ନୂଆ ରମ୍ପାସ ଏମ.ଇ ସ୍କୁଲର ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନୂଆ ରମ୍ପାସ ଗ୍ରାମରେ ଥିବା ଏମ.ଇ ସ୍କୁଲର ସହକାରୀ ଶିକ୍ଷକ ପିତାମ୍ବର ଆୟଚଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ସକାଳେ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ତାଙ୍କ ଶଙ୍ଖଣାସ୍ଥିତ ବାସଭବନକୁ ଯାଇ ଏକ ବିରାଟ ପଟୁଆରରେ ଢ଼ୋଲ ବଜାଇ ବାଣ ଫୁଟାଇ ଗ୍ରାମପରିକ୍ରମା କରାଇବା ସହ ତାଙ୍କୁ ସ୍କୁଲ ନିକଟକୁ ପାଛୋଟି ଆଣିଥିଲେ । ବିଦ୍ୟାଳୟ ପରିସରରେ ଶିକ୍ଷାବିତ ମଧୁସୁଦନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ମୁଖ୍ୟ ବକ୍ତାଭାବେ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଏବିଇଓ ସୁରେଶ କୁମାର ଜେନା, ମିଳିତ ଶିକ୍ଷକ ମଞ୍ଚର ସଭାପତି ହରମୋହନ ପଣ୍ଡା, ସମ୍ପାଦକ ମିହିର କୁମାର ପଣ୍ଡା, ହାଟଡିହି ସରପଞ୍ଚ ଚିନ୍ମୟ କୁମାର ନାୟକ, ବଡରମ୍ପାସ ସରପଞ୍ଚ ରବିନ୍ଦ୍ର କୁମାର ଜେନା, ପୁର୍ବତନ ପ୍ରଧାନ ଶିକ୍ଷକ ଗଙ୍ଗାଧର ପୁହାଣ, ଜପିଦାସ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକ ଡମ୍ବରୁଧର ଦେହୁରୀ, ସମିତିସଭ୍ୟ ବାମନ ଚରଣ ସେଠୀ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ । ଦୀର୍ଘ ୩୧ବର୍ଷକାଳ ଶିକ୍ଷାଦାନ କରି ଛାତ୍ରଛାତ୍ରୀ ତଥା ଗ୍ରାମବାସୀଙ୍କ ଶ୍ରଦ୍ଧାଭାଜନ ହୋଇପାରିଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତିତା ଶିକ୍ଷକ ଭାବରେ ପରିଚିତ ଥିଲେ ବୋଲି ଗ୍ରାମବାସୀ ଛାତ୍ରଛାତ୍ରୀମାନେ ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ଓ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ତାଙ୍କୁ ଉତ୍ତୀୟ, ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପକ ସୁବାସ ଚନ୍ଦ୍ର ପାତ୍ର ମଞ୍ଚ ସଂଯୋଜନା ଓ ମାନପତ୍ର ପାଠ କରିଥିବାବେଳେ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।