସଷ୍ଟାଣ୍ଡର ସଂପ୍ରସାରଣ ନିମନ୍ତେ ୬କୋଟି ୯୯ଲକ୍ଷ ଟଙ୍କା ସରକାର ମଞ୍ଜୁର କରିଥିବା ବେଳେ କେନ୍ଦ୍ରାପଡା ପୂର୍ତ୍ତ ଡିଭିଜନ ପକ୍ଷରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଜବରଦଖଲ ଉଛେଦ ପରେ ସେହି ସ୍ଥାନରେ ନୂତନ ଦୋକାନ ଗୃହ ନିର୍ମାଣ ନିମନ୍ତେ ଆବଶ୍ୟକୀୟ ଅର୍ଥ ମଞ୍ଜୁର କରାଯିବାକୁ ଜିଲ୍ଲାପାଳ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଅର୍ଥ ମଞ୍ଜୁର ପରେ ସେହି ଅନୁଦାନରେ ସେଠାରେ ନୂତନ ଦୋକାନ ଗୃହ ନିର୍ମାଣ ହେବ ବୋଲି ପୈାରନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ