ନୂତନ ଆବାସ ଯୋଜନା ଲୋକଙ୍କୁ ସାତସପନ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ଯାଏଁ ଲୋକଙ୍କ ହିତ ନିମନ୍ତେ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଥିଲେ ସୁଦ୍ଧା ବ୍ୟବସ୍ଥାଗତ ତୃଟି ଯୋଗୁ ଏହାର ସଫଳ ରୂପାୟନ ହୋଇପାରୁନଥିବା ଲକ୍ଷ କରାଯାଉଛି । ମିଳିଥିବା ସୂଚନା ମୁତାବକ ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ୧୬ନଂ ୱାର୍ଡ ଦେଉଳପଦୀ ହରିଜନ ସାହିର ୨୦ ପରିବାର ଏବେ ବି ଝାଟିମାଟି ଘରେ ଜୀବନ ବିତାଉଛନ୍ତି । ଦେଉଳପଦୀ ସ୍କୁଲ ଠାରୁ ଗାଁ ଶେଷମୁଣ୍ଡ ଯାଏଁ ଯାତାୟତ ପାଇଁ ସେଭଳି ବିସ୍ତିର୍ଣ୍ଣ ରାସ୍ତାଟିଏ ନଥିବାବେଳେ ଝାଟିମାଟିର ଘର ସୂଚାଇଦେଉଛି ସରକାରୀ ଯୋଜନା ସତେଯେମିତି ଏମାନଙ୍କ ପାଇଁ ସାତସପନ । ୨୦୧୦-୧୧ ଓ୨୦୧୧-୧୨ ଆର୍ଥିକ ବର୍ଷ ପୂର୍ବରୁ ଉକ୍ତ ହରିଜନ ସାହିର ୭/୮ଗୋଟି ପରିବାରକୁ ବାସଗୃହ ଯୋଜନାରେ ଅର୍ଥ ଯୋଗାଯାଇଥିଲା । ସେତେବେଳର ବଜାର ଦର ଯାହାଥିଲା ତା ଠାରୁ ବହୁତ କମମୂଲ୍ୟରେ କାର୍ଯ୍ୟାଦେଶ ବାବଦୀୟ ଯୋଜନା ଅର୍ଥ ସରକାରଙ୍କ ପକ୍ଷରୁ ଯୋଗାଯାଇଥିଲା । ତେଣୁ କିଛି ହିତାଧିକାରୀ ବଖରାଏ ଜାଗାରେ ଦୁଇବଖରା ଘର କରିବାକୁ ଚାହିଁଥିଲେ ସୁଦ୍ଧା ତାହା ସମ୍ଭବ ହୋଇନଥିଲା । ଏପରିକି ୨/୩ଜଣ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀ ମଧ୍ୟ ସ୍ୱଳ୍ପ ଟଙ୍କାରେ ବାସଗୃହ ନିର୍ମାଣ ପାଇଁ ସାହସ ଜୁଟାଇପାରିନଥିଲେ । ସୁତରାଂ ବାସଗୃହ ପାଇଥିବା ହିତାଧିକାରୀ ଗୋଟିଏ ଲେଖାଁଏ ବଖରା ପକ୍କାଘର ନିର୍ମାଣକରି ଯୋଜନାର ମାନଦଣ୍ଡ ବୃଦ୍ଧିରେ ସହାୟ ହୋଇଥିଲେ ସୁଦ୍ଧା ସେଥିରେ ସମ୍ପୂର୍ଣ୍ଣ ପରିବାର ମୁଣ୍ଡ ଗୁଞ୍ଜିପାରିନାହାଁନ୍ତି । ଏହାପରେ ବାକି ରହିଯାଇଥିବା ପରିବାରଙ୍କ ପାଇଁ ନୂତନ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଯୋଗାଇବା ପାଇଁ ଯୋଗ୍ୟ ତାଲିକା ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ଏଯାଏଁ ଲୋକମାନେ ଉପକୃତ ହୋଇପାରିନାହାଁନ୍ତି । ସାମଗ୍ରିକ ଭାବେ ବ୍ୟବସ୍ଥାକୁ ଲକ୍ଷକଲେ ଜଣାପଡୁଛି ଯେ ସମସ୍ତ ପରିବାର ଏବେବି  ଝାଟିମାଟି ଘରେ ଜୀବନ ବିତାଉଛନ୍ତି । ନଈବଢି ଆସିଲେ ଘରେ ପାଣି ପଶି କେତେବେଳେ କାନ୍ଥ ପଡିଯାଉଛି ତ ପୁଣି କେତେବେଳେ ନୂଆଣିଆ ଘର ମାଟିରେ ଲୋଟିଯାଉଛି । ଏହାଛଡା ବର୍ଷଯାକର ଝଡିବର୍ଷା ପ୍ରକୋପରୁ ମଧ୍ୟ କଚ୍ଚାଘର ବାଦ ପଡୁନି । ମୁଣ୍ଡ ଗୁଞ୍ଜିବା ପାଇଁ ଲୋକେ କଚ୍ଚାଘରକୁ ଦୀର୍ଘବର୍ଷ ହେବ ସଜାଡି ଆସୁଥିଲେ ବି ପକ୍କା ଘର ଖଣ୍ଡେ ପାଇବା ସେମାନଙ୍କ ପାଇଁ ସତେ ଯେଭଳି ସ୍ୱଦୂରପ୍ରସାରୀ ହୋଇଯାଇଛି । ବ୍ୟବସ୍ଥାଗତ ତ୍ରୁଟି ହେଉ କିମ୍ବା ଅନ୍ୟକିଛି କାରଣ ସତ୍ତ୍ୱେ ଲୋକମାନେ ପ୍ରକୃତ ଯୋଜନା ପାଉନଥିବାରୁ ସରକାରଙ୍କ ଲକ୍ଷ୍ୟ ପୂରଣ ହୋଇପାରୁନଥିବା ଏଥିରୁ ସ୍ପଷ୍ଟ ଅନୁମେୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ