ରାଜ୍ୟରେ ପ୍ରଥମ ଗିରି ଲଙ୍ଘିଲେ ଦିବ୍ୟାଙ୍ଗ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦୃଢ଼ ମନୋବଳ ଓ ଆତ୍ମବିଶ୍ୱାସକୁ ପାଥେୟ କରି ୧୧୦୦ ଫୁଟ ଉଚ୍ଚତା ବିଶିଷ୍ଟ କନ୍ଦଳେଇ ପାହାଡ଼ର ଶିଖରରେ ପହଞ୍ôଚ ଖୁସିରେ ଆତ୍ମହରା ହେବା ସହିତ ଜାତୀୟ ପତାକା ଉଡ଼ାଇଛନ୍ତି ନୟାଗଡ଼ ଜିଲ୍ଲା ଶରଣକୁଳ ଭିକାରୀପଡ଼ାର ଦୃଷ୍ଟିବାଧିତ ବାପିନା ନାୟକ । ଶତ ପ୍ରତିଶତ ଦୃଷ୍ଟିବାଧିତ ବାପିନା ଦୀର୍ଘଦିନରୁ ପର୍ବତାରୋହଣ ପାଇଁ ଦେଖିଥିଲେ ସ୍ୱପ୍ନ । ଏହାକୁ ଉତ୍ସାହିତ କରିଥିଲେ ତାଙ୍କର କୋଚ୍ ତ୍ରିଲୋଚନ ବେଉରା ଓ ସାମାଜିକ କର୍ମୀ ସୁଶାନ୍ତ ସାହୁ । ଏବେ ବାପିନାଙ୍କ ସ୍ୱପ୍ନ ସାକାର ହୋଇଛି । କୋଚ୍ ଓ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ସେ ହ୍ୱାଇଟ୍ କେନ୍ (ଧଳାବାଡ଼ି) ସହାୟତାରେ ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ପରିସର ଭିତରେ ଥିବା କନ୍ଦଳେଇ ପାହାଡ଼ର ଶିଖରରେ ପାଦ ଥାପିଛନ୍ତି । ଏଭଳି କରିବାରେ ସେ ହେଉଛନ୍ତି ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ ।ସେ ବିଶ୍ୱପାଇଁ ଏକ ସନ୍ଦେଶ ଦେଇଛନ୍ତି । ଦୃଷ୍ଟିଶକ୍ତି ନଥିଲେ ମଧ୍ୟ ଦୃଢ଼ ମନୋବଳ ଓ ଆତ୍ମବିଶ୍ୱାସ ଥିଲେ ଯେ କୌଣସି କାର୍ଯ୍ୟ ସଫଳ ହୋଇପାରିବ । ଭବିଷ୍ୟତରେ ସେ ଏଭଳି ଆଉ କିଛି ପାହାଡ଼ ଚଢ଼ିବେ ବୋଲି ଆଶା ରଖିଛନ୍ତି । ଛତାବର ଗ୍ରାମପଞ୍ଚାୟତ ସରପଞ୍ଚ ବିଷ୍ଣୁପ୍ରସାଦ ଡ଼େଙ୍ଗ ଙ୍କ ସମେତ ଶିକ୍ଷାବିତ୍ ଚନ୍ଦ୍ରଶେଖର ପାଲ, କବି ଅକ୍ଷୟ ସ୍ୱାଇଁ, ସବିତା ରଥ, ନିରଞ୍ଜନ ନାୟକ ପ୍ରମୁଖ ବାପିନାଙ୍କ ପର୍ବତାରୋହଣକୁ ସାବାସୀ ଜଣାଇବା ସହିତ ବାପିନାଙ୍କ ସମେତ ତାଙ୍କର କୋଚ୍ ତ୍ରିଲୋଚନ ବେଉରାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ


