ଯୁବକଙ୍କୁ କାର ଚଢ଼ାଇ ହତ୍ୟା ଉଦ୍ୟମ ଅଭିଯୋଗ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଡଅଁର ଗ୍ରାମରେ ଜଣେ ଯୁବକକୁ କାର ଚଢ଼ାଇ ମାରିଦେବାକୁ ଉଦ୍ୟମ କରାଯାଇଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗତକାଲି ରାତି ସାଢ଼େ ଏଗାରଟା ସମୟରେ ଗ୍ରାମର ଜଣେ ଯୁବକ ନିଜର ଜଣେ ସମ୍ପର୍କୀୟକୁ ଡାକ୍ତରଖାନାକୁ ନେବାପାଇଁ ବାଇକ ଯୋଗେ ଘରୁ ଯାଉଥିବାବେଳେ ଗାଁ ଦାଣ୍ଡରେ ଏକ କାର ଠିଆ ହୋଇଥିବା ଓ ଏଥିରେ ୪ଜଣ ଅପରିଚିତ ଯୁବକ ଥିବାରୁ ସେମାନଙ୍କୁ କାହାକୁ ଖୋଜୁଛ ବୋଲି ପଚାରିଥିଲେ । ମାତ୍ର ସନ୍ତୋଷଜନକ ଉତ୍ତର ନପାଇବାରୁ ସେ ଗାଡିର ଫଟୋ ଉଠାଇବା ସହିତ କିଛି ଗାଁ ଲୋକଙ୍କୁ ଡାକିଥିଲେ । ଫଳରେ କାରରେ ଥିବା ଯୁବକମାନେ କାର ନେଇ ପଳାଇଥିଲେ । ପରେ ଏହି ଯୁବକ ଜଣକ ବାଇକନେଇ ଡାକ୍ତରଖାନା ଉଦେ୍ଦଶ୍ୟରେ ନିଜ ବନ୍ଧୁଘରକୁ ବାହାରିଥିଲେ । କିଛିବାଟ ଯିବାପରେ ଗାଁ ମୁଣ୍ଡରେ କାରଟି ଥିବା ଓ ସଂପୃକ୍ତ ଯୁବକମାନେ ଏହି ଯୁବକକୁ ଅଟକାଇଥିଲେ । ମାତ୍ର ଯୁବକ ଜଣକ ଭୟଭୀତ ହୋଇ ଦ୍ରୁତଗତିରେ ବାଇକ ଚଳାଇ ଯିବାବେଳେ କାରରେ ଥିବା ଯୁବକମାନେ ତାଙ୍କୁ ପିଛା କରିଥିଲେ । କିଛିବାଟ ଯିବାପରେ ବାଇକ ଆରୋହୀ ଯୁବକ ଜଣକ ଭାରସାମ୍ୟ ହରାଇ ତଳେ ପଡିଯିବାପରେ ମନୋହରପୁର ଗାଁ ଆଡକୁ ଦୌଡିଥିଲେ । କାରରେ ଥିବା ଯୁବକମାନେ ତାଙ୍କୁ ଧରି ପିଟାପିଟି କରିବା ସହ ତାଙ୍କ ହାତରୁ ମୋବାଇଲ ଫୋନଟି ନେଇ ଭାଙ୍ଗିଦେବା ସହ ତାଙ୍କ ବାଇକକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଏପରିକି ତାଙ୍କ ବେକରୁ ସୁନାଚେନଟିକୁ ମଧ୍ୟ ଛିଣ୍ଡାଇ ନେଇଥିଲେ । ପାଟିଶୁଣି ପାଖରେ ରହୁଥିବା କିଛି ଶ୍ରମିକ ଆସିଯିବାରୁ ଏହି ଯୁବକମାନେ ପଳାଇଥିଲେ । ଏନେଇ ଯୁବକ ଜଣକ ଆଜି ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଆକ୍ରମଣକାରୀ ଯୁବକଙ୍କ ମଧ୍ୟରୁ ଜଣେ ଯୁବକଙ୍କ ଘର ଇଶଳା ଗ୍ରାମର ବୋଲି ଅଭିଯୋଗକାରୀ କହିଛନ୍ତି । ପୁଲିସ ଅଭିଯୋଗ ପାଇବାପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।


