ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ଆର୍ଥିକ ସଙ୍କଟ ସମୟରେ ୨୦୦୧ ମସିହା ଠାରୁ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ ନାମରେ ପ୍ରାଥମିକ ଶିକ୍ଷାରେ ନିଯୁକ୍ତି ଆରମ୍ଭ କରାଯାଇଥିଲା । ପରେ ପରେ ଅନ୍ୟ ସମସ୍ତ ବିଭାଗରେ ଠିକା ନିଯୁକ୍ତି ଆରମ୍ଭ ହୋଇଥିଲା । କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ୨୦୧୩ ମସିହାର ଚୁକ୍ତିଭିତ୍ତିକ ନିଯୁକ୍ତି ଆଇନକୁ ରଦ୍ଦ କରାଯାଇଛି । ତଦନୁଯାୟୀ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ସଂଖ୍ୟା ୨୯୦୭୬ ତା ୧୬.୧୦.୨୦୨୨ରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଉକ୍ତ ବିଜ୍ଞପ୍ତି ଅନୁଯାୟୀ ୨୦୧୩ ମସିହାର ନିୟମ ଅନୁଯାୟୀ ନିଯୁକ୍ତି ପାଇଥିବା ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପ୍ରଥମ ନିଯୁକ୍ତିକୁ ଗଣନା କରି ସେମାନଙ୍କୁ ସେହି ସମୟର ବାର୍ଷିକ ବେତନ ବୃଦ୍ଧି କରି ସେମାନଙ୍କୁ ନିୟମିତ କରାଯାଇଛି । କିନ୍ତୁ ୨୦୧୩ ମସିହା ପୂର୍ବରୁ ନିଯୁକ୍ତ ପ୍ରାଥମିକ ଶିକ୍ଷକ ଯେଉଁମାନେ କି ଓଡ଼ିଶାର ଆର୍ଥିକ ସଙ୍କଟ ସମୟରେ ଆମ ରାଜ୍ୟର ରାଜକୋଷକୁ ଭରଣା କରିଥିଲେ ସେମାନଙ୍କ ପାଇଁ ଉକ୍ତ ବିଜ୍ଞପ୍ତିରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ୨୦୦୧ ମସିହାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ ନିଯୁକ୍ତି ହୋଇ ଆସୁଛନ୍ତି ଏବଂ ସେମାନଙ୍କ ୬ ବର୍ଷ ନିରବଚ୍ଛିନ୍ନ କାର୍ଯ୍ୟ କରିବା ପରେ ସେମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ମିଳିଛି । ଯେଉଁମାନେ ମାତ୍ର ୧୫୦୦ ଟଙ୍କା ପାରିତୋଷିକରେ କାର୍ଯ୍ୟ କରି ସରକାରଙ୍କ ରୋଜକୋଷକୁ ଭରଣା କଲେ, ସେମାନଙ୍କୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି ଯେଉଁଥିପାଇଁ ପ୍ରାଥମିକ ଶିକ୍ଷକମାନଙ୍କ ମନରେ ତୀବ୍ର ଅସନ୍ତୋଷର ବାତାବରଣ ଦେଖାଦେଇଥିଲା । ପୁନଶ୍ଚ ଭାରତବର୍ଷର ୨୨ଟି ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଦିଆଯାଉଥିବା ବେଳେ ସପ୍ତମ ବେତନ କମିଶନ ଅନୁଯାୟୀ ମାତ୍ର ୨୨୦୦ ଗ୍ରେଡ ପେ ଦେଇ ଆମ ରାଜ୍ୟର ପ୍ରାଥମିକ ଶିକ୍ଷକମାନଙ୍କୁ ଦରମା ଦିଆଯାଇଛି । ୨୦୦୫ ମସିହା ପରେ ନିଯୁକ୍ତି ପାଇଥିବା ଶିକ୍ଷକ କର୍ମଚାରୀମାନେ ଅବସର ପରେ ନୂତନ ପେନସନ ଯୋଗୁ ସେମାନଙ୍କ ଅବସରର ଅବଶିଷ୍ଟ ସମୟ କଷ୍ଟରେ ବିତାଇବାକୁ ପଡୁଛି । ସରକାରଙ୍କ ପ୍ରାଥମିକ ଶିକ୍ଷକମାନଙ୍କ ପ୍ରତି ବୈମାତୃକ ମନୋଭାବର ପ୍ରତିବାଦରେ ନଭେମ୍ବର୨୭ ତାରିଖ ଦିନ ୩ ଦଫା ଦାବି ହାସଲ ପାଇଁ ଏକଲକ୍ଷରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ବିଧାନସଭା ସମ୍ମୁଖରେ ମହାସମାବେଶ କରିଥିଲେ । ନଭେମ୍ବର ୩୦ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କଲା ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅର୍ଥ ବିଭାଗ ପ୍ରମୁଖ ସଚିବ, ଉନ୍ନୟନ ବିଭାଗ ପ୍ରମୁଖ ସଚିବ, ସାଧାରଣ ପ୍ରଶାସନ ପ୍ରମୁଖ ସଚିବ ଓ ଗଣଶିକ୍ଷା ସଚିବଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା ଓ ଆସନ୍ତା ଡିସେମ୍ବର ୧୬ରୁ ୨୦ ତାରିଖ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ବସାଇ ନିଷ୍ପତ୍ତି ନିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବାରୁ ମିଳିତ ଶିକ୍ଷକ ମହାସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା । ଗତ ଡିସେମ୍ବର ୨୧ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ଓ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ୨୯ ତାରିଖ ଦିନ ଅର୍ଥବିଭାଗର ପ୍ରମୁଖ ସଚିବ, ଉନ୍ନୟନ ବିଭାଗ ପ୍ରମୁଖ ସଚିବ, ସାଧାରଣ ପ୍ରଶାସନ ପ୍ରମୁଖ ସଚିବ, ଗଣଶିକ୍ଷା ସଚିବ ଓ ମିଳିତ ପ୍ରାଥମିକ ମହାସଂଘର ନେତୃମଣ୍ଡଳୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଆଲୋଚନା ସକରାତ୍ମକ ହୋଇଥିଲା । ମହାସଂଘର ସମସ୍ତ ନେତୃତ୍ୱ ଦାବିଗୁଡ଼ିକୁ ଦସ୍ତାବିଜ ସହ କମିଟିରେ ଉପସ୍ଥାପନ କରିଥିଲେ ଓ ନୂଆବର୍ଷରେ ପ୍ରାଥମିକ ଶିକ୍ଷକମାନଙ୍କୁ ନୂଆ ଭେଟି ଦେବେ ବୋଲି ମହାସଂଘ ଆଶାବାଦୀ ଥିଲା । କିନ୍ତୁ ସରକାର ଦାବି ପୂରଣ ପାଇଁ ଏବେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ମହାସଂଘର ସଦସ୍ୟମାନଙ୍କ ମନରେ କ୍ଷୋଭପ୍ରକାଶ ପାଇଛି । ମଙ୍ଗଳବାର ଦିନ ସଭାପତି ମଣ୍ଡଳୀ ସଦସ୍ୟ ବ୍ରହ୍ମାନନ୍ଦ ମହାରଣା, ରାଜେଶ ମହାନ୍ତି, ସୁଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମାଷ୍ଟରକ୍ୟାଣ୍ଟିନଛକସ୍ଥିତ ଗୋଦାବରୀଶ ଭବନରେ ଏକ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଥିଲା । ସରକାର ଖୁବ ଶୀଘ୍ର ଦାବି ପୂରଣ ନକଲେ ସମସ୍ତ ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ଫେବୃୟାରୀ ପ୍ରଥମ ସପ୍ତାହରୁ ସମୂହ ଛୁଟିରେ ଯିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶିକ୍ଷାଦାନ ବାଧାପ୍ରାପ୍ତ ହେଲେ ସେଥିପାଇଁ ନିଜେ ସରକାର ଦାୟୀ ରହିବେ ବୋଲି ନେତୃମଣ୍ଡଳୀ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ଏହି ଷ୍ଟିୟରିଂ କମିଟି ବୈଠକରେ ସାଧାରଣ ସମ୍ପାଦକ ଖଗେନ୍ଦ୍ରନାଥ ପାଳ, ବିଭୁପ୍ରସାଦ ସାହୁ, ବଙ୍କିମ ସାଗର ଓ ପଶ୍ଚିମ ଓଡ଼ିଶା ଶିକ୍ଷକ ଫୋରମର ସୁରେଶ ପ୍ରଧାନ, ପ୍ରମୋଦ ପ୍ରଧାନ ଓ ଷ୍ଟିୟରିଂ କମିଟି ସଦସ୍ୟ ଗଜେନ୍ଦ୍ର ମାଝୀ, ବିକ୍ରମ ରଥ, ମଳୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।